ଫୁଲବାଣୀ: କରୋନା ପାଇଁ ସମଗ୍ର ଓଡିଶାରେ ବସ, ଟ୍ରକ, କାର, ବୋଲେରୋ ସହ ଅନ୍ୟାନ୍ୟ ୪ ଚକିଆ ଗାଡି ୨୦ ଦିନ ହେଲା ଗଡୁ ନାହିଁ। ଏଥି ଯୋଗୁ ଟାକ୍ସି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କନ୍ଧମାଳରେ  ସବୁ ଟାକ୍ସି ଚାଳକ ରୋଜଗାର ହରାଇ ବସିଥିବା ବେଳେ ସେମାନେ ବଡ ଦୁଃଖରେ ପରିବାର ଚଳାଉଛନ୍ତି।

Advertisment

କରୋନା କଟକଣା ପାଇଁ ରୋଜଗାର ହରାଇ ଥିବା ଅନ୍ୟମାନଙ୍କୁ ସହାୟତା ଦିଆଯାଇଥିବା ବେଳେ ଟାକ୍ସି ଚାଳକଙ୍କ କଥା ସରକାର ବୁଝୁ ନଥିବାରୁ ସେମାନେଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କନ୍ଧମାଳରେ ପ୍ରାୟତଃ ୫ହଜାର ଟାକ୍ସି ଚାଳକ ଅଛନ୍ତି। ସେଥିରେ କନ୍ଧମାଳ ସହ ଅନ୍ୟ ଜିଲ୍ଲାର ଚାଳକ ଅଛନ୍ତି। ଗାଡି ମାଲିକ ଗାଡି ଚଳାନ୍ତି। ମାସକୁ ଥରେ ମାଲିକ ପାଉଣା ଦେଇଥାନ୍ତି। ଏହି ଅର୍ଥରେ ଘରଭଡା ଦେବା ସହ ପରିବାର ଚଳାଇଥାନ୍ତି। ସେମାନଙ୍କ ଆଉ କିଛି ରୋଜଗାର ନଥିବା ବେଳେ କରୋନା କଟକଣା ଯୋଗୁ ଗାଡି ଗଡି ପାରୁ ନାହିଁ। ଯାହା ଫଳରେ ଟାକ୍ସି ଚାଳକମାନେ ଘରେ ବସିଛନ୍ତି। ପାଖରେ ଯାହା ଟଙ୍କା ଥିଲା ସରି ଗଲାଣି।

ଆଉ ଟଙ୍କା ନଥିବାରୁ ଧାର ଉଦ୍ଧାର କରି ପରିବାର ଚଳାଉଛୁ ବୋଲି କହନ୍ତି ଫୁଲବାଣୀରେ ପରିବାର ସହ ଘରଭଡା ଦେଇ ରହୁଥିବା ଚାଳକ ପଞ୍ଚାନନ ସାହୁ ଓ ଫୁଲବାଣୀର ଚାଳକ ପ୍ରକାଶ ଦିଗାଲ। ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କୁ ସହାୟତା ଦିଆଗଲା। ହେଲେ ସରକାର ସେମାନଙ୍କ ଦୁଃଖ କଥା ଭୁଲି ଗଲେ ବୋଲି କହନ୍ତି ଫୁଲବାଣୀର ଆଉ ଜଣେ ଚାଳକ ରବି ସାହୁ। କରୋନା କଟକଣାକୁ ପୁଣି ବଢାଇ ଦିଆଯାଇଛି। ଆସନ୍ତା ୧୪ ତାରିଖରେ ଲକ୍ ଡାଉନ ଅବଧି ଶେଷ ହେବାର ଥିଲା।

ହେଲେ ଓଡିଶା ସରକାର ଏହାକୁ ପୁଣି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେତେ ବେଳକୁ କରୋନା ସଂକ୍ରମିତକୁ ଦେଖି ଲକ୍ ଡାଉନକୁ ଆହୁରି ବଢାଇବାକୁ ଏଡାଇ ଦେଇ ହେବ ନାହିଁ। ଏହି ସମୟ ମଧ୍ୟରେ ଗାଡି ଚଳାଚଳ କରିବା ସମ୍ଭବ ନୁହେଁ। ଯଦି ସରକାର କିଛି ସହାୟତା ପ୍ରଦାନ ନ କରନ୍ତି ତାହା ହେଲେ ଟାକ୍ସି ଚାଳକଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିବ। କରୋନା କଟକଣା ପାଇଁ ରୋଜଗାର ହରାଇ ବସିଥିବା ଦିଲ୍ଲୀର ସବୁ ଟାକ୍ସି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୫ ହଜାର ଟଙ୍କା .ଲେଖାଏଁ ସହାୟତା ଦେଇଛନ୍ତି। ଅନୁରୂପ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଟାକ୍ସି ଚାଳକଙ୍କୁ ସହାୟତା ଦେବାକୁ ଓଡିଶା ମଟର ଚାଳକ ସଂଘ ଫୁଲବାଣୀ ଶାଖାର ସଭାପତି ବାସବ କହଁର ଓ କୋଷାଧ୍ୟକ୍ଷ ନରେନ୍ଦ୍ର ନାୟକ ଦାବି କରିଛନ୍ତି।