ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୦୦ ଛୁଇଁଲା

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୧୧ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୦୦ ଛୁଇଁଛି । ଜିଲ୍ଲା ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୫୩୬ଟି ରାପିଡ୍ ଆଂଟିଜେନ୍ ଓ ୩୮୪ଟି ଆରଟିପିସିଆର୍ ପରୀକ୍ଷଣ ହୋଇଥିଲା । ଏହା ମଧ୍ୟରୁ ୧୧୧ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି ।

ତେବେ ଗତ ଏପ୍ରିଲ୍ ମାସରେ ଚିଲିକା-ବାଲୁଗାଁ ଓ ବାଣପୁରରେ ସଂକ୍ରମଣ ହାର କମ୍ ରହିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଏହି ଅଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲିଅନ୍ତାରୁ ୯, ବାଲିପାଟଣାରୁ ୬, ଭୁବନେଶ୍ୱର ବ୍ଲକରୁ ୧୪, ଜଟଣୀରୁ ୭, ଖୋର୍ଦ୍ଧା ପୌରାଂଚଳ ଓ ବ୍ଲକରୁ ୧୭, ବେଗୁନିଆରୁ ୬, ବୋଲଗଡ଼ରୁ ୨, ଟାଙ୍ଗୀରୁ ୮, ଚିଲିକା-ବାଲୁଗାଁରୁ ୧୮, ବାଣପୁରରୁ ୧୫, ଅନ୍ୟ ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରୁ ଖୋର୍ଦ୍ଧାକୁ ଆସିଥିବା ୯ଜଣ ଅଛନ୍ତି । ଏହା ସହିତ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯୭ ହୋଇଛି । ଅପରପକ୍ଷରେ ଆଜି ୧୦୫ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାଯାଇଛି ।

ଖୋର୍ଦ୍ଧା ପୌରାଞ୍ଚଳରେ ଏକାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାରୁ ୱାର୍ଡ ନମ୍ବର ୨ ଓ ୱାର୍ଡ ନମ୍ବର ୮ର କେତେକ ଅଂଚଳକୁ ଅଣୁ କଂଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳ ମଧ୍ୟରୁ ଆଜି ଠାରୁ ୮ ତାରିଖ ଯାଏଁ ସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ସମ୍ବନ୍ଧିତ ଖବର