ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ଜୀବିକା ଉପରେ କରୋନା ପ୍ରଭାବ : ଚାକିରି ଛାଡ଼ିଲେଣି ୫୦% ପାରାମେଡିକାଲ କର୍ମଚାରୀ ଏବଂ ୩୦% ଡାକ୍ତର

ବେଙ୍ଗାଲୁରୁ: କରୋନା ମହାମାରୀର ପ୍ରଭାବ ସାରା ଦେଶରେ ପଡ଼ିଛି । କରୋନା ଭୂତାଣୁ ଲୋକଙ୍କୁ ଆର୍ଥିକ, ଶାରୀରିକ ଏବଂ ମାନସିକସ୍ତରରେ ଦୁର୍ବଳ କରି ଦେଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ଲକଡାଉନ ଦେଶର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇଥିବା ବେଳେ କରୋନା ପାଇଁ ବେଙ୍ଗାଲୁରୁରେ ୫୮ଟି ଛୋଟ ଆକାରର ଘରୋଇ ଡାକ୍ତରଖାନା ସାମୟିକ କିମ୍ବା ସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିବା ଜଣ‌ାପଡ଼ିଛି। ଏ ନେଇ ଘରୋଇ ହସ୍ପିଟାଲ ଏବଂ ନର୍ସିଂ ଆସୋସିଏସନ (ଫାନା) ର ସଦସ୍ୟ ପ୍ରକାଶ କରିଛନ୍ତି। ମହାମାରୀ କାରଣରୁ ଆର୍ଥିକ ସଙ୍କଟ ଯୋଗୁଁ ଏକକ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ଡ଼ାକ୍ତରଖାନା ବନ୍ଦ ହୋଇଯାଇଥିବା କଥା ପ୍ରକାଶ କରିଛନ୍ତି ଫାନାର ସଦସ୍ୟ | ଫାନା ପକ୍ଷରୁ କୁହାଯାଇଛି ଯେ, ଘରୋଇ ଡାକ୍ତରଖାନାଗୁଡ଼ିକୁ ସରକାର ନିର୍ଦ୍ଦିଷ୍ଟ କରିଥିବା ୧୯ଟି ନିୟମ ପାଳନ କରିବାକୁ ବାଧ୍ୟ ଏବଂ ସେସବୁ ପାଳନ କରିବା କଷ୍ଟକର। ନିୟମ କୋହଳ କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ ବୋଲି ସେ କହିଛନ୍ତି।

Coronavirus in India: Live News, Update, information, Outbreak ...
New Indian Express

ଏଥିସହ କୋଭିଡ ରୋଗୀଙ୍କ ଚିକିତ୍ସାରେ ଅଧିକ ବିପଦ ଥିବା ଚିନ୍ତା କରି ପ୍ରାୟ ୫୦% ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀ ଏବଂ ୩୦% ଡାକ୍ତର ଚାକିରି ଛାଡିଥିବା ନେଇ ଫାନା ପକ୍ଷରୁ କୁହାଯାଇଛି । ଉଭୟ ବଡ଼ ଏବଂ ଛୋଟ ଘରୋଇ ଡାକ୍ତରଖାନା ପାଇଁ ମାନବ ସମ୍ବଳ ଏକ ବଡ଼ ସମସ୍ୟା। ଆମ ପାଖରେ ଆବଶ୍ୟକ କର୍ମଚାରୀ ଥିଲେ ହିଁ ଆମେ କାର୍ଯ୍ୟ କରିପାରିବୁ | ଏବେ କରୋନା ପାଇଁ କେହି ମଧ୍ୟ କାମ କରିବାକୁ ରାଜି ନୁହନ୍ତି। ଆମେ ସେମାନଙ୍କୁ ବୀମା ଏବଂ ପ୍ରୋତ୍ସାହନ ପ୍ରଦାନ କରିବୁ ବୋଲି କହିବା ପରେ ମଧ୍ୟ ଡାକ୍ତରମାନେ କାମ କରିବାକୁ ଇଚ୍ଛୁକ ନୁହଁନ୍ତି| ବେତନକୁ ଦ୍ୱିଗୁଣିତ କରିବାର ପ୍ରସ୍ତାବ ମଧ୍ୟ ସେମାନଙ୍କୁ ରାଜି କରାଇ ପାରି ନାହିଁ। ସରକାରଙ୍କୁ ମାନବ ସମ୍ବଳ ଯୋଗାଇଦେବାକୁ ଆମେ ଅନୁରୋଧ କରିଛୁ ଏବଂ ଯଦି ସେମାନେ ଆମକୁ ସ୍ନାତକୋତ୍ତର ତଥା ଡାକ୍ତରୀ ପାଠ୍ୟକ୍ରମର ଅନ୍ତିମ ବର୍ଷର ଛାତ୍ର-ଛାତ୍ରୀ ପଠାଇବେ, ଆମେ ସେମାନଙ୍କୁ ପ୍ରଶିକ୍ଷଣ ଦେଇ କାର୍ଯ୍ୟରେ ଲଗାଇବୁ ବୋଲି ଫାନାର ସଦସ୍ୟ ଡ. ପ୍ରସନ୍ନ ଏଚ୍ କହିଛନ୍ତି।

ଡାକ୍ତରୀ ଶିକ୍ଷା ମନ୍ତ୍ରୀ କେ ସୁଧାକର ଦାବି କରିଥିଲେ ଯେ, ଘରୋଇ ଡାକ୍ତରଖାନାଗୁଡ଼ିକରେ ୧୫,୫୦୦ ଶଯ୍ୟା ଅଛି। କିନ୍ତୁ ଫାନା ଏହାକୁ ଅସ୍ବୀକାର କରିଛି। ଫାନା କହିଛି ଯେ, ସେମାନଙ୍କ ପାଖରେ ମାତ୍ର ୧୦,୫୦୦ ଶଯ୍ୟା ଅଛି। କେତେକ ଡାକ୍ତରଖାନା ମଧ୍ୟ ଚକ୍ଷୁ ଚିକିତ୍ସା, କିଡନୀ କେୟାର ଏବଂ କର୍କଟ କେନ୍ଦ୍ର ଅଟେ, ଯାହା କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରିପାରିବ ନାହିଁ | ଏହାକୁ ନଜରରେ ରଖି ବର୍ତ୍ତମାନ କେବଳ ୮,୫୦୦ ଶଯ୍ୟାକୁ ବିଚାର କରାଯାଇପାରିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର