ମାଲେସିଆରେ ଫସିଛନ୍ତି ୧୧ ଓଡ଼ିଆ ଶ୍ରମିକ

ଅକଥନୀୟ ନିର୍ଯାତନା, ଖାଇବାକୁ ପଇସା ନାହିଁ

ଭୁବନେଶ୍ୱର: ମାଲେସିଆରେ ଓଡ଼ିଆ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା। ଠିକ୍‌ରେ ଗଣ୍ଡେ ଖାଇବାକୁ କି ପିଇବାକୁ ପାଣି ମୁନ୍ଦେ ମିଳୁନି। ଏକ ଛୋଟିଆ ଘରେ ୧୧ଜଣ ଶ୍ରମିକ ଏମିତି ଦୁର୍ଦଶାରେ ରହୁଛନ୍ତି। ବାହାରେ ପ୍ରବଳ ବର୍ଷା। ଘରୁ ଗୋଡ଼ କାଢ଼ି ହେଉନାହିଁ। କାମକୁ ଯାଇ ପାରୁନଥିବାରୁ ମାଲିକ ଦରମା ଦେଉନି। ପାଖରେ ଟଙ୍କା ନାହିଁ; କ’ଣ କରିବେ, କେମିତି ଚଳିବେ, ସେଇ ଚିନ୍ତାରେ ଭାଙ୍ଗି ପଡ଼ିଲେଣି। ଏଭଳି ପରିସ୍ଥିତିରେ ଠିକାଦାର କାମ କରିବାକୁ ଧମକ ଦେଉଛି। ତେଣୁ ଘରକୁ ଫେରାଇ ନେବା ପାଇଁ ଭାରତ ସରକାରଙ୍କୁ ସେମାନେ ଆକୁଳ ନିବେଦନ କରିଛନ୍ତି। ଏକ ହ୍ଵାଟସଆପ୍‌ ଭିଡିଓରେ ସେମାନେ ନିଜର ଅଙ୍ଗେନିଭା କଥା ‘ସମ୍ବାଦ’କୁ ପଠାଇଛନ୍ତି। ସେମାନେ ହେଲେ, ଖୋର୍ଧା ଜିଲ୍ଲା ବାଲୁଗାଁ, ବାଣପୁର, ଗଞ୍ଜାମର ଜିଲ୍ଲାର ୧୧ଜଣ ଯୁବକ ଆରତ ପାଢ଼ୀ, ବିଷ୍ଣୁ ନାୟକ, ଭରତ ଦଲେଇ, ରଣଜିତ୍‌ ସେଠୀ, ସ୍ମୃତି ରଂଜନ ରାୟ, ଦେବାନନ୍ଦ ଦାସ, ସାଗର ଚନ୍ଦ୍ର ସ୍ୱାଇଁ, ସୁମନ୍ତ କୁମାର ପ୍ରଧାନ, ବାବୁରାମ ସାହୁ ଓ ସୋମନାଥ ପ୍ରଧାନ ପ୍ରମୁଖ।

ଶ୍ରମିକମାନଙ୍କ କହିବା ଅନୁଯାୟୀ, ଦୁଇ ମାସ ତଳେ ବାଲୁଗାଁର ଜଗନ୍ନାଥ ପଲାଇ ନାମକ ଜଣେ ଦଲାଲ ଏହି ଯୁବକମାନଙ୍କୁ ଭୁବନେଶ୍ୱର ନୂଆପଲ୍ଲୀ ଥାନା ଅଧୀନ ବିଜୁ ପଟ୍ଟନାୟକ କଲେଜ ପାଖରେ ଥିବା ମାଷ୍ଟରମାଇଣ୍ଡ ଆଡଭରଟାଇଜିଂ ସର୍ଭିସ ସେଣ୍ଟର୍‌କୁ ଆଣିଥିଲେ। ଏଠାରେ ସମସ୍ତଙ୍କର ଇଣ୍ଟରଭ୍ୟୁ ହୋଇଥିଲା। ପରେ ସେମାନଙ୍କୁ ଚେନ୍ନାଇ ନିଆଯାଇଥିଲା। ସେଠାରେ ସେମାନଙ୍କୁ କୁହାଯାଇଥିଲା, ମାଲେସିଆରେ ଏକ କମ୍ପାନିରେ ବିଭିନ୍ନ ସେଲ୍ସ କାମରେ ନିୟୋଜିତ କରାଯିବ। ଭାରତୀୟ ମୁଦ୍ରାରେ ଦରମା ୨୦ ହଜାର ଟଙ୍କା। ଏହା ଛଡ଼ା ଓଭରଡ୍ୟୁଟି ଅଛି। ମାସକୁ ପାଖାପାଖି ୩୫ହଜାର ଟଙ୍କା ମିଳିବ। ଏଥିପାଇଁ ପ୍ରତ୍ୟେକେ କମ୍ପାନି ପାଖରେ ଏକ ଲକ୍ଷ ଟଙ୍କା ଓ ପାସପୋର୍ଟ ଜମା କରିଥିଲେ।

ସେପ୍ଟେମ୍ବର ୧୨ ତାରିଖରେ ଚେନ୍ନାଇରୁ ସମସ୍ତେ ମାଲେସିଆ ଅଭିମୁଖେ ବିମାନରେ ଯାଇଥିଲେ। କ୍ୱାଲାଲମ୍ପୁରର ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ ଏକ କାର୍‌ରେ ୩ଶହ କିମି ଦୂର କୋଉଲାଲିପ୍ସ ପାନଟେଙ୍ଗୁ ନାମକ ପାହାଡ଼ ଜଙ୍ଗଲ ଅଞ୍ଚଳକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଟ୍ରେନ୍‌ ଲାଇନ୍‌ ଖୋଳା କାମ କରିବାକୁ କୁହାଯାଇଥିଲା। ଟ୍ରେନ୍‌ ଲାଇନ୍‌ ଖୋଳିବା କାମ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତଥାପି ସେମାନେ ଦୁଇ ମାସ ହେବ କାମ କରୁଛନ୍ତି। ଯେଉଁଠି କାମ ହେଉଛି, ସେ ଜାଗାରେ ପିଇବା ପାଇଁ ପାଣି ନାହିଁ। ବର୍ଷା ହେଉଥିବାରୁ କାମ ମାସେ ହେବ ବନ୍ଦ। ଫଳରେ କମ୍ପାନି ଦରମା ଦେଉନାହ। ଘରୁ ଯେଉଁ ଟଙ୍କା ଆଣିଥିଲେ, ତାକୁ ଖର୍ଚ କରୁଛନ୍ତି। ଟଙ୍କା ବି ସରିବାକୁ ବସିଲାଣି। କ’ଣ କରିବେ କିଛି ବୁଝି ପାରୁନାହାନ୍ତି। ଏପରିକି ସେମାନେ ମାଲେସିଆରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଯୋଗାଯୋଗ କରି ପାରୁନାହାନ୍ତି। ଶେଷରେ ନିରାଶ ହୋଇ ଗଣମାଧ୍ୟମର ସହଯୋଗ ଲୋଡୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର