ଜୟପୁର: ଗତ ୧୨ତାରିଖ ମିଲ ମାଲିକ ଅପହରଣ ମାମଲାରେ ପୁଲିସ ଦୁଇ ଦିନ ମଧ୍ୟରେ ଉଦ୍ଧାର କରି ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ। ତେବେ ଏହି ମାମଲାକୁ ନେଇ ଚାଳିଥିବା ବିଭିନ୍ନ ଚର୍ଚ୍ଚାକୁ ଅନ୍ତ ଘଟାଇ ପୁଲିସ ସମଗ୍ର ଘଟଣାର ପର୍ଦ୍ଦାପାସ କରିଛି। ମାମଲାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଅଭିଜିତ୍ ଓରଫ ଜିତ୍ ମହୁରିଆଙ୍କ ସହ ପୁରା ଗ୍ୟାଙ୍ଗର ୧୩ଜଣ ସଦସ୍ୟଙ୍କୁ ଗିରଫ କରିଛି।

Advertisment

ଏହି ମାମଲାରେ ୨ଜଣ ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୩ଟି କାର, ଗୋଟିଏ ବାଇକ,  ୩ଟି ବନ୍ଧୁକ, ୧୫ଟି ଖୋକା, ୨ଟି ଖଣ୍ଡା, ୧୪ଟି ମୋବାଇଲ୍ ଫୋନ ସହ ଅପହୃତଙ୍କ ପରିବାର ଠାରୁ ନେଇଥିବା ୨୪ଲକ୍ଷ ୮୫ ହଜାର ଟଙ୍କା ଜବତ କରିଥିବା ବୋରିଗୁମ୍ମା ଏସଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି ଅଭିନବ ସୋନକର। ଗିରଫ ଅଭିଯୁକ୍ତ ମାନେ ହେଲେ ଜିତ୍ ମହୁରିଆ, ଟୁଲୁ‌ ଖୋସ୍ଲା, ରୋହିତ ସୁନା ଓରଫ ମ୍ୟାକ୍ସ, ଫିରୋଜ ନାଗ,  ସଂଜୟ ଓରଫ ସନ୍ତୋଷ ବେନିଆ, ଜୁନେଶ ଫଡାସେଠୀ, ଜିତଙ୍କ ମା’ ପ୍ରବିଣା ମହୁରିଆ, ଭଉଣୀ ମୀନାକ୍ଷୀ ମହୁରିଆ, ପତ୍ନୀ ତରନୁମ ବେଗମ୍, ରୋଶନ ବାଘ, ପ୍ରସାଦ ଖିଲ୍, ଡମୁ ନାୟକ, ରଘୁନାଥ ହରିଜନ ବୋଲି ଏସପି ସୂଚନା ଦେଇଛନ୍ତି।

ସେହିପରି ଏହି ମାମଲାରେ ଆଉ ୨ ଅଭିଯୁକ୍ତ ଫେରାର ରହିଛନ୍ତି। ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଜିତ୍ ଜୟପୁର ଟାଉନଥାନା ଅଂଚଳରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇ ଗତ ୨୦୨୩ ମସିହା ଅକ୍ଟୋବର ୨୦ତାରିଖ ଦିନ କୋର୍ଟ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇଥିଲେ। ସେଠାରେ ଅଭିଯୁକ୍ତ ଜିତ୍ ଅନ୍ୟ ମାମଲାରେ ଗିରଫ ହୋଇ ଜେଲରେ ଥିବା ସେମିଳିଗୁଡା ଥାନା ଅଂଚଳର ବିଚାରାଧୀନ ଅଭିଯୁକ୍ତ ଜୁନେଶ ପୋଡାସେଠୀ, ସଂଜୟ ଖରା, ସଂଜୟ ବେନିଆ ଆଦିଙ୍କୁ ନେଇ ନୂଆ ଗୃପ ଗଠନ କରିଥିଲେ। ତାଙ୍କ ଟିମରେ ପୂର୍ବରୁ ଥିବା ଟୁଲୁ, ରୋହିତ, ଫିରୋଜ ଆଦିବି ଏହି ଗୃପରେ ରହିଥିଲେ। ଏମାନେ ଜେଲ୍ ମଧ୍ୟରେ ଅପହରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।