ହାଇଦ୍ରାବାଦ: ଆଜି ପ୍ରତ୍ୟୁଷରେ ତେଲେଙ୍ଗାନାର ରଙ୍ଗ ରେଡ୍ଡୀ ଜିଲ୍ଲାରେ ଗୋଟାଏ କଣ୍ଟେନର୍ ଟ୍ରକ୍ ଅନ୍ୟ ଗୋଟାଏ ଗାଡ଼ି ସହ ଧକ୍କାଖାଇ ନିଆଁ ଲାଗିଯିବାରୁ ଏହାର (କଣ୍ଟେନର୍ ଟ୍ରକ୍) ଡ୍ରାଇଭର୍ ଓ କ୍ଲିନର୍ଙ୍କର ମୃତ୍ୟୁ ଘଟିଛି।
ପାହାନ୍ତା ପ୍ରାୟ ୪.୩୦ ସମୟରେ ହାଇଦ୍ରାବାଦ ଉପକଣ୍ଠ ହିମାୟତସାଗର ଗାଁ ନିକଟ ‘ଆଉଟର୍ ରିଙ୍ଗ୍ ରୋଡ୍ ଏକ୍ସପ୍ରେସ୍େଓ୍ଵ’ରେ ଏହି ଦୁର୍ଘଟଣା ଘଟିଛି। ମୃତ ଡ୍ରାଇଭର୍ ହେଉଛନ୍ତି ଉତ୍ତର ପ୍ରଦେଶର ସୂର୍ଯ୍ୟ କୁମାର ଏବଂ କ୍ଲିନର୍ ହେଉଛନ୍ତି ମହାରାଷ୍ଟ୍ର ଅନ୍ତର୍ଗତ ଥାନେ ନିବାସୀ ମୃତ୍ୟୁଞ୍ଜୟ।
ରାଜେନ୍ଦ୍ର ନଗର ପୁଲିସ୍ ଇନ୍ସ୍ପେକ୍ଟର୍ କେ କନକୈୟା କହିଛନ୍ତି, ମୃତ ବ୍ୟକ୍ତିମାନଙ୍କର ସଠିକ ବୟସ ଏବେ ଆକଳନ କରାଯାଇ ପାରିନାହିଁ। କଣ୍ଟେନର୍ଟି ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପାଲାକୋଲେର ଚିଙ୍ଗୁଡ଼ି ରପ୍ତାନିକାରୀ ରାଇ ଉମା ମହେଶ୍ୱର ନାମକ ଜଣେ ବ୍ୟକ୍ତିଙ୍କର ମାଲିକାନାରେ ରହିଛି।
ବିପୁଳ ପରିମାଣର ଚିଙ୍ଗୁଡ଼ି ନେଇ ଟ୍ରକ୍ଟି ଦ୍ରୁତ ବେଗରେ ରାସ୍ତାରେ ଗତି କରୁଥିବା ବେଳେ ହିମାୟତ୍ସାଗର ଏକ୍ଜିଟ୍ ରୋଡ୍ ନିକଟରେ ଅନ୍ୟ ଏକ ଟ୍ରକ୍ରେ ଧକ୍କା ଖାଇଥିଲା। ଧକ୍କା ଖାଇବା ଯୋଗୁଁ କଣ୍ଟେନର୍ ଟ୍ରକ୍ର ଡ୍ରାଇଭର୍ କ୍ୟାବିନ୍ରେ ନିଆଁ ଲାଗି ସମଗ୍ର ଟ୍ରକ୍ରେ ନିଆଁ ବ୍ୟାପି ଯାଇଥିଲା।
ଘଟଣାସ୍ଥଳରେ ପୁଲିସ ଓ ଦମକଳ ପହଞ୍ଚିବା ପୂର୍ବରୁ ହିଁ ଡ୍ରାଇଭର୍ ଓ କ୍ଲିନର୍ଙ୍କର ମୃତ୍ୟୁ ଘଟିଥିଲା।