ଭିଡିଓ ଦେଖନ୍ତୁ: ଭଦ୍ରକରେ ସାମ୍ବାଦିକଙ୍କ କ୍ୟାମେରା ଛଡାଇ ନେଲେ ଜର୍ଦ୍ଦା ମାଫିଆ, ପୁଲିସକୁ ମଧ୍ୟ ଭୟ ନାହିଁ

ଭଦ୍ରକ: ଭଦ୍ରକରେ ଆଜି ପୁରୁଣାବଜାର ଥାନା ମିର୍ଜାପୁର ଗ୍ରାମରେ ଜର୍ଦ୍ଦା ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ନକଲି ଜର୍ଦ୍ଦା ବେପାରୀଙ୍କୁ ଗୋଡାଇ ଗୋଡାଇ ଟାଉନ ପୁଲିସ ପୁରୁଣାବଜାର ଥାନା ଅନ୍ତର୍ଗତ ହେଲାସାହି ନକଲି ଜର୍ଦ୍ଦା ତିଆରି ସ୍ଥାନକୁ ଯିବା ବେଳେ ହେଲାସାହିର କିଛି ଜର୍ଦ୍ଦା ମାଫିଆଙ୍କ ସମର୍ଥକ ଟାଉନ ପୁଲିସକୁ ଅଟକାଇବାକୁ ଉଦ୍ୟମ କରିଥିଲା। ଏଇ ଅବସ୍ଥାରେ କିଛି ସାମ୍ବାଦିକ ସେମାନଙ୍କର ଫଟୋ ଉତ୍ତୋଳନ କରୁଥିବା ବେଳେ ସାମ୍ବାଦିକମାନଙ୍କୁ ଫଟୋ ଉଠାଇଦେଇ ନଥିଲେ। ସାମ୍ବାଦିକମାନଙ୍କର କ୍ୟାମେରା ଓ ବୁମ୍‌ ଛଡାଇ ନେଇଥିଲେ। ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ପରେ ପୁଲିସ ସହାୟତାରେ ସାମ୍ବାଦିକମାନେ ସେଠାରୁ ଖସି ଆସିଥିଲେ।।

ଏଇ ଘଟଣାରେ ସଂପୃକ୍ତ ସାମ୍ବାଦିକମାନେ ଭଦ୍ରକ ପୁରୁଣାବଜାର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏଇ ଘଟଣାରେ କେଉଁମାନେ ସଂପୃକ୍ତ ରହିଛନ୍ତି, ସେମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ପୁଲିସ ଚଢାଉ ଆରମ୍ଭ କରିଛି। ତେବେ ଏଇ ଘଟଣା ପରେ ସାରା ପୁରୁଣାବଜାର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୁରୁଣାବଜାର ଅଞ୍ଚଳରେ ନକଲି ଜର୍ଦ୍ଦା ମାଫିଆ ଏଭଳି ଆତଙ୍କରାଜ ଚଳାଇବା ଘଟଣା ଏକ ନିନ୍ଦନୀୟ ଘଟଣା।

ଭଦ୍ରକ ଜିଲ୍ଲା ଏବେ ମାଫିଆଙ୍କ କବଜାରେ। ଏଠି ସାଧାରଣ ଲୋକଙ୍କର ସ୍ଥାନ ନାହିଁ। ମଦ ମାଫିଆ, ଗୋରୁ ମାଫିଆ, କୋଇଲା ମାଫିଆ ଆଉ ଜର୍ଦ୍ଦା ମାଫିଆ ଚଳାଇଛନ୍ତି ଆତଙ୍କ ରାଜ। ମାଫିଆମାନେ ଏଠି ନିଜର କଳା ସାମ୍ରାଜ୍ୟର କାୟାବିସ୍ତାର କରିଛନ୍ତି। ସେମାନଙ୍କ ଏଇ କଳା ସାମ୍ରାଜ୍ୟ ଉପରେ ଯିଏ ଆଖି ପାକାଇଲା ତାକୁ ସେମାନେ ଟାର୍ଗେଟ କରୁଛନ୍ତି।

ଭଦ୍ରକରେ ସବୁଠାରୁ ପାୱାର ଫୁଲ୍‌ ମାଫିଆ ହେଉଛନ୍ତି ମଦ ମାଫିଆ। ମଦ ମାଫିଆର କଳା ସାମ୍ରାଜ୍ୟ ଓ ତାର ବିସ୍ତାରବାଦୀ ନୀତି ପାଇଁ ସାରା ସହର ହୋଇଛି ଆତଙ୍କିତ। ଭଦ୍ରକର ମଦ ସମ୍ରାଟ ସମସ୍ତଙ୍କ ମୁହଁ ବନ୍ଦ କରିଥିବା ବେଳେ ସମସ୍ତଙ୍କୁ ଡରାଇ ରଖିଛି। ନିକଟରେ ଅବକାରୀ ଟିମ୍‌ର ଚୋରା ମଦ ଚଢାଉ ବେଳେ ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳରେ ଅବାକରୀ କର୍ମଚାରୀଙ୍କୁ ମଦ ମାଫିଆମାନେ ଅବକାରୀ ଟିମର ୮ ଜଣ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଗାଁ ଭିତରେ ଅଟକାଇ ଦେଇଥିଲେ। ବହୁ କଷ୍ଟରେ ପୁଲିସ ସହାୟତାରେ ଅବକାରୀ କର୍ମଚାରୀମାନେ ଏଇ ମାଫିଆଙ୍କ କବଳରୁ ଉଦ୍ଧାର ହୋଇଥିଲେ। ଯେଉଁଠି ମଦ ମାଫିଆଙ୍କୁ ଅବକାରୀ ଟିମ୍‌ ଡରୁଛି ପୁଲିସ ଡରୁଛି, ସେଠି ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରୁଥିବ। ଏଇ ଘଟଣାରରେ ଅବଶ୍ୟ ପରୁଣାବଜାର ପୁଲିସ ୩ ଦଫାରେ ମିର୍ଜାପୁର ଅଞ୍ଚଳରୁ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କେବଳ ମଦ ମାଫିଆଙ୍କ ଆତଙ୍କରାଜ ନୁହେଁ, ଭଦ୍ରକର ଗ୍ରାମାଞ୍ଚଳ ପୁଲିସ କୋଇଲା ମାଫିଆଙ୍କ ଉପରେ ଚଢାଉ କରିବା ବେଳେ ଇଚ୍ଛାପୁର ଅଞ୍ଚଳରେ ଜଣେ ପୁଲିସର ଇନଫର୍ମରଙ୍କ କାରକୁ ତାଙ୍କ ଘର ଆଗରେ କୋଇଲା ମାଫିଆମାନେ ପୋଡି ପାଉଁଶ କରିଦେଲେ। ଏଇ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ସେହିପରି ଭଦ୍ରକ ସହରରେ ଡ୍ରଗସ୍‌ ମାଫିଆ ବି ମାତିଛନ୍ତି। ଏମାନେ ଖୋଲମ ଖୋଲା ନିଜର ବେପାର ଚଳାଇଛନ୍ତି। ଗୋରୁ ମାଫିଆଙ୍କ ପାଇଁ ସାରା ରାତି ରାଜପଥ ଖୋଲା ପଡିଛି। ଏବେ ପୁରୁଣାବଜାରର ନକଲି ଜର୍ଦ୍ଦା ମାଫିଆଙ୍କ ଆତଙ୍କରାଜ ଚରମ ସୀମାରେ ପହଞ୍ଚିଛି। ସେମାନେ ଏବେ ପୁଲିସ ଓ ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି। ସେମାନଙ୍କ କଳା ସାମ୍ରାଜ୍ୟ ଉପରେ ଯିଏ ନଜର ପକାଇବେ ସେମାନଙ୍କୁ ଟାର୍ଗେଟ କରିବେ। ଏଭଳି ଅବସ୍ଥାରେ ଭଦ୍ରକର ସାଧାରଣ ଜନତା ଏବେପ ଆତଙ୍କିତ ହୋଇ ରହିଛନ୍ତି। ଭଦ୍ରକରେ ଏଇ ସବୁ କଳା ବେପାରୀଙ୍କୁ ସାବାଡ କରିବା ପାଇଁ ପୁଲିସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଚଢାଉ ଜୋରଦାର କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର