କଳାହାଣ୍ଡି ଜିଲ୍ଲାରେ ପୁଣି ୧୧ କରୋନା ପଜିଟିଭ୍‌ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୩

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କର ମଧ୍ୟରୁ ୧୦ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ସଂଗରୋଧ କେନ୍ଦ୍ରରେ ସେବା ଯୋଗାଉଥିଲେ। କଳାହାଣ୍ଡି ଜିଲ୍ଲାପାଳ ଡ.ଗାଭାଲି ପରାଗ ହର୍ଷଦ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ସଂଗରୋଧ କେନ୍ଦ୍ରରେ ଥିବା ଏହି ୧୦ ଜଣ ବ୍ୟକ୍ତି ନିକଟରେ ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଗଡ଼ରୁ ଆସି ସଂଗରୋଧ କେନ୍ଦ୍ରରେ ଥିଲେ। ସମସ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଜିଲ୍ଲାପାଳ କହିଛନ୍ତି ଯେ, ୧୧ ଜଣ କରୋନା ପଜିଟିଭ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଭବାନୀପାଟଣାର ସଗଡ଼ା ଓ ଲାଞ୍ଜିଗଡ଼ ବ୍ଲକର ବସନ୍ତପଡ଼ା)ରେ ଚିକିତ୍ସା ସମୟରେ କରୋନା ପଜିଟିଭ ଜଣାପଡ଼ିଥିଲେ। ୧୦ ଜଣ ପ୍ରବାସୀଙ୍କ ମଧ୍ୟରୁ ୮ ଜଣ ମହାରାଷ୍ଟ୍ର, ଜଣେ ଛତିଶଗଡ଼ ଓ ଅନ୍ୟ ଜଣେ ଗୁଜୁରାଟରୁ ଗତ ୧୪ ତାରିଖରେ ଫେରିଥିଲେ।

କଳାହାଣ୍ଡିରେ ଏ ଯାଏଁ ମୋଟ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଜିଲ୍ଲାର ପ୍ରଥମ କରୋନା ପଜିଟିଭ ବିଦେଶ ଫେରନ୍ତା ଥିଲେ। ବାହାରିନରୁ ଫେରିିଥିବା କଳାହାଣ୍ଡିର କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ଜଣେ ସ୍ଥାନୀୟ ଯୁବକ ଆକ୍ରାନ୍ତ ହୋଇଥିଲେ। ତେବେ ଜିଲ୍ଲାର ପ୍ରଥମ ୨ ଜଣ କରେନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଏବେ ୧୧ ଜଣ ସକ୍ରିୟ ଆକ୍ରନ୍ତ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ିଥିବାରୁ ଲୋକଙ୍କ ମନରେ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର