ବାହାନଗା ଦୁର୍ଘଟଣାରେ ଆହତଙ୍କୁ ଏସସିବିରେ ଭେଟିଲେ ମମତା ବାନାର୍ଜୀ, ଏମିତି ଦେଲେ ପ୍ରତିଶ୍ରୁତି

କଟକ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ରେଳବାଇ ମନ୍ତ୍ରୀ ମମତା ବାନାର୍ଜୀ ଏସସବି ମେଡିକାଲରେ ପହଂଚି ଆହତଙ୍କୁ ଭେଟିଛନ୍ତି। କଟକ ପହଞ୍ଚିବା ପରେ ସେ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଏସସିବି ପରିସରକୁ ନିଆଯାଇଥିଲା ଆହତଙ୍କୁ ଭେଟି ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଚିକିତ୍ସକମାନଙ୍କ ସହିତ ମଧ୍ୟ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ପଶ୍ଚିମବଙ୍ଗର ୫୩ ଜଣ ଆହତ ବ୍ୟକ୍ତି ମାନେ କଟକବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ଆହତମାନଙ୍କୁ ଭେଟି ମୃତ୍ୟୁ ହୋଇଥିବା ପରିବାରର ଜଣକୁ ଚାକିରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସୁଶ୍ରୀ ମମତା ବାନାର୍ଜୀ ମଧ୍ୟାହ୍ନ ୨ ଟା ବେଳେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ। ତାଙ୍କୁ ଜେଡ୍ ପ୍ଲସ୍ ନିରାପତ୍ତା ଯୋଗାଇ ଦିଆଯାଇଥିଲା । ମମତା ବାନାର୍ଜୀ କଟକ ବଡ଼ଡ଼ାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ କଟକ ବଡ଼ଡ଼ାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷ ଓ ଚିକିତ୍ସକମାନେ ତାଙ୍କୁ ପାଛୋଟି ଆଣିଥିଲେ। ବିଭିନ୍ନ ୱାର୍ଡରେ ଗସ୍ତ କରି ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଥିଲେ ।

କଟକ ବଡ଼ଡ଼ାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଆହତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବା ସହ ସେଠାରେ ଆହତଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରିଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ରାଜ୍ୟରୁ ଯେଉଁମାନେ ପ୍ରାଣ ହରାଇଛନ୍ତି ଓ ଯେଉଁମାନେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଛନ୍ତି, ସେମାନଙ୍କର ପରିବାରର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ହୋମଗାର୍ଡ ଚାକିରି ଯୋଗାଇ ଦିଆଯିବ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ରୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ ୨ ତାରିଖ ଦୁର୍ଘଟଣା ହେବା ପରେ ୩ ତାରିଖ ଦିନ ମମତା ବାନାର୍ଜୀ ବାହାନଗା ଦୁର୍ଘଟଣା ସ୍ଥଳରେ ଆସି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ମମତା ବାନାର୍ଜୀ ସାମ୍ବାଦିକ ମାନଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଲେ ରେଳବାଇ କର୍ତ୍ତୃପକ୍ଷଙ୍କର ଦାୟିତ୍ଵ ହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ସରକାରୀ ସ୍ତରରେ ଘୋଷଣା କରାଯାଇଥିବା ସଂଖ୍ୟା ଠାରୁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ମମତା ସୂଚନା ଦେଇଥିଲେ । ମମତା ବାନାର୍ଜୀ କଟକ ବଡ଼ ଡ଼ାକ୍ତରଖାନାରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହିତ ଡ.ଶଶୀ ପଞ୍ଜା ଏବଂ ଚନ୍ଦ୍ରୀମା ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର