ଜୟପୁର: ଶ୍ମଶାନକୁ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ଯାଇଥିଲେ। ତେବେ ସେଠାରେ ଅଚାନକ ଭାବେ ମହୁମାଛି ଲୋକଙ୍କୁ ଆକ୍ରମଣ କରିଥିଲେ। ନିଜ ଜୀବନକୁ ବଂଚାଇବାକୁ ଲୋକେ ଶ୍ମଶାନରେ ହିଁ ଶବକୁ ଛାଡି ଏଣେ ତେଣେ ଧାଇଁଥିଲେ। ଏଥିରେ ୩୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଥିଲେ। ପରେ ପରିବାରର ଅଳ୍ପ ସଦସ୍ୟ ଏଥିରେ ଭାଗ ନେଇ ମୁଣ୍ଡରେ ହେଲମେଟ ଓ ରେନକୋଟ ପିନ୍ଧି ଶେଷ କୃତ୍ୟ ସଂପନ୍ନ କରିଥିଲେ। ଏହି ଘଟଣାକୁ ନେଇ ଆଜି ଜୟପୁର ବ୍ଲକଓ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାଟି କୋରାପୁଟ ଜିଲ୍ଲା ଜୟପୁର ବ୍ଲକର କେବିଡି ଗାଁରେ ହୋଇଛି। ଏହି ଗାଁର ବୃଦ୍ଧା ବୁଟକି ମୁଦୁଲିଙ୍କର ଆଜି ଭୋରରେ ମୃତ୍ୟୁ ହୋଇଥିଲା। କେବିଡି ସମେତ ବିଷପାଣି, ବାନାବାଟି, ମାଳିଗୁଡା, ପୁଷପୁରୀ, ମଜୁରାଗୁଡା ସହ ଆଖପାଖ ଆଦି ଗାଁର ସଂପର୍କୀୟ ମାନେ କେବିଡି ପହଚିଂ ମରଶରୀରକୁ ଶେଷକୃତ୍ୟ ସଂପନ୍ନ କରିବାକୁ ଗାଁ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ଶ୍ମଶାନ ପାର୍ଶ୍ବରେ ଗ୍ରାମ୍ୟ ଜଙ୍ଗଲ ରହିଛି। ଏମାନେ କେହି ଜାଣି ନଥିଲେ ଯେ ସେଠାରେ ଗୋଟିଏ ବଡ ମହୁମାଛିର ପେଣା ରହିଛି। ଏମାନେ ପାରମ୍ପରିକ ରିତୀନିତୀରେ ଶ୍ମଶାନରେ ଶେଷକୃତ୍ୟ କାମ ଆରମ୍ଭ କରିବା ପୂର୍ବରୁ ଅଚାନକ ଭାବେ ମହୁମାଛିମାନେ ଆକ୍ରମଣ କରିଦେଇଥିଲେ। ଶ୍ମଶାନରେ ହିଁ ଶବକୁ ଛାଡି ଯିଏ ଯେଉଁ ଆଡେ ଚାହିଁଲା ଜୀବନ ବଂଚାଇବାକୁ ଧାଁଇବାକୁ ଲାଗିଥିଲେ।
/sambad/media/post_attachments/wp-content/uploads/2020/11/jpr-honeybee-attack-2-1.jpg)
ତେବେ ମହୁମାଛିର ଆକ୍ରମଣରୁ ଅଳ୍ପ କିଛି ଜଣ ବର୍ତ୍ତିଥିଲେ। ଏପରିକି ସକାଳ ୮ଟାରେ ନେଇଥିବା ଶବ ସାୟାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ସେଭଳି ପଡ଼ି ରହିଥିଲା। ସକାଳୁ ପ୍ରଥମେ ଗାଁ ଲୋକେ ଏବଂ ସଂପର୍କୀୟ ମାନେ ପ୍ରଥମେ ଚେଷ୍ଟା କରିଥିଲେ। ସେତେବେଳେ ପ୍ରାୟ ୫ଜଣଙ୍କୁ ମହୁମାଛି ଅକ୍ରମଣ କରିଥିଲା। ପରେ ପୁଣି ଦ୍ବିପହରରେ ଦ୍ବିତୀୟ ଥର ଚେଷ୍ଟା କରିବାକୁ ଯାଇ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଜଣ ମହୁମାଛି କାମୁଡ଼ାର ଶିକାର ହୋଇ ଭୟଭୀତ ହୋଇ ପଡ଼ି ଶବକୁ ଛାଡି ପଳାଇ ଆସିଥିଲେ। ଏପରି ୩୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ କିଛି ରାବଣାଗୁଡା ସିଏଚସି ଓକିଛି ଜଣ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଗାଁର ମଧୁ ଜାନୀ, ରବି ଜାନୀ, ଗୁରୁ ମୁଦୁଲି, ତାପସ ଜାନୀ, ମକରନ୍ଦ ଜାନୀ, ବୁଟି ମୁଦୁଲିଙ୍କ ସମେତ ଅନ୍ୟ ମାନେ ଆହତ ହୋଇଥିଲେ। କିଛି ଜଣ ଆହତ ଅବସ୍ଥାରେ ଗାଁରେ ରହିଥିବା ସୂଚନା ମିଳିଛି।
ସାୟହ୍ନରେ ମୃତ ବୁଟିକିଙ୍କ କିଛି ପରିବାରବର୍ଗ ମୁଣ୍ଡରେ ହେଲମେଟ୍ ଓ ରେଇନ୍ କୋଟ ଆଦି ପିନ୍ଧି ଶ୍ମଶାନକୁ ଯାଇ ଶବରେ ନିଆଁ ଲଗାଇ ଶେଷକୃତ୍ୟ ସଂପନ୍ନ କରି ଫେରିଥିବା ସୂଚନା ମିଳିଛି। ଏନେଇ ବ୍ଲକ ପ୍ରଶାସନ ଓ ଜଙ୍ଗଲ ବିଭାଗ ଆଦିଙ୍କୁ ସୂଚନା ଦେବାରେ କେହି ବି ନିଜ ଅଧିନକୁ ମହୁମାଛି ଆସୁନଥିବା କହି ସେଠାକୁ ଯାଇ ନଥିଲେ। ଏପରିକି ଗୁରୁତର ଆହତ ମାନଙ୍କୁ ନେବା ପାଇଁ ଗ୍ରାମବାସୀମାନେ ୧୦୮ଆମ୍ବୁଲାନସକୁ ଫୋନ କରିବାରେ ଆମ୍ବୁଲାନସ୍ ଆଖପାଖରେ ନଥିବା କହି ଆମ୍ବୁଲାନସ୍ ପଠାଯାଇ ନଥିଲା। ଲୋକେ ଅଟୋ ଭଡ଼ା କରି ଗୁରୁତର ମାନଙ୍କୁ ରାବଣାଗୁଡା ସିଏଚସି ନେଉଥିଲେ। ସୂଚନା ପାଇ ରାବଣାଗୁଡା ସିଏଚସିରୁ ଯାଇଥିବା ଆମ୍ବୁଲାନସ୍ ଅଧାବାଟରୁ କିଛି ଜଣଙ୍କୁ ନେଇ ଡାକ୍ତରଖାନା ଫେରିଥିଲା। ଏପରିକି ରାଣୀଗଡ-କେବିଡି –ଜୟପୁର ରାସ୍ତାରେ ଏହି ଶ୍ମଶାନଟି ଥିବାରୁ ମହୁମାଛି ମାନେ ରାସ୍ତା ଉପରକୁ ପଳାଇ ଆସିଥିଲେ। ଏହା ପରେ ଏହି ରାସ୍ତାରେ ଗାଡି ମୋଟର ଚଳାଚଳ ବି ବନ୍ଦ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-honeybee-attack-3.jpg)