ରାମ ମନ୍ଦିର ଟ୍ରଷ୍ଟ୍‌ ଜମି କିଣା ଦୁର୍ନୀତି: ୨ କୋଟିରେ କିଣା ଜମିକୁ ଅଳ୍ପ କେତେ ମିନିଟ୍‌ ପରେ ୧୮ କୋଟି ଟଙ୍କାରେ କିଣିଛି ଟ୍ରଷ୍ଟ୍‌!

ଲକ୍ଷ୍ନୌ: ଜଣେ ବ୍ୟକ୍ତିଙ୍କ ଠାରୁ ୨ କୋଟି ଟଙ୍କାରେ ଖରିଦ କରିଥିବା ଜମିକୁ ‘ଦୁଇଜଣ ରିୟଲ୍‌ ଇଷ୍ଟେଟ୍‌ ଡିଲର୍‌’ ଅଳ୍ପ କେତେ ମିନିଟ୍‌ ପରେ ‘ରାମ ମନ୍ଦିର ଟ୍ରଷ୍ଟ୍‌’କୁ ୧୮.୫ କୋଟି ଟଙ୍କାରେ ବିକ୍ରୟ କରିଥିବା କଥା ରବିବାର ଦିନ ସମାଜବାଦୀ ପାର୍ଟି ଏବଂ ଆମ୍ ଆଦ୍‌ମି ପାର୍ଟି ଦାବି କରିଛନ୍ତି।

କିନ୍ତୁ, ଏହା ଭିତ୍ତିହୀନ କହି ‘ରାମ ମନ୍ଦିର ଟ୍ରଷ୍ଟ୍‌’ ଏହି ଅଭିଯୋଗକୁ ଅସ୍ବୀକାର କରିଛି। ଏହି ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ମଧ୍ୟ ଦେବା ପାଇଁ ଟ୍ରଷ୍ଟ୍ ମନା କରିଛି। ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ର ସଚିବ ତଥା ‘ଭିଏଚ୍‌ପି’ ନେତା ଚମ୍ପତ ରାୟ କହିଛନ୍ତି, ଶତାଧିକ ବର୍ଷ ହେବ ଆମ ଉପରେ ସବୁ ପ୍ରକାରର ଅଭିଯୋଗ ହୋଇ ଆସୁଛି। ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବା ଘଟଣାରେ କେତେକ ମଧ୍ୟ ଆମକୁ ନିନ୍ଦା କରୁଛନ୍ତି। ଏଭଳି ଅଭିଯୋଗ ପ୍ରସଙ୍ଗରେ ଆମେ ବିବ୍ରତ ନୋହୁଁ। ଆପଣମାନେ ମଧ୍ୟ ବିବ୍ରତ ନ ହେବା ଉଚିତ।

Image Courtesy of Malayala Manorama

ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟଙ୍କ ରାୟ ଅନୁସାରେ, ମନ୍ଦିର ନିର୍ମାଣ କାର୍ଯ୍ୟର ତତ୍ତ୍ବାବଧାନ ନିମନ୍ତେ ‌୨୦୨୦ ଫେବ୍ରୁଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଗଠନ କରିଥିଲେ। ରାୟରେ ରାମ ମନ୍ଦିର ପରିସର ଲାଗି ୭୦ ଏକର ଜମି ପ୍ରଦାନ କରାଯାଇଥିଲା ଏବଂ ଟ୍ରଷ୍ଟ୍‌ର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ୧୨ଜଣଙ୍କୁ ମନୋନୀତ କରିଥିଲେ କେନ୍ଦ୍ର ସରକାର।

ରବିବାର ଦିନ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ଉତ୍ତର ପ୍ରଦେଶର ମନ୍ତ୍ରୀ ପବନ ପାଣ୍ଡେ ଅଯୋଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସ୍ଥାନୀୟ ବିଜେପି ନେତା ଏବଂ ଟ୍ରଷ୍ଟ୍‌ ସଦସ୍ୟମାନେ ଜମିକିଣାରେ ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ। ରାମ ଜନ୍ମଭୂମି ନିକଟରେ ଥିବା ଜମି ଖଣ୍ଡିକୁ ବହୁଗୁଣ ଚଢ଼ା ଦରରେ ଖରିଦ କରାଯାଇଥିବାର କେତେକ କାଗଜପତ୍ର ମଧ୍ୟ ସେ ଦେଖାଇଥିଲେ। ସେ କହିଥିଲେ କି, ମାତ୍ର କେଇ ମିନିଟ୍‌ ମଧ୍ୟରେ ୨ କୋଟି ଟଙ୍କାର ସମ୍ପତ୍ତି ୧୮ କୋଟି ଟଙ୍କାରୁ ଅଧିକ ହୋଇଗଲା କାହିଁକି? ଏହାର ଅର୍ଥ ୧୬.୫ କ‌ୋଟି ଟଙ୍କା ହଡ଼ପ ହୋଇଛି। ଏହାର ‘ସିବିଆଇ’ ତଦନ୍ତ ଆବଶ୍ୟକ।

ସେହିଭଳି, ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ‘ଆପ୍‌’ ନେତା ତଥା ରାଜ୍ୟସଭା ସଦସ୍ୟ ସଂଜୟ ସିଂହ ମଧ୍ୟ ଅଭିଯୋଗ କରିଥିଲେ ଯେ, ପ୍ରଭୁ ରାମଙ୍କ ନାମରେ ଦୁର୍ନୀତି କରାଯିବ ବୋଲି କେହି କଳ୍ପନା କରି ନ ଥିବେ। କିନ୍ତୁ, କୋଟି କୋଟି ଟଙ୍କା ଆତ୍ମସାତ୍ ହୋଇ ଥିବା ଏହି ଦଲିଲ୍‌ରୁ ଜଣାପଡୁଛି।

ସମ୍ବନ୍ଧିତ ଖବର