କରୋନା ଆକ୍ର‌ାନ୍ତ ସାଧାରଣ ଡାକ୍ତରଖାନାକୁ ଗଲେ ସଂକ୍ରମଣ ବ୍ୟାପିବ‌ା ଆଶଙ୍କା ବଢ଼ିବ, ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଏଥିପାଇଁ ଜରୁରୀ : ସୁରେଶ ମହାପାତ୍ର

ରାଜ୍ୟରେ ୩୫ଟି କୋଭିଡ-୧୯ ହସ୍ପିଟାଲ, ଏପର୍ଯ୍ୟନ୍ତ ୨୪ଟି କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମତି ବ୍ୟକ୍ତି ଚିହ୍ନଟ ହୋଇ ନାହାନ୍ତି, ସେଠାରେ ମଧ୍ୟ କୋଭିଡ ହସ୍ପିଟାଲ ନିର୍ମାଣ ଚାଲିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଆଗୁଆ ପଦକ୍ଷେପ ନେଇଛନ୍ତି । କାରାଣ ରାଜ୍ୟ ବାହାରେ ହେଉ ଅଥବା ଅନ୍ୟ ଦେଶରେ ହେଉ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସାଧାରଣ ହସ୍ପିଟାଲାରେ ରଖାଯାଇଥିବାରୁ ସେଠାରେ ଏବେ ପରିସ୍ଥିତି ଅଣାୟତ୍ତ ହୋଇଛି । ତାହାକୁ ବିଚାରକୁ ନିଆଯାଇ ରାଜ୍ୟର ପ୍ରତି ଜିଲ୍ଲାରେ ସ୍ବତନ୍ତ୍ର କୋହିଡ୍ ହସ୍ପିଟାଲ ନିର୍ମାଣ କରାଯାଉଛି। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ସୁରେଶ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି, ଆମ ରାଜ୍ୟରେ ମଧ୍ୟ ବଡ଼ ବଡ଼ ହସ୍ପିଟାଲ ଅଛି । କିନ୍ତୁ ସେଠାରେ ଯଦି କରୋନା ସଂକ୍ରମିତ ରୋଗୀଙ୍କୁ ଭର୍ତ୍ତି କରାଯାଇଥାନ୍ତା, ତା’ହେଲେ ଏବେ ପରିସ୍ଥିତି ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନଥାନ୍ତା ।

ଉନ୍ନୟନ କମିସନର ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟରେ ମୋଟ ୩୫ଟି କୋଭିଡ-୧୯ ହସ୍ପିଟାଲ ନିର୍ମାଣ ଚାଲିଛି । ସେଥିରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୨୪ଟି କାର୍ଯ୍ୟକ୍ଷମ ହୋଇସାରିଛି । ବାକି ୧୧ଟି କୋଭିଡ-୧୯ ହସ୍ପିଟାଲ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ମୋଟ ୫ ହଜାର ୮ ଶହ ୨୧ଟି ଶଯ୍ୟା ପ୍ରସ୍ତୁତ ହେବ । ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ୩୯୫୧ ଶଯ୍ୟା ଓ ୨୯୩ଟି ଆଇସିୟୁ ପ୍ରସ୍ତୁତ ହୋଇ ସାରିଛି । ଅନ୍ୟ ୧୧ଟି କୋଭିଡ ହସ୍ପିଟାଲରେ ୧୮୭୦ ଶଯ୍ୟା ଓ ୭୩ଟି ଆଇସିୟୁ ରହିବ ।

ବର୍ତ୍ତମାନ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ଏବେ କୌଣସି ଲକ୍ଷଣ ନାହିଁ । ସେମାନେ ସୁସ୍ଥ ଅଛନ୍ତି । କୋଭିଡ ହସ୍ପିଟାଲରୁ ଭଲ ହୋଇଯିବା ପରେ ଏମାନଙ୍କୁ ସେମାନଙ୍କର ଜିଲ୍ଲାକୁ ପଠାଇ ଦିଆଯିବ । କୋଭିଡ ହସ୍ପିଟାଲ ନିର୍ମାଣରେ ଜିଲ୍ଲାପାଳ, ଇଞ୍ଜିନିୟର, ଘରୋଇ ହସ୍ପିଟାଲମାନେ ସହଯୋଗ କରିଛନ୍ତି । କର୍ପୋରେଟ ସଂସ୍ଥାମାନଙ୍କ ଯୋଗଦାନ ସ୍ମରଣୀୟ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଉନ୍ନୟନ କମିସନର କହିଛନ୍ତି, ରାଜ୍ୟରେ କରୋନା ଭାଇରସ ନିୟନ୍ତ୍ରଣରେ ଅଛି । ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ଲକଡାଉନକୁ ଲୋକେ ପାଳନ କରିବେ ବୋଲି ମୋର ଆଶା । ଆମେ ୬୦ ଜଣ କରୋନା ପଜିଟିଭ ଚିହ୍ନଟ କରିଛୁ । ଏହା ପରେ ଆମର ଟେଷ୍ଟିଂ ସୁବିଧା ବଢ଼ିଛି । ଦିନକୁ ୧୨ ଶହରୁ ୧୩ ଶହ ଟେଷ୍ଠିଂ ହୋଇପାରୁଛି । ଆଗାମୀ ଦିନରେ ଏହା ଆହୁରି ବଢ଼ିବ । ଜିଲ୍ଲାସ୍ତରରେ ଟେଷ୍ଟିଂ ହେବ । ବସ୍ତି, ପନିପରିବା ଦେକାନରେ କାମ କରୁଥିବା ଲୋକଙ୍କୁ ମଧ୍ୟ ନମୁନା ପରୀକ୍ଷା କରାଯିବ । ଆଜିର ପରିସ୍ଥିତିରେ ଟେଷ୍ଟିଂ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାବାସୀ ଏକ ମାସ ଧରି ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି । ବୟସ୍କ ଓ ପିଲାଙ୍କ ଠାରୁ ଘରେ ବି ଦୂରେଇ ରୁହନ୍ତୁ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ଆମର ଲକ୍ଷ୍ୟ ଯେତେ ଶୀଘ୍ର କରୋନାକୁ ନିୟନ୍ତ୍ରଣ କରିପାରିବା, ସେତିକି ଭଲ । ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଆମେ ଯଦିଓ ଭଲ ସ୍ଥିତିରେ ଅଛୁ । ତଥାପି ଆମେ ଖୁସି ହୋଇ ବାହାରକୁ ଯିବା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ପାଳନ କରି ଆମେ ନିଜକୁ ପରିଚାଳିତ କଲେ ଭଲ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର