କଟକରେ ପୁଣି ଡରାଇଲାଣି କରୋନା: ରେଭେନ୍ସା ବିଶ୍ବବିଦ୍ୟାଳୟରୁ ୨ଜଣ ସଂକ୍ରମିତ ଚିହ୍ନଟ, ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ

କଟକ: କଟକ ମହାନଗର ଅଞ୍ଚଳରେ ପୁଣି ଉପରମୁହାଁ ହେଲାଣି କରୋନା। ରେଭେନ୍ସା ବିଶ୍ବବିଦ୍ୟାଳୟରୁ ୨ଜଣ ସଂକ୍ରମିତି ଚିହ୍ନଟ ହୋଇଛନ୍ତି। ଏହାପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି। ଦୁଇ ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ ।
ସେପଟେ, ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ । ତେଣୁ ସେମାନଙ୍କ ସହ ମିଶିଥିବା ସହପାଠୀ ଆଶଙ୍କା ମଧ୍ୟରେ ଅଛନ୍ତି । କିଛି ଦିନ ତଳେ ଜଣେ ଅଧ୍ୟାପିକା ବି କରୋନା ସଂକ୍ରମିତ ହୋଇଥିଲେ।

ଚଳିତ ମାସର ୨୪ ଦିନ ମଧ୍ୟରେ କେବଳ ୨ ତାରିଖ, ୫ ତାରିଖ ଓ ୮ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ଅନ୍ୟ ସବୁ ଦିନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ଲୋକ କଟକ ବାହାରୁ ଆସିଛନ୍ତି। ଏବେ ନିଗମ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯଉଛି। ନିଗମରେ ରାପିଡ ରେସ୍‌ପନ୍ସ ଟିମ ଓ କଣ୍ଟ୍ରୋଲ ରୁମକୁ ଅଧିକ ଆକ୍ଟିଭ୍‌ କରାଯାଇଛି। ଆସନ୍ତା ଦିନରେ କୋଭିଡ ନିୟମକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ୨୪ ତାରିଖ ସୁଦ୍ଧା ମୋଟ ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଗତ ୭ ଦିନ ମଧ୍ୟରେ ୧୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଅଧିକ ସଂଖ୍ୟା‌ରେ ସଂକ୍ରମିତ ଚିହ୍ନଟ ହେବା ଘଟଣା ପ୍ରଶାସନର ଚିନ୍ତା ବଢାଇଛି। କିନ୍ତୁ ଏଭଳି ସ୍ଥିତିରେ ମାସ୍କ, ସାମାଜିକ ଦୂରତ୍ବ ନିୟମ ସଂପୂର୍ଣ୍ଣ ଢିଲା ପଡି ଯାଇଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲେ ବି ଏ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡିଥିବା ମତ ପ୍ରକାଶ ପାଇଛି।

ଚଳିତ ମାସ ପ୍ରଥମ ସପ୍ତାହରେ କଟକ ମହାନଗର ଅଞ୍ଚଳରୁ ମାତ୍ର ୯ ଜଣ ଆକ୍ରାନ୍ତ ବାହାରିଥିଲେ। କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ଅର୍ଥାତ ମାର୍ଚ୍ଚ ୧୮ରୁ ୨୪ ତାରିଖ ମଧ୍ୟରେ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ୩୨ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୮୦ ଜଣ ହୋମ କ୍ବାରାଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସହରର ୨ଟି ଘରୋଇ ଓ ଗୋଟିଏ ସରକାରୀ ଶିକ୍ଷା ଅନୁଷ୍ଠାନର ୪୪ ଜଣ। ଅରୁଣୋଦୟ ନଗରସ୍ଥିତ ଘରୋଇ କଲେଜରୁ ୨୫ ଓ ତାଳଦଣ୍ଡା କେନାଲ ପାର୍ଶ୍ବରେ ଥିବା ଘରୋଇ ଶିକ୍ଷା ଅନୁଷ୍ଠାନରୁ ୧୭ ଆକ୍ରାନ୍ତ ବାହାରିଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ୨ଜଣ ସଂକ୍ରମିତି ଚିହ୍ନଟ ହୋଇଛନ୍ତି।

 

ସମ୍ବନ୍ଧିତ ଖବର