ପାରଳାଖେମୁଣ୍ଡି: ଗତକାଲି ରାତିରେ ପାରଳା ସହରର ଟାଉନହଲ ପରିସର ମଧ୍ୟରେ ୫ଟି କାର ପୋଡ଼ିଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଦିନ ତମାମ ଆଲୋଚନାର କେନ୍ଦ୍ରବିନ୍ଦୁ ମଧ୍ୟ ହୋଇଥିଲା। ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସହକାରୀ ଯନ୍ତ୍ରୀଙ୍କ ବାସଗୃହ ପଛରେ ଗତବର୍ଷ ନିର୍ମାଣ ହୋଇଥିଲା ପୌରପାଳିକାର ଗାଡ଼ି ରଖିବା ପାଇଁ ସ୍ଥାୟୀ ଗ୍ୟାରେଜ ଏବଂ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୭ଲକ୍ଷ ଟଙ୍କା। ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଏହି ଗ୍ୟାରେଜ ନିର୍ମାଣ ପରେ ସୂଚନା ଦେଇଥିଲେ କି ଉକ୍ତ ଗ୍ୟାରେଜରେ ପୌରପାଳିକାର ଟ୍ରାକ୍ଟର ଏବଂ ବିଭିନ୍ନ ଗାଡ଼ିଗୁଡ଼ିକ ରଖିବା ପାଇଁ ସ୍ଥାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ମାଣ ଦିନ ଠାରୁ ଉକ୍ତ ଗ୍ୟାରେଜରେ ବେସରକାରୀ ଗାଡ଼ିଗୁଡ଼ିକ ରହୁଥିଲା। ଗତକାଲି ରାତିରେ ଏହି ଗ୍ୟାରେଜରେ ଏବଂ ଗ୍ୟାରେଜ ନିକଟରେ ଥିବା କିଛି ଗାଡ଼ିକୁ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଏହାର କାରଣ ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତ୍ରରେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ନିକଟରେ ଥିବା ଭୋଇ ସାହିର କିଛି ବ୍ୟକ୍ତି ତୁରନ୍ତ ଦମକଳକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ୩ଟି ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଆଜି ସକାଳୁ ପାରଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁଇଟି ଗାଡ଼ିର କାଚକୁ ଦୁର୍ବୃତ୍ତମାନେ ବଡ଼ ବଡ଼ ପଥର ମାରି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ଗାଡ଼ି ପୋଡ଼ିଯାଇଥିବା କିମ୍ବା ଭାଙ୍ଗି ଯାଇଥିବା ମାଲିକମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କାଉନସିଲର ବାବୁଲା ବେହେରା, ପୌରପାଳିକା କର୍ମଚାରୀ ମନୋଜ ଶତପଥୀ। ଉକ୍ତ ଗ୍ୟାରେଜ ୧୦୦ଫୁଟ ଲମ୍ବା ଓ ୪୦ଫୁଟ ଚଉଡା। ତେବେ ଏହାର ପ୍ରବେଶ ବାଟରେ ଆଜି ପର୍ଯ୍ୟନ୍ତ ଫାଟକ ନିର୍ମାଣ କରାଯାଇନାହିଁ। ଗତ କିଛି ମାସ ହେଲା ଟାଉନହଲ କଲୋନି ବାସିନ୍ଦାମାନେ ବାରମ୍ବାର ଅଭିଯୋଗ ଉଠାଉଥିଲେ କି ପୌର ପାଳିକାର ଗ୍ୟାରେଜଟି ମଦ୍ୟପାନ ପାଇଁ ଆଡ୍ଡାସ୍ଥଳୀ ପାଲଟିଯାଇଛି। ଟାଉନହାଲ ସମ୍ମୁଖରେ ରହିଛି ଏକ ବିଦେଶୀ ମଦ ଦୋକାନ ଏବଂ ଏଠାରୁ ମଦ କ୍ରୟ କରି ମଦୁଆମାନେ ଗ୍ୟାରେଜକୁ ପିଇବା ଆଡ୍ଡାରେ ପରିବର୍ତ୍ତନ କରିଦେଇଥିଲେ। ରାତି ଅଧାରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଏପରି ଅମାନୁଷିକ କାମ କିଛି ଦୁର୍ବୃତ୍ତମାନେ କରିଛନ୍ତି କି ବୋଲି ସନ୍ଦେହ ସୃଷ୍ଟି ହେଉଛି।