ଓଡ଼ିଶାରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୭୯୩ ନୂଆ ଆକ୍ରାନ୍ତ, ୧୮ ମୃତ

ଭୁବନେଶ୍ୱର :  ଓଡ଼ିଶାରେ ଗତ କିଛି ଦିନ ହେଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୯୩ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୭୬୨ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୦୩୧ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

 

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୭୯୩ ଟି ନୂଆ ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଟି ଓ କଟକ ଜିଲ୍ଲାରୁ ୧୬୦ ଟି ମାମଲା ରହିଛି ।  ସେହିପରି ପୁରୀରୁ ୮୨ଟି, ଜଗତସିଂହପୁରରୁ ୫୨, ବରଗଡ଼ରୁ ୬୧, ବାଲେଶ୍ୱରରୁ ୪୦ଟି, ଅନୁଗୁଳରୁ ୧୦୭ଟି, ମୟୁରଭଞ୍ଜରୁ ୧୦୪, ଝାରସୁଗୁଡ଼ାରୁ ୫୩, ନୂଆପଡ଼ାରୁ ୮୪, ସମ୍ବଲପୁରରୁ ୪୦, ବଲାଙ୍ଗୀରରୁ ୭୬ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୬୩ ଟି, ନବରଂଗପୁରରୁ ୬୫ଟି, କୋରାପୁଟରୁ ୩୪ଟି, ରାୟଗଡ଼ାରୁ ୧୪ଟି, ସୋନପୁରରୁ ୮ଟି, ଭଦ୍ରକରୁ  ୬୮ଟି, ନୟାଗଡ଼ରୁ ୩୪ଟି,  ମାଲକାନଗିରିରୁ ୩୪, କଳାହାଣ୍ଡିରୁ ୪୫ଟି,  ସୁନ୍ଦରଗଡ଼ରୁ ୯୯ଟି,  ଢେଙ୍କାନାଳରୁ ୨୨ଟି  ଏବଂ ରାଜ୍ୟ ପୁଲରୁ ୪୪ଟି ମାମଲା ଚିହ୍ନଟ ହୋଇଛି ।

୧୭୯୩ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୯୫୭୯ ଥିବାବେଳେ ୨୫୭୦୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୨୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୨୪୦୨୪୧ ଟି କରୋନା ପରୀକ୍ଷା କରାଯାଇଛି ।

 

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୮ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୧୪ରେ ପହଞ୍ଚିଛି । ଅନୁଗୁଳ, ଗଜପତି ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ଢେଙ୍କାନାଳ, ଭଦ୍ରକ, ମାଲକାନଗିରି,ନବରଙ୍ଗପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର