ଜାଣନ୍ତୁ,୨୧ ଦିନିଆ ଲକଡାଉନ୍ ସମ୍ବନ୍ଧରେ ଗୃହବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନ୍

ନୂଆଦିଲ୍ଲୀ: ସମଗ୍ର ଦେଶରେ ୨୧ ଦିନିଆ ଲକଡାଉନ୍ ଘୋଷିତ ହେବା ପରେ ଗୃହମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି । ଏଥିରେ କୁହାଯାଇଛି ଯେ ଖାଦ୍ୟ, ତେଜରାତି, ଦୁଗ୍ଧଜାତ ପଦାର୍ଥ ଓ ଦୁଗ୍ଧ, ମାଂସ, ମାଛ ଏବଂ ପ୍ରାଣୀଖାଦ୍ୟ ଦୋକାନ, ବ୍ୟାଙ୍କ୍/ଏଟିଏମ୍, ପେଟ୍ରୋଲ୍ ପମ୍ପ୍, ଡାକ୍ତରଖାନା ଏବଂ ଡାକ୍ତରୀ ପ୍ରତିଷ୍ଠାନ ଆଦି ଲକଡାଉନରୁ ବାଦ ପଡ଼ିବେ । ଅର୍ଥାତ୍ ଏସବୁ ପ୍ରତିଷ୍ଠାନ ଖୋଲା ରହିବ ।

କିନ୍ତୁ, ଘର ବାହାରେ ଲୋକମାନଙ୍କର ଚଳପ୍ରଚଳ କମାଇବାକୁ ଜିଲ୍ଲା କର୍ତ୍ତୃପକ୍ଷ ଚାହିଁଲେ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଜନସାଧାରଣଙ୍କ ଘରେ ପହଞ୍ଚାଇ ଦେବାର ବନ୍ଦୋବସ୍ତ କରିପାରିବେ ।

ଲକଡାଉନ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅଧୀନରେ ଥିବା ୫୧ ରୁ ୬୦ ଧାରା ଏବଂ ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ ଅମାନ୍ୟ କଲେ ଜରିମାନା ସହ ୧ ବର୍ଷରୁ ୨ ବର୍ଷ ଯାଏଁ ଜେଲ୍ ଦଣ୍ଡ ଭୋଗିବେ । ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮ ଅମାନ୍ୟ କଲେ ଏକ ମାସ ଜେଲ୍ କିଂବା ୨୦୦ ଟଙ୍କା ଜରିମାନା ଦେବେ । ଏହି ଆଇନ ଉଲ୍ଲଂଘନ କରିବା ଦ୍ୱରା ଯଦି ମଣିଷ ଜୀବନ ବା ସ୍ୱାସ୍ଥ୍ୟ ବିପଦଗ୍ରସ୍ତ ହେଉଥାଏ ତେବେ, ୬ମାସ ଜେଲ୍ ବା ୧୦୦୦ ଟଙ୍କା ଜରିମାନା ପଡ଼ିବ ।

ଏହାଛଡ଼ା ଲକଡାଉନ୍ ସମୟରେ ଟେଲିକମ୍ ଓ ଇଣ୍ଟର୍ନେଟ୍ ସେବା, ପ୍ରିଣ୍ଟ୍ ଓ ଇଲେକଟ୍ରୋନିକ୍ ମିଡିଆ ଏବଂ କେବଲ/ଡିଟିଏଚ୍ ସେବା କାର୍ଯ୍ୟ କରିବ । ଇ-କମର୍ସ ସାଇଟମାନେ ଖାଦ୍ୟ, ଔଷଧ ଏବଂ ଡାକ୍ତରୀ ଉପକରଣ ଡେଲିଭରି ଦେଇପାରିବେ । ଘରୋଇ ସିକୁ୍ୟରିଟି ଗାର୍ଡମାନେ ମଧ୍ୟ ଲକଡାଉନ୍ ସମୟରେ ଡିୟୁଟି କରିପାରିବେ ।

Image Source: huffpost India

ପ୍ରତିରକ୍ଷା, କେନ୍ଦ୍ରୀୟ ପାରାମିଲିଟାରି ବଳ, ବିପର୍ଯ୍ୟୟ ପରିଚାଳନା, ଶକ୍ତି ଉତ୍ପାଦନ ଏବଂ ପ୍ରସାରଣ ୟୁନିଟ୍ ଏବଂ ପୋଷ୍ଟ୍ ଅଫିସ୍ ଛଡ଼ା ଅନ୍ୟ ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସେହିଭଳି ପୁଲିସ, ହୋମ୍ ଗାର୍ଡ, ସିଭିଲ୍ ଡିଫେନ୍ସ୍, ଫାୟାର୍ ଏବଂ ଏନର୍ଜି ସେବା, ଜେଲ୍, ଜିଲ୍ଲା ପ୍ରଶାସନ, ବିଜୁଳି, ଜଳଯୋଗାଣ ଓ ଜନସ୍ୱାସ୍ଥ୍ୟ ଆଦି କାର୍ଯ୍ୟାଳୟ ଛଡ଼ା ବାକି ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ପୌରସଂସ୍ଥା ଖୋଲା ରହିବ କିନ୍ତୁ, ପରିଚ୍ଛନ୍ନତା ପାଇଁ ଯେତିକି କର୍ମଚାରୀ ଲୋଡ଼ା ସେତିକି କର୍ମଚାରୀ ରହିବେ ।

ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା ଛଡ଼ା ବାକି ସବୁ ଶିଳ୍ପସଂସ୍ଥାନ ବନ୍ଦ ରହିବ । ଜଳ, ସ୍ଥଳ ଓ ଆକାଶ ପରିବହନ ଆଗାମୀ ୨୧ ଦିନଯାଏଁ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନ, ଅଗ୍ନିଶମ ଯାନ, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଆବଶ୍ୟକ ଯାନ ଏବଂ ଜରୁରୀକାଳୀନ ସେବା ନିମନ୍ତେ ଆବଶ୍ୟକ ଯାନ ଚଳାଚଳ କରିବ ।

ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ ଏବଂ ସାଂସ୍କୃତିକ ସମାରୋହ ନିଷେଧ କରାଯାଇଛି । ଶବସଂସ୍କାର ପାଇଁ ଅନୁମତି ରହିଛି କିନ୍ତୁ, ଏଥିରେ ୨୦ରୁ ଅଧିକ ବ୍ୟକ୍ତି ଯୋଗ ଦେଇ ପାରିବେ ନାହିଁ ।

ଏହାଛଡ଼ା ଲକଡାଉନ୍ ସମୟରେ ଏକ ୨୪ଘଣ୍ଟିଆ ହେଲପଲାଇନ୍ ନମ୍ବର ଜାରି କରାଯିବ ।

ସମ୍ବନ୍ଧିତ ଖବର