୩୧୨ ଥର ଭୂକମ୍ପ ଝଟ୍‌କା: ତୁର୍କୀ-ସିରିୟା ମୃତ୍ୟୁସଂଖ୍ୟା ୨୦ ହଜାର ଟପିପାରେ

୨୩ ନିୟୁତ ଲୋକ ପ୍ରଭାବିତ ହେବେ, ୩୮୦,୦୦୦ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ

ଇସ୍ତାନବୁଲ : ତୁର୍କୀ ଓ ସିରିୟାରେ ହୋଇଥିବା ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏଯାବତ ୫ ହଜାରରୁ ଅଧିକ ଶବ ଉଦ୍ଧାର ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି। ପ୍ରବଳ ଥଣ୍ଡା ଏବଂ ବରଫ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି। ଏଥିପାଇଁ ହଜାର ହଜାର ଲୋକଙ୍କୁ ଶେଷ ମୁହୂର୍ତ୍ତର ଚେଷ୍ଟାରେ ବି ବଞ୍ଚାଇ ହେଉନି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୃତ୍ୟୁସଂଖ୍ୟା ୮ ଗୁଣା ବଢ଼ିପାରେ। ଭୂକମ୍ପ ପରେ ପ୍ରାୟ ୩୧୨ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ଏବଂ କ୍ଷୟକ୍ଷତି ଅତି ଭୀଷଣ ରୂପ ନେଇଛି। ତୁହାକୁ ତୁହା ଭୂକମ୍ପ ଝଟ୍‌କା ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଭୂକମ୍ପ ଯୋଗୁଁ ଉଭୟ ତୁର୍କୀ ଏବଂ ସିରିୟାର ପ୍ରାୟ ୧.୪ ନିୟୁତ ଶିଶୁ ସମେତ ୨୩ ନିୟୁତ ଲୋକ ପ୍ରଭାବିତ ହେବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି।

ତୁର୍କୀରେ ଏଯାବତ ୩୮୦,୦୦୦ ଲୋକଙ୍କୁ ବିଭିନ୍ନ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ୧୪ଟି ରାଷ୍ଟ୍ରରୁ ମୋଟ୍‌ ୩,୨୯୪ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ‌ରେ ନିୟୋଜିତ ହୋଇଛନ୍ତି। କିଛି ସ୍ଥାନରେ ଧ୍ବଂସସ୍ତୁପ ତଳେ ଫସିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଭଏସ୍‌ ମେସେଜ ପଠାଇଛନ୍ତି। ସବୁଠି ଭୟ ଓ ହାହାକାର। ଘର ହରାଇ ଦେଇ ରାସ୍ତା କଡ଼କୁ ଆସିଥିବା ଲୋକ ଶୀତରେ ଥରୁଥିବା ବେଳେ ଘର ଥିବା ଲୋକମାନେ ବି ଭୂକମ୍ପ ଭୟରେ ଘରେ ରହିପାରୁନାହାନ୍ତି। ତୁର୍କୀର ଭୂକମ୍ପ କେନ୍ଦ୍ରସ୍ଥଳ ନିକଟରେ ପରିସ୍ଥିତି ଅତି ଜଟିଳ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଗାଜିଆନଟେପ ପ୍ରଦେଶରେ ମୁଖ୍ୟ ରାଜପଥ ବି ସୁରକ୍ଷିତ ନାହିଁ। ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଉଦ୍ଧାର କାର୍ଯ୍ୟ କରୁଥିବା ଲୋକମାନେ ଯଥା ସମ୍ଭବ ନିରବ ରହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ନିରବ ରହିବା ଦ୍ବାରା ସେମାନେ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କ ସ୍ବର ଶୁଣି ତତ୍‌କ୍ଷଣାତ ଉଦ୍ଧାର କରିବାପାଇଁ ଚେଷ୍ଟା କରୁଛନ୍ତି।

ଧ୍ବଂସସ୍ତୂପ ଭିତରେ ଜନ୍ମ ନେଲା ଶିଶୁ ବାପା, ମା’ ବଞ୍ଚି ପାରିଲେନି

ଇସ୍ତାନବୁଲ : ସିରିୟାରେ ଧ୍ବଂସସ୍ତୂପ ଭିତରେ ଜଣେ ଚମତ୍କାରୀ ଶିଶୁ ଜନ୍ମ ନେଇଛି। ଜନ୍ମରୁ ସେ ଅନାଥ ହୋଇଯାଇଛି। ଶିଶୁଟିର ବାପା ମା’ ଉଭୟଙ୍କର ଭୂକମ୍ପରେ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ଶିଶୁଟିକୁ ଜୀବିତ ଉଦ୍ଧାର କରିଛନ୍ତି। ସୂଚନାନୁଯାୟୀ, ନବଜାତ ଶିଶୁ କନ୍ୟାର ମା’ ଭୂକମ୍ପ ସମୟରେ ଗର୍ଭ ଯନ୍ତ୍ରଣା ଭୋଗିଥିଲେ ଏବଂ ଶିଶୁଟିକୁ ଜନ୍ମ ଦେଇଥିଲେ। କିନ୍ତୁ ସେ ନିଜେ ବଞ୍ଚି ପାରିନଥିଲେ। ସିରିୟାରେ ଧ୍ବଂସସ୍ତୂପ ମଧ୍ୟରେ ଏହି ଅନାଥ ଶିଶୁଟି ନିଶ୍ବାସ ନେଉଥିବାର ଫୁଟେଜ୍‌ ମଧ୍ୟ ଜାରି ହୋଇଛି।

 

ସମ୍ବନ୍ଧିତ ଖବର