ନୂଆଦିଲ୍ଲୀ: ଟେଲିକମ୍ କଂପାନି ଏଟିଆଣ୍ଡ୍ଟି ଓ ଭେରିଜନ୍ ପକ୍ଷରୁ ଆମେରିକାରେ ୫ଜି ସେବା ଆରମ୍ଭ କରାଯାଉଥିବା ବେଳେ ବିମାନଗୁଡ଼ିକ ମଧ୍ୟରେ ତାହାକୁ ନେଇ ଭୟ ସୃଷ୍ଟି ହୋଇଛି। ଏୟାର ଇଣ୍ଡିଆ ଠାରୁ ଆରମ୍ଭ କରି ଜାପାନ ଏୟାରଲାଇନ୍ସ ଓ ଏମିରେଟ୍ସ ଏୟାରଲାଇନ୍ସ ଆଦି ସଂସ୍ଥା ଆମେରିକାକୁ ସେମାନଙ୍କ ବିମାନର ଉଡ଼ାଣ ବାତିଲ କରିଛନ୍ତି। ଏୟାର ଇଣ୍ଡିଆ ୮ଟି ବିମାନର ଉଡ଼ାଣ ବାତିଲ କରିଛି। କଂପାନି ଏହାର ଦିଲ୍ଲୀ-ନ୍ୟୁୟର୍କ, ଦିଲ୍ଲୀ-ଚିକାଗୋ, ଦିଲ୍ଲୀ-ସାନ୍ ଫ୍ରାନ୍ସିସ୍କୋ ଓ ଦିଲ୍ଲୀ-ନେୱାର୍କ ରୁଟ୍ରେ ଯାତ୍ରା କରୁଥିବା ବିମାନଗୁଡ଼ିକର ଉଡ଼ାଣକୁ ବାତିଲ କରିଛି। ଅନ୍ୟ କଂପାନିଗୁଡ଼ିକ ଆମେରିକାର ପ୍ରମୁଖ ସହର ଯଥା ସାନ୍ ଫ୍ରାନ୍ସିସ୍କୋ, ଡଲାସ୍ ଫୋର୍ଟ ୱର୍ଥ, ଓର୍ଲାଣ୍ଡୋ, ସିଆଟଲ୍, ମାୟାମି, ନ୍ୟୁୟର୍କ, ହୋଷ୍ଟନ, ଚିକାଗୋ ଓ ବୋଷ୍ଟନ ଆଦିକୁ ଯାତ୍ରା କରିବାକୁ ଥିବା ବିମାନର ଉଡ଼ାଣକୁ ରଦ୍ଦ କରିଛନ୍ତି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ ବୋଲି କଂପାନିଗୁଡ଼ିକ କହିଛନ୍ତି। କଂପାନିଗୁଡ଼ିକ ଉଡ଼ାଣ ବାତିଲ କରୁଥିବା ବେଳେ ଭାରତର ବିମାନ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ସମସ୍ୟାର ସମାଧାନ କରିବା ଲାଗି ଏହା ବିମାନ କଂପାନିଗୁଡ଼ିକ ସହ ପ୍ରତ୍ୟକ୍ଷ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରୁଛି।
ଏୟାର ଇଣ୍ଡିଆ ପକ୍ଷରୁ ଏକ ଟୁଇଟ୍ କରି ଅବଗତ କରାଯାଇଛି ଯେ ଆମେରିକାରେ ୫ଜି ବ୍ୟବସ୍ଥା ମୂତୟନ ହୋଇଥିବାରୁ ସେଠାକୁ ଯିବାକୁ ଥିବା ବିମାନଗୁଡ଼ିକର ଉଡ଼ାଣ ସାରଣୀରେ ସଂଶୋଧନ ଓ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ଏହି ପରିବର୍ତ୍ତନ ଆରମ୍ଭ ହୋଇଛି। ଏମିରେଟ୍ସ ମଧ୍ୟ ଏହାର ଯାତ୍ରୀମାନଙ୍କୁ ଉଡ଼ାଣ ସାରଣୀରେ ହୋଇଥିବା ପରିବର୍ତ୍ତନ ବିଷୟରେ ଅବଗତ କରିଛି। ଚଳିତ ମାସ ୧୯ରୁ ଆମେରିକା ଯିବାକୁ ଥିବା ବିମାନଗୁଡ଼ିକର ଉଡ଼ାଣକୁ ରଦ୍ଦ କରାଯାଇଛି ବୋଲି କଂପାନି ଏକ ଟୁଇଟ୍ କରି ଜଣାଇଛି। ଜାପାନ ଏୟାରଲାଇନ୍ସ ମଧ୍ୟ ସମାନ କାରଣ ଲାଗି ଆମେରିକା ଯିବାକୁ ଥିବା ବିମାନଗୁଡ଼ିକର ଉଡ଼ାଣ ରଦ୍ଦ କରିଛି। ବୋଇଙ୍ଗ୍ ୭୭୭ ବିମାନରେ ସ୍ଥାନ କରାଯାଇଥିବା ଅଲ୍ଟିମିଟରର ରେଡିଓ ତରଙ୍ଗକୁ ୫ଜି ପ୍ରଭାବିତ କରିବାର ଆଶଙ୍କା ଥିବାରୁ କଂପାନି ଉଡ଼ାଣ ରଦ୍ଦ କରିବା ନିଷ୍ପତ୍ତି ନେଇଥିବା କହିଛି।
ଆମେରିକାର ପ୍ରମୁଖ ବିମାନ କଂପାନି ଯଥା ୟୁଏସ୍ ଏୟାରଲାଇନ୍ସ, ଆମେରିକାନ୍ ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ, ୟୁନାଇଟେଡ୍ ଏୟାରଲାଇନ୍ସ ଓ ସାଉଥ୍ୱେଷ୍ଟ୍ ଏୟାରଲାଇନ୍ସର ସିଇଓମାନେ ବିମାନ ଉଡ଼ାଣ ଉପରେ ୫ଜି ସେବାର ରହିଥିବା ଗଭୀର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ନୂଆ ୫ଜି ସ୍ପେକ୍ଟ୍ରମ୍ ମୂତୟନ କରାଯାଉଥିବାରୁ ତାହା ଦେଶରେ ବିମାନ ସେବାକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ସେମାନେ କହିଥିଲେ। କେବଳ ଯାତ୍ରୀବାହୀ ନୁହେଁ ମାଲବାହୀ ବିମାନଗୁଡ଼ିକର ଚଳାଚଳ ମଧ୍ୟ ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି। ଏବେ ଏଟିଆଣ୍ଡ୍ଟି ଓ ଭେରିଜନ୍ ପକ୍ଷରୁ ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ୫ଜି ମୂତୟନକୁ ଅଟକାଇ ଦିଆଯାଇଛି। ଏ ସମ୍ପର୍କରେ ଏଟିଆଣ୍ଡ୍ଟି ପକ୍ଷରୁ କୁହାଯାଇଛି ଯେ ଆମେ ସୀମିତ ସଂଖ୍ୟକ ଟାୱାରକୁ ନେଇ ୫ଜି ସେବା ଆରମ୍ଭ କରୁଛୁ। ସେହିପରି ଭେରିଜନ୍ ପକ୍ଷରୁ କୁହାଯାଇଛି ଯେ ବିମାନବନ୍ଦର ଆଖାପାଖ ଅଞ୍ଚଳରେ ଆମେ ୫ଜି ନେଟ୍ୱର୍କ ସୀମା ଭିତରେ ରଖିବୁ।
ଭୟର କାରଣ
ଆମେରିକାର ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଫେଡେରାଲ୍ ଆଭିଏସନ୍ ଆଡ୍ମିନିଷ୍ଟ୍ରେସନ (ଏଫ୍ଏଏ) ପକ୍ଷରୁ କୁହାଯାଇଥିଲା ଯେ ବିମାନରେ ଲାଗିଥିବା ରେଡିଓ ଅଲ୍ଟିମିଟରକୁ ୫ଜି ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହା ବିମାନର ଇଞ୍ଜିନ ଓ ବ୍ରେକ୍ ବ୍ୟବସ୍ଥାକୁ ଅଚଳ କରିପାରିବ ଏବଂ ତାହାର ପ୍ରଭାବ ବିମାନ ଅବତରଣ ଉପରେ ପଡ଼ିବ। ବିମାନ ରନ୍ୱେ ଅଟକି ନପାରିବା ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଏହା ଜଣାଇଥିଲା। ଅଲ୍ଟିମିଟର ଜରିଆରେ ଭୂପୃଷ୍ଠ ଠାରୁ ବିମାନ କେତେ ଉଚ୍ଚରେ ରହିଛି ତାହା ମପା ଯାଇଥାଏ। ଯେଉଁ ବ୍ୟାଣ୍ଡ୍ରେ ଅଲ୍ଟିମିଟର କାର୍ଯ୍ୟ କରୁଛି ତାହା ୫ଜି ବ୍ୟାଣ୍ଡ୍ ପାଖାପାଖି ରହିଛି।