ନୂଆଦିଲ୍ଲୀ: ଏକ ବଡ ଧରଣର ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିବା ଜଣାପଡିଛି । ୭.୩ ତୀବ୍ରତାର ଭୂକମ୍ପ ପରେ ଫ୍ଲୋରେସ ଦ୍ବୀପ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ଭୂକମ୍ପର ଗଭୀରତା ୧୮.୫ କିମି ରହିଛି। ଫ୍ଲୋରେସ ସମୁଦ୍ରରେ ସ୍ଥାନୀୟ ସମୟ ୧୦.୨୦ରେ ଏହା ଘଟିଛି। ତେଣୁ ଫ୍ଲୋରେସ ଦ୍ୱୀପ ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି।
ପାସିଫିକ ସୁନାମି ୱାର୍ଣ୍ଣିଂ ସେଣ୍ଟର କହିଛି, ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ଉପକୂଳରେ ଥିବା ୧୦୦୦ କିମି ଅଞ୍ଚଳ ଯାଏ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି। ତେଣୁ କେନ୍ଦ୍ର ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଭୂକମ୍ପ ଝଟକାରେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି। କିନ୍ତୁ ସୁନାମି ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି। ପୂର୍ବରୁ ମଧ୍ୟ ଇଣ୍ଡୋନେସିଆରେ ଏପରି ବଡ଼ଧରରଣ ଭୂକମ୍ପ ଝଟକା ପରେ ସୁନାମି ଆସି ପ୍ରଳୟ ରଚିଥିଲା। ତେଣୁ ଲୋକମାନେ ଏହି ଖବର ପାଇବା ପରେ ଆତଙ୍କିତ ହୋଇପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୦୪ରେ ୯.୧ ତୀବ୍ରତାର ଭୂକମ୍ପ ଝଟକାରେ ସୁମାତ୍ରା ଥରିଥିଲା। ଏହାପରେ ଆସିଥିବା ଭୟଙ୍କର ସୁନାମି ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୨୨୦,୦୦୦ ଲୋକଙ୍କ ଜୀବନ ନେଇଥିଲା। ସୁନାମୀ ଶ୍ରୀଲଙ୍କା, ନେପାଳ ଓ ଭାରତ ଭଳି ୯ଟି ଦେଶରେ ଦେଖାଯାଇଥିଲା। ସେହିପରି ୨୦୧୮ରେ ଲୋମବକ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ଜୀବନ ଯାଇଥିଲା। ଗତବର୍ଷ ପଲରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମି ଦେଖାଯାଇଥିଲା। ଏଥିରେ ୪,୩୦୦ ଜଣ ଲୋକ ମୃତ କିମ୍ବା ନିଖୋଜ ହୋଇଯାଇଥିଲେ।