ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲରେ ଶହେ ଆଇସିୟୁ ଭେଣ୍ଟିଲେଟର ସୁବିଧା ଲୋକାର୍ପିତ: ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ରାଉରକେଲା : କ୍ରମବର୍ଦ୍ଧିଷ୍ଣୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ  ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଏହାର ସ୍ୱାସ୍ଥ୍ୟ ସୁବିଧାଗୁଡିକୁ ଅଧିକ ସୁଦୃଢ କରିବା ନିମନ୍ତେ ସମସ୍ତ ଆବଶ୍ୟକୀୟ ସମ୍ବଳର ଉପଯୋଗ କରୁଛି। ଏହି କ୍ରମରେ ଆରଏସପିର ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ୍ (ଏସ୍ଏସ୍ଏଚ୍) ର ପରିବର୍ଦ୍ଧିତ ଶହେ ଆଇସିୟୁ ଭେଣ୍ଟିଲେଟର ସୁବିଧାକୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ  ଅନ୍ ଲାଇନ୍ ମୋଡ୍ ମାଧ୍ୟମରେ ଲୋକାର୍ପିତ କରିଛନ୍ତି l

ଉକ୍ତ ଅନଲାଇନ ଉତ୍ସବରେ  କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ,  ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ନିଜର ମତ ରଖିଛନ୍ତିl ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ବିଧାୟକ ସାରଦା ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା ଓ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେl ସେଲ ଅଧକ୍ଷ୍ୟା ସୋମା ମଣ୍ଡଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଆଇପିଜିଆଇ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କମ୍ପ୍ଲେକ୍ସ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୧ ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ତଥା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ରାଷ୍ଟ୍ରକୁ ଉତ୍ସର୍ଗ କରାଯାଇଥିଲା। ଏଠାରେ ବହିଃ ଚିକିତ୍ସା ସେବା ଇସ୍ପାତ ଜେନେରାଲ୍ ହସ୍ପିଟାଲ୍, ଆପୋଲୋ, ଆମ୍ରି ଓ କଳିଙ୍ଗ ହସ୍ପିଟାଲର ବିଶେଷଜ୍ଞଙ୍କ ସହାୟତାରେ ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହୋଇଥିଲା। ରାଉରକେଲା ଏବଂ ଆଖପାଖର ବିଭିନ୍ନ ସ୍ଥାନ ଯଥା ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର ତଥା ଛତିଶଗଡ଼ ପରି ପଡ଼ୋଶୀ ରାଜ୍ୟର ରୋଗୀମାନେ ଏହି ଡାକ୍ତରଖାନାରୁ ଚିକିତ୍ସା ସେବା ପାଇବା ଆରମ୍ଭ କରିଥିଲେ ।

ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଏହି ଅଞ୍ଚଳରେ ଗୁରୁତର ଅସୁସ୍ଥ କୋଭିଡ ରୋଗୀଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ଘଟିବା ପରିପ୍ରେକ୍ଷୀରେ ଚିକିତ୍ସାରେ ଅମ୍ଳଜାନ ଓ ଭେଣ୍ଟିଲେଟର ସହାୟତାର ଜରୁରୀକାଳୀନ ଆବଶ୍ୟକତାକୁ ହୃଦୟଙ୍ଗମ କରି ମାନ୍ୟବର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଉକ୍ତ ଡାକ୍ତରଖାନାରେ କୋଭିଡ ଆଇସିୟୁ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ, ତ୍ଵରିତ ପଦକ୍ଷେପ ଓ କାର୍ଯ୍ୟାନ୍ବୟନ ଦ୍ଵାରା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁ ବିକଶିତ କରାଯିବା ସହିତ କାର୍ଯ୍ୟକ୍ଷମ କରାଯାଇଛି । ଏହି  ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁ ନିଶ୍ଚିତ ଭାବରେ କୋଭିଡ ରୋଗୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ବହୁ ଜୀବନ ରକ୍ଷା କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର