ଯାଜପୁର: ଗୋପୀନାଥପୁରରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ,୧୪୪ ଧାରା ଜାରି

ଅମାନିଆଙ୍କୁ ଆକଟ ବେଳେ ବିଡିଓ, ତହସିଲଦାରଙ୍କୁ ଆକ୍ରମଣ, ଜିଲ୍ଲାପାଳଙ୍କୁ ‌ବି ଘେରିଲେ, ୩ ଯୁବକଙ୍କୁ ଉଠାଇଲା ପୁଲିସ

ଯାଜପୁର: ଅମାନିଆଙ୍କୁ ଆକଟ ବେଳେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ହୋଇଛି। ଏମିତିକି ଘଟଣାସ୍ଥଳରେ ପହଞ୍ଚିଥିବା ଜିଲ୍ଲାପାଳ ବି ଆକ୍ରୋଶରୁ ବାଦ୍‌ ପଡ଼ି ନାହାନ୍ତି। ଗାଁ ଲୋକେ ଜିଲ୍ଲାପାଳଙ୍କୁ ଘେରିଥିଲେ। ପରେ ଏସ୍‌ପି ପୁଲିସ ଫୋର୍ସ ପହଞ୍ଚି ୩ ଅମାନିଆଙ୍କୁ ଉଠାଇ ନେଇଥିଲା। ଗାଁରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଫ୍ଲାଗ୍‌ମାର୍ଚ୍ଚ କରିଛି। ଏଭଳି ଘଟଣା ଆଜି ପୂର୍ବାହ୍‌ଣରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ ‌ଘଟିଛି। ଅଟକ ଯୁବକମାନଙ୍କ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭା ସହ ଲିଙ୍କ୍‌ ରହିଥିବା ସୂଚନା ମିଳିଛି। ଗୋପୀନାଥପୁର ମୁସ୍‌ଲିମ୍‌ ସାହିରେ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍‌ଣରେ ଯାଜପୁର ଜିଲ୍ଲାପାଳ ରଞ୍ଜନକୁମାର ଦାସ ରସୁଲପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ବ ଅନୁପାଳନ ଏବଂ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲେ। ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଏବଂ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ପରିଦର୍ଶନରେ ଯାଇଥିଲେ। ଗୋପୀନାଥପୁରଠାରେ ତିନିଜଣ ଅଜଣା ଯୁବକ ଗୋଟିଏ ମୋଟରସାଇକଲ୍‌ରେ ଦ୍ରୁତ ଗତିରେ ଏବଂ ବିନା ମାସ୍କରେ ଯାଉଥିବା ଦେଖି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ନମାନି  ଗାଁ ଭିତରକୁ ପଶି ଯାଇଥିଲେ। ଗାଁ ଭିତରେ ସେମାନଙ୍କୁ ଅଟକାଇ ତାଗିଦ୍‌ କରିଥିଲେ। ସେତେବେଳକୁ ଜିଲ୍ଲାପାଳଙ୍କ ଗାଡ଼ି ସାମାନ୍ୟ ଆଗକୁ ଚାଲିଯାଇଥିଲା। ପ୍ରାୟ ୫୦ରୁ୬୦ଜଣ ବ୍ୟକ୍ତି  ବିଡିଓ ଏବଂ ତହସିଲଦାରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତହସିଲଦାର ଓ ବିଡିଓ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ସେ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଥିବା ବେଳେ ‌ଲୋକେ ତାଙ୍କୁ ମଧ୍ୟ ଘେରିଯାଇଥିଲେ। ପରିସ୍ଥିତି ହାତରୁ ଖସିଯାଉଥିବା ଦେଖି ଜିଲ୍ଲାପାଳ ଶ୍ରୀଦାସ ଏସ୍‌ପି ଚରଣସିଂହ ମୀନାଙ୍କୁ ଜଣାଇଥିଲେ। ପୁଲିସ ଫୋର୍ସ ସହିତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିବାରୁ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଅମାନିଆ ତିନି ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିଛି। ଅଟକ ଯୁବକମାନେ ହେଲେ ପି ଅବଦୁଲ ଖାଁଙ୍କ ପୁଅ ରାଜନ ଖାଁ ,ପରବେଜ ଖାଁ ଏବଂ ଅବଦୁଲ ସଲାମଙ୍କ ପୁଅ ସୋଫିଆନ ରାଜ ଖାଁ। ଜେରା କରିବା ବେଳେ ସେମାନଙ୍କର ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ୍ ଥିବା ପୁଲିସ ଜାଣିବାକୁ ପାଇଛି। ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧୀର କହିଛନ୍ତି।

କରୋନା ସଂକ୍ରମଣ ପାଇଁ ସାରା ବିଶ୍ବ ବିଚଳିତ ଥିବା ବେଳେ ବହୁ କଟକଣା ଜାରି କରାଯାଇଛି। ସମସ୍ତଙ୍କୁ ଘରେ ରହିବା, ପଦାକୁ ବାହାରିଲେ ମାସ୍କ ବ୍ୟବହାର କରିବା ଏବଂ ଗାଡ଼ି ନେଇ ପଦାକୁ ନଯିବାକୁ ପରାମର୍ଶ ଦିଆଯାଇଥିଲେ ହେଁ କେତେକ ଅମାନିଆ ଏହାକୁ ନମାନି ଅଯଥା ଅସୁବିଧା ସୃଷ୍ଟି କରୁଛନ୍ତି। ଗୋପୀନାଥପୁର ବଡ଼କଇଁଚିରେ ଆଜି ଘଟିଥିବା ବିଶୃଙ୍ଖଳିତ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ପରିତାପର ବିଷୟ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର