କଟକ: କରୋନା ରୋଗୀ କିମ୍ବା କରୋନା ସନ୍ଦିଗ୍ଧଙ୍କ ପାଇଁ ଦିଆଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ଯେହେତୁ ଏମାନଙ୍କ ପାଇଁ ଭିଟାମିନ୍ ଓ ପୁଷ୍ଟିସାରଯୁକ୍ତ ଖାଦ୍ୟର ନିହାତି ଆବଶ୍ୟକତା ରହିଛି। ସେଥିପାଇଁ ଗୁଣାତ୍ମକ ମାନର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ଏସ୍ସିବି ମେଡିକାଲ୍ର କୋଭିଡ୍ ରୋଗୀଙ୍କ ପାଇଁ ସବୁଥର ପରି ଏଥର ମଧ୍ୟ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି। ଏଠାରୋ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ ଦିନକୁ ୨୪୦ ଟଙ୍କାରେ ସ୍ବାଦିଷ୍ଟ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଥିବା ସୂଚନା ଦିଆଯାଇଛି। ସୋମବାର ଏହା ଉପରେ ଏସ୍ସିବି ଅଧ୍ୟକ୍ଷ ଏକ ବୈଠକ ଡକାଇଥିଲାବେଳେ ସୁଷମ ଓ ପୃଷ୍ଟିକର ଖାଦ୍ୟ ଯୋଗାଣ ଉପରେ ଗୁରୁତ୍ବାରୋପ କରାଯାଇଛି।
ରୋଗୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ୨୪୦ ଟଙ୍କାରେ ଦିନକୁ ତିନି ଥର ଖାଦ୍ୟ ସହ ସନ୍ଧ୍ୟା ସମୟରେ ଚା' ବିସ୍କୁଟ ଖାଇବାକୁ ଦିଆଯାଉଛି। ଏଥିସହିତ ତିନୋଟି ପାଣି ବୋତଲ ମଧ୍ୟ ଯୋଗାଇ ଦିଆଯାଉଛି। ପ୍ରାତଃ ଭୋଜନରେ ଇଡ୍ଲି, ଘୁଘୁନି, ବରା, ପୁରୀ, ତରକାରୀ କିମ୍ବା ଉପମା ଇତ୍ୟାଦି ଦିଆଯାଉଛି। ପ୍ରତ୍ୟେକ ଦିନ ପ୍ରାତଃଭୋଜନରେ ଗୋଟିଏ ଲେଖାଏଁ ମିଠା ଖାଇବାକୁ ଦିଆଯାଉଛି। ମଧ୍ୟାହ୍ନଭୋଜନରେ ୩ରୁ ୪ପ୍ରକାରର ତରକାରୀ ସହ ଭାତ, ଡାଲି, ରୁଟି କିମ୍ବା ପରଟା ଦିଆଯାଉଛି। ତରକାରୀ ଭିତରେ, ପନିର, ସୋୟାବିନ୍ ଇତ୍ୟାଦି ରହୁଥିବାବେଳେ ସପ୍ତାହରେ ୫ଦିନ ଆମିଷ ଖାଇବାକୁ ଦିଆଯାଉଛି। ଆମିଷରେ ଚିକେନ, ଅଣ୍ଡା, ମାଛ ଇତ୍ୟାଦି ରଖାଯାଇଛି। ଯେଉଁଦିନ ଆମିଷ ଦିଆଯାଉଛି ସେଦିନ ଉଭୟ ମଧ୍ୟାହ୍ନଭୋଜନ ଓ ରାତ୍ରିଭୋଜନରେ ଆମିଷ ଖାଦ୍ୟ ରଖାଯାଉଛି। ସେହିପରି ରାତ୍ରିଭୋଜନରେ ମଧ୍ୟ ପାଖାପାଖି ସମାନ ଧରଣର ଖାଦ୍ୟ ଯୋଗାଇ ଦିଆଯାଉଛି। ରାତ୍ରିଭୋଜନରେ ଖିରିକୁ ଅତିରିକ୍ତ ଭାବେ ଯୋଡ଼ାଯାଇଛି। ଏହାବାଦ୍ ଗୁଣାତ୍ମକ ମାନର ବାସୁମତୀ ଚାଉଳର ଭାତ ଖାଇବାକୁ ଦିଆଯାଉଛି।
ଖାଦ୍ୟର ଗୁଣବତ୍ତା ରକ୍ଷା କରିବା ପାଇଁ ଆଲୁମିନିୟମ ଫଏଲ୍ରେ ଖାଦ୍ୟ ଗୁଡ଼ିକୁ ପ୍ୟାକିଂ କରାଯାଉଛି। ସମସ୍ତ ଖାଦ୍ୟଗୁଡ଼ିକୁ ଗୋଟିଏ ପ୍ୟାକେଟ୍ରେ ଏକାଠି କରାଯିବା ସହ ସେଥିରେ ଖାଇବା ପ୍ଲେଟ୍, ଦନା, ପାଣିବୋତଲ ଇତ୍ୟାଦିକୁ ରଖାଯାଇ ରୋଗୀଙ୍କ ପାଖରେ ପହଞ୍ଚା ଯାଉଛି। କେବଳ ରୋଗୀ ନୁହନ୍ତି ୱାର୍ଡରେ ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର ଓ ପାରା ମେଡିକାଲ୍ କର୍ମଚାରୀଙ୍କ ପାଇଁ ମଧ୍ୟ ଏଭଳି ଗୁଣାତ୍ମକ ଖାଦ୍ୟ ପଠା ଯାଉଥିବା ସୂଚନା ଦିଆଯାଇଛି। କୋଭିଡ୍ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ରୋଷେଇଶାଳା ନିର୍ମାଣ କରାଯାଇଛି। ପ୍ରଥମ ବର୍ଷ ଏମ୍ବିବିଏସ୍ ଛାତ୍ରଙ୍କ ହଷ୍ଟେଲ ଖାଲି ଥିବାରୁ ସେଠାରେ କୋଭିଡ୍ ରୋଗୀଙ୍କ ପାଇଁ ରୋଷେଇ କରାଯାଉଛି। ସେଠାରୁ ଦୁଇଟି ବ୍ୟାଟେରି ଗାଡ଼ିରେ ଖାଦ୍ୟଗୁଡ଼ିକୁ କୋଭିଡ୍ ୱାଡ ପର୍ଯ୍ୟନ୍ତ ନେବା ପାଇଁ ବ୍ୟବସ୍ଥା କରାଯାଇଥିବା ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଉତ୍କଳ ସପ୍ଲାୟର୍ସର ମୁଖ୍ୟ ଦେବେନ୍ଦ୍ର ସାହୁ ଜଣାଇଛନ୍ତି।
ଏସ୍ସିବିରେ କରୋନା ରୋଗୀଙ୍କ ଖାଇବା ପାଇଁ ଦିନକୁ ୨୪୦ ଟଙ୍କା
/sambad/media/post_attachments/wp-content/uploads/2021/05/SCB-DIET_6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)