ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ମରାମତି: ବର୍ଷକରେ ୫.୩୦ କୋଟି ଖର୍ଚ୍ଚ, ମିଳିନି ହିସାବ

ଖଲ୍ଲିକୋଟ ବ୍ଲକରେ ବେଆଇନ ନିର୍ମାଣ ଉଚ୍ଛେଦ ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ

ଛତ୍ରପୁର: ଗଞ୍ଜାମ ଜିଲ୍ଲାକୁ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ରୋଷ ଲାଗି ରହିଛି । ଏଭଳି କ୍ଷେତ୍ରରେ ଜିଲ୍ଲାବାସୀଙ୍କ ଧନଜୀବନକୁ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ମୁକାବିଲା ଦିଗରେ ପଦକ୍ଷେପ ନେଇଛନ୍ତିା ୧୯୯୯ ମହାବାତ୍ୟା ପରଠୁ ‘ଫାଇଲିନ୍’ ‘ହୁଡହୁଡ’, ‘ତିତଲି’, ‘ଫନି’ ଓ ‘ୟାସ୍’ ଭଳି ବାତ୍ୟାକୁ ଜିଲ୍ଲା ପ୍ରଶାସନ ସଫଳତାର ସହ ମୁକାବିଲା କରିପାରିଛି । ପ୍ରାକୃତିକ ବପର୍ଯ୍ୟୟ ମୁକାବିଲା ଏବଂ ଲୋକଙ୍କ ଧନଜୀବନକୁ ସୁରକ୍ଷା ଦୃଷ୍ଟିରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଅନୁଦାନକୁ ସଠିକ୍ ଭାବେ ବିନିଯୋଗ ହେଉନଥିବା ନେଇ ଅଭିଯୋଗ ହୋଇଛି ।

ଜିଲ୍ଲାର ଥିବା ୧୦୪ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୯୮ ଆଶ୍ରୟସ୍ଥଳୀର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୯ କୋଟି ୧୯ ଲକ୍ଷ ୪୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଜିଲ୍ଲାର ୫ ଉପକୂଳ ବ୍ଲକ ସମେତ ୧୬ ବ୍ଲକରୁ ଆଶ୍ରୟସ୍ଥଳୀ ଗୁଡିକର ମରାମତି ବାବଦରେ ଖର୍ଚ୍ଚର ଆକଳନ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ରିପୋର୍ଟ ପଠାଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ୨୦୨୦ ମସିହା ମେ’ ୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୫ କୋଟି ୩୦ ଲକ୍ଷ ୮ ହଜାର ଟଙ୍କା ଅନୁଦାନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ପ୍ରଦାନ କରିଥିଲେ । କିନ୍ତୁ ଅନୁଦାନ ଦେବାର ଏକବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ମରାମତି ବାବଦରେ ଖର୍ଚ୍ଚର ହିସାବ ଦିଆଯାଇ ନାହିଁ । ଏହାସତ୍ତ୍ୱେ ପୁଣି ୬୨ ଲକ୍ଷ ୮୫ ହଜାର ଟଙ୍କା ଅତିରିକ୍ତ ଅନୁଦାନ ପ୍ରଦାନ କରିବାକୁ ବିଭିନ୍ନ ବ୍ଲକ ପକ୍ଷରୁ ମଗାଯାଇଛି । ପ୍ରଥମ ପର୍ଯ୍ୟାୟର ଖର୍ଚ୍ଚର ପ୍ରମାଣପତ୍ର ନ ଦିଆଯାଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ଟଙ୍କାକୁ ପଠାଯାଇ ନଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଆଶ୍ରୟସ୍ଥଳୀ ଗୁଡିକର ମରାମିତି କିଛି ବ୍ଲକରେ ଚଳଣିଅ ରହିଥିବା ବେଳେ ଅନ୍ୟ କିଛି ବ୍ଲକରେ ନିମ୍ନମାନର ହୋଇଛି । ଏହାସହ ଗଲାବର୍ଷ କୋଭିଡ୍ ପରିଚାଳନା ଅନୁଦାନରେ କେତେକ ବ୍ଲକରେ ଆଶ୍ରୟସ୍ଥଳୀ ଗୁଡିର ମରାମତି ହୋଇଥିବା ନେଇ ବିଲ୍ କରାଯାଇଛି । ହେଲେ ଜିଲ୍ଲାରୁ ପଠାଯାଇଥିବା ଅନୁଦାନକୁ ଆଶ୍ରୟସ୍ଥଳୀ ଗୁଡିକରେ କେଉଁ ବାଟରେ ଖର୍ଚ୍ଚ ହୋଇଛି ଏନେଇ ଦ୍ୱନ୍ଦତା ସୃଷ୍ଟି ରହିଛି । ଗୋଟିଏ ଅନୁଦାନରେ ଖର୍ଚ୍ଚ କରି ଦୁଇଟି ଯୋଜନାର ଟଙ୍କା ହଡପ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ହେଲେ ଏହାର ସଠିକ୍ ପ୍ରମାଣ ହସ୍ତଗତ ହେବା ପରେ ହିଁ ପଦକ୍ଷେପ ନିଆଯିବ ବୋଲି ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ତଥା ଓସ୍ଡୋମାର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ ସତ୍ୟରଞ୍ଜନ ସାହୁ ଜିଲ୍ଲାର ବିଭିନ୍ନ ବ୍ଲକର ଥିବା ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସ୍ଥିତିକୁ ଅନୁଧା୍ୟନ କରିଥିଲେ ।

ଖଲ୍ଲିକୋଟ ବ୍ଲକ ଓ ଦିଗପହଣ୍ଡି ବ୍ଲକର ଥିବା କେତକ ଆଶ୍ରୟସ୍ଥଳୀ ଗୁଡିକରେ ବେଆଇନ ଭାବେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏଥିପାଇଁ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେବା ସହ ଆଶ୍ରୟସ୍ଥଳୀ ଗୁଡିକର କ୍ଷମତା କ୍ଷୁର୍ଣ୍ଣ ହୋଇଛି । ବିପର୍ଯ୍ୟୟ ମୁକାବିଲାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯେଉଁ ଗଢଣ ସଂରଚନା (ଷ୍ଟ୍ରର୍କ୍ଚର)ରେ ନିର୍ମାଣ କରିଥିଲେ । ଅନବାଶ୍ୟକ ଭାବେ ଉକ୍ତ ଷ୍ଟ୍ରକର୍ଚରକୁ ନଷ୍ଟ କଲାଭଳି ଆଶ୍ରୟସ୍ଥଳୀର ଖାଲି ସ୍ଥାନ ଗୁଡିକରେ ବେଆଇନ ଭାବେ କୋଠରୀ ନିର୍ମାଣ ହୋଇଥିବା ସହ ବନ୍ୟା ଜଳ ନିଷ୍କାସନ ହେବା ସ୍ଥାନ ଗୁଡିକୁ ଅବରୋଧ କରାଯାଇଛି । ବିପର୍ଯ୍ୟୟ ବେଳେ ଲୋକଙ୍କୁ ସ୍ଥାନାନ୍ତର ବେଳେ ଦଳାଚକାଟ ହେବାର ସମସ୍ୟା ସହ ଦ୍ରୁତଗତିରେ ବୋହୁଥିବା ପବନର ସ୍ରୋତ ଏବଂ ବନ୍ୟା ଜଳ ନିଷ୍କାସନ ହେବାରେ ସମସ୍ୟା ଦେଖାଦେବ । ଏଣୁ ତୁରନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକୁ ଭାଙ୍ଗିବା ସହ ଆଶ୍ରୟସ୍ଥଳୀର ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏନେଇ ଓସଡୋମା ପରିଚାଳନା ନିଦେ୍ର୍ଦଶକ ପ୍ରଦୀପ୍ତ କୁମାର ଜେନା ଗଞ୍ଜାମ ଜିଲ୍ଲାପାଳଙ୍କୁ ପତ୍ର ଦ୍ୱାରା ନିଦେ୍ର୍ଦଶ ଦେଇଥିଲେ । ପରେ ୨୦୨୦ ନଭେମ୍ବର ମାସରେ ଜିଲ୍ଲାପାଳଙ୍କ ଦସ୍ତଖତରେ ସଂପୃକ୍ତ ବ୍ଲକ ବିଡିଓଙ୍କୁ ତୁରନ୍ତ ବେଆଇନ ନିର୍ମାଣ ପ୍ରକଳ୍ପ ଗୁଡିକୁ ଉଚ୍ଛେଦ କରିବା ପାଇଁ ନିଦେ୍ର୍ଦଶ ହୋଇଥିଲା ।

ଦିଗପହଣ୍ଡି ବ୍ଲକରୁ ବେଆଇନ ନିର୍ମାଣ ପ୍ରକଳ୍ପକୁ ଉଚ୍ଛେଦ କରି ଆଶ୍ରୟସ୍ଥଳୀର ପୂର୍ବାବସ୍ଥାକୁ ଫେରାଇ ଆଣିଥିବା ବେଳେ ଖଲ୍ଲିକୋଟ ବ୍ଲକର ଡିମିରା ପଞ୍ଚାୟତ ପାନନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ, ସାବୁଳିଆ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ବେଆଇନ ଭାବେ କୋଠରୀ ନିର୍ମାଣ ହୋଇଛି । ବାରମ୍ବାର ସୂଚନା ଦିଆଗଲେ ସତ୍ତ୍ୱେ ଉଚ୍ଛେଦ ବିଷୟରେ କର୍ଣ୍ଣପାତ କରାଯାଉ ନାହିଁ । ଜିଲ୍ଲାପାାଳଙ୍କ ଆଦେଶର ୮ ମାସ ବିତିଯାଇଥିଲେ ସୁଦ୍ଧା ଏଦିଗରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି ।

ଆସିକା ବ୍ଲକରେ ୨ ବନ୍ୟା ଆଶ୍ରୟସ୍ଥଳୀ, ବେଲଗୁଣ୍ଠା, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଓ ସୋରଡା ବ୍ଲକରେ ଗୋଟିଏ ଲେଖାଁଏ ବନ୍ୟା ଆଶ୍ରୟସ୍ଥଳୀ, ଛତ୍ରପୁର ବ୍ଲକରେ ୧୦ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଗୋଟିଏ ବନ୍ୟା ଆଶ୍ରୟସ୍ଥଳୀ, ଚିକିଟି ବ୍ଲକରେ ୯ ବାତ୍ୟା ଏବଂ ୩ ବନ୍ୟା ଆଶ୍ରୟସ୍ଥଳୀ, ଦିଗପହଣ୍ଡିରେ ୩ ବନ୍ୟା ଆଶ୍ରୟସ୍ଥଳୀ, ଗଞ୍ଜାମ ବ୍ଲକରେ ୨୬ ବାତ୍ୟା ଓ ୩ ବନ୍ୟା ଆଶ୍ରୟସ୍ଥଳୀ, ହିଞ୍ଜିଳି ଓ ପୁରୁଷୋତ୍ତମପୁର ବ୍ଲକରେ ୬ ଟି ଲେଖାଁଏ ବନ୍ୟା ଆଶ୍ରୟସ୍ଥଳୀ, ଖଲ୍ଲିକୋଟ ବ୍ଲକରେ ୧୬ ବାତ୍ୟା ଆଶ୍ରୟସ୍ଥଳୀ, ରଙ୍ଗେଇଲୁଣ୍ଡା ବ୍ଲକରେ ୧୦ ବାତ୍ୟା ଆଶ୍ରୟସ୍ଥଳୀ, ଶେରଗଡ ବ୍ଲକରେ ୪ ବନ୍ୟା ଆଶ୍ରୟସ୍ଥଳୀ ତଥା ୫ ଟି ଉପକୂଳ ବ୍ଲକ ସମେତ ୧୬ ବ୍ଲକରେ ୭୧ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୩୩ ଟି ବନ୍ୟା ଆଶ୍ରୟସ୍ଥଳୀ ସମୁଦାୟ ୧୦୪ ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ହେଲେ ଆସିକା, ଚିକିଟି, ଗଞ୍ଜାମ, ରଙ୍ଗେଇଲୁଣ୍ଡା, ପୁରୁଷୋତ୍ତମପୁର ଏବଂ ଭଞ୍ଜନଗର ବ୍ଲକର ଗୋଟିଏ ଲେଖାଁଏ ଆଶ୍ରୟସ୍ଥଳୀକୁ ଛାଡି ବାକି ୯୮ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ବିଭିନ୍ନ ମରାମତି ନେଇ ଅନୁଦାନ ମିଳିଛି ।

ସମ୍ବନ୍ଧିତ ଖବର