ଭୁବନେଶ୍ବର କନିଷ୍ଠ ହକି ବିଶ୍ବକପ୍‌: ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଫ୍ରାନ୍‌ସ

ଲୌସାନେ: କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଭୁବନେଶ୍ବର-୨୦୨୧ ଲାଗି ବୁଧବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସୂଚୀ ଘୋଷିତ ‌‌‌‌କରିଛ। ଏହି ପ୍ରତିଯୋଗିତା ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡ଼ିୟମରେ ଆସନ୍ତା ମାସ ୨୪ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୧୬ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ପୁଲ୍‌-ବିରେ ଆୟୋଜକ ଭାରତ ସହ କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ ରହିଛନ୍ତି। ପୁଲ୍‌-ଏରେ ବେଲ୍‌ଜିୟମ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ଚିଲି, ପୁଲ୍‌-ସିରେ ନେଦରଲାଣ୍ଡ୍ସ, ସ୍ପେନ୍‌, କୋରିଆ ଓ ଆମେରିକା ଏବଂ ପୁଲ୍‌-ଡିରେ ଜର୍ମାନି, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ରହିଛନ୍ତି। ବିଜେତା ଭାରତ ଉଦ୍‌ଘାଟନୀ ଦିବସରେ ଫ୍ରାନ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ସେହିଭଳି ପ୍ରଥମ ଦିବସରେ ଖେଳାଯିବାକୁ ଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ବେଲ୍‌ଜିୟମ-ଦକ୍ଷିଣ ଆଫ୍ରିକା, ମାଲେସିଆ-ଚିଲି ଓ ଜର୍ମାନି-ପାକିସ୍ତାନ ମୁହାଁମୁହିଁ ହେବେ। ଭାରତ ପରବର୍ତ୍ତୀ ପୁଲ୍‌ ମ୍ୟାଚ୍‌ ‌ନଭେମ୍ବର ୨୫ରେ କାନାଡ଼ା ଏବଂ ନଭେମ୍ବର ୨୭ରେ ପୋଲାଣ୍ଡ ବିପକ୍ଷରେ ଖେଳିବ। ସେମିଫାଇନାଲ୍‌ ଓ ଫାଇନାଲ୍‌ ଯଥାକ୍ରମେ ଡିସେମ୍ବର ୩ ଓ ୫ ତାରିଖରେ ଖେଳାଯିବ।

ଏଥି ସହ ଏଫ୍‌ଆଇଏଚ୍‌ ଦକ୍ଷିଣ ଆଫ୍ରିକାରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ‌‌ହେବାକୁଥିବା ମହିଳା କନିଷ୍ଠ ବିଶ୍ବକପ୍‌ ପାଇଁ ମଧ୍ୟ ସୂଚୀ ଘୋଷଣା କରିଛି। ଏଥିରେ ଭାରତ ପୁଲ୍‌-ସି’ରେ ବି‌ଜେତା ଆର୍ଜେଣ୍ଟିନା, ଜାପାନ ଓ ରୁଷିଆ ସହ ରହିଛି। ଡିସେମ୍ବର ୬ରେ ରୁଷିଆ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ଏହାପରେ ‌ଡିସେମ୍ବର ୭ରେ ଆର୍ଜେଣ୍ଟିନା ଓ ଡିସେମ୍ବର ୯ରେ ଜାପାନ୍‌କୁ ଭେଟିବ।

ସମ୍ବନ୍ଧିତ ଖବର