ଟ୍ରେନ୍‌ ରହଣି ଦାବିରେ ବାମରାରେ ୧୦ ଘଣ୍ଟା ରେଳରୋକ 

ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ବାମରା: ସମ୍ବଲପୁର ଜିଲ୍ଲା ବାମରା ରେଳ ଷ୍ଟେସନରେ ଟ୍ରେନ୍‌ ରହଣି ଉଚ୍ଛେଦ ପ୍ରତିବାଦରେ ବୁଧବାର ୧୦ ଘଣ୍ଟା ଧରି ରେଳରୋକ ଆନ୍ଦୋଳନ ହୋଇଥିଲା। କୋରୋନା ଆଳରେ ପ୍ରାୟ ସମସ୍ତ ଏକ୍ସପ୍ରେସ ଟ୍ରେନର ରହଣିକୁ ଏହି ଷ୍ଟେସନ୍‌ରେ ଉଚ୍ଛେଦ କରାଯାଇଛି। ବାରମ୍ବାର ଦାବି ସତ୍ତ୍ୱେ ରେଳ ବିଭାଗ କର୍ଣ୍ଣପାତ ନ କରିବାରୁ ଶେଷରେ ରେଳରୋକ ଆନ୍ଦୋଳନ ନିଷ୍ପତ୍ତି ନିଆ ଯାଇଥିଲା। ବୁଧବାର ବାମରା ରେଳ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ସକାଳ ୬ ଟାରୁ ରେଳରୋକ ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ୫ଟି ପର୍ଯ୍ୟାୟ ଆଲୋଚନା ପରେ ଶେଷରେ ରେଳ ବିଭାଗ ପକ୍ଷରୁ ଅସ୍ଥାୟୀ ରହଣି ଥିବା ହାୱଡା ଅହମ୍ମଦାବାଦ ଏକ୍ସପ୍ରେସ, ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଓ ଦୁର୍ଗ ରାଜେନ୍ଦ୍ର ନଗର ସାଉଥ ବିହାର ଏକ୍ସପ୍ରେସ ର ସ୍ଥାୟୀ ରହଣି ସହ ଅତି ଶୀଘ୍ର ପୁରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ, ରାଉରକେଲା ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ, ଧନବାଦ ଆଲାପୁଜ୍ଜା ମାଡ୍ରାସ ଏକ୍ସପ୍ରେସ ଓ ଟିଟଲାଗଡ଼ ହାୱଡା ଇସ୍ପାତ ଏକ୍ସପ୍ରେସ ରହଣି ପାଇଁ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଥିଲା।

ଏହା ସହିତ ବାମରାରେ ଅଣ୍ଡରପାସ ନିର୍ମାଣ ଓ ଯାତ୍ରୀ ଟିକେଟ ଆରକ୍ଷଣ ସମୟ ବୃଦ୍ଧି ନେଇ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ପରେ ଅପରାହ୍‌ଣ ପ୍ରାୟ ୪ ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।  ଆଲୋଚନାରେ ରେଳ ବିଭାଗ ପକ୍ଷରୁ ଚକ୍ରଧରପୁର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ମନୀଷ ପାଠକ ଓ ଅତିରିକ୍ତ ରେଳ ପ୍ରବନ୍ଧକ ଅଜିତ ପଣ୍ଡା, ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲାପାଳ ହର୍ମେନ୍ଦ୍ର ଭୋଇ ଓ ବାମରା ତହସିଲଦାର ଅନୀଲ କୁଲୁ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ରବି ନାରାୟଣ ନାଏକ, ବୃନ୍ଦାବନ ମାଝୀ, ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଟପ୍ପୋ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ ଓ ବ୍ଲକ ଉପାଧ୍ୟକ୍ଷ ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ମିଶ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ କ୍ଷୀରୋଦ ସା, ସୁନୀଲ ଲାଠ, ପ୍ରଶାନ୍ତ ଶତପଥୀ, ସନ୍ଦୀପ ଖଣ୍ଡେଲୱାଲ, ବିଷ୍ଣୁ ଅଗ୍ରୱାଲ ଓ ସନ୍ତୋଷ ପାଣ୍ଡେ ଉପସ୍ଥିତ ରହି କଟୁ ସମାଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦପୁର ସରପଞ୍ଚ ବିମଲ ଲାକ୍ରା, ଗଡ଼ପୋଷ ସରପଞ୍ଚ ପୁଷ୍ପା ତିର୍କୀ, କୁଟାରିମାଲ ସରପଞ୍ଚ ତ୍ରିଲିଙ୍ଗ ଛତ୍ରିଆ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲାବତୀ ମିଞ୍ଜ, ସମିତି ସଭ୍ୟା ସୌଦାମିନୀ ନାଏକ, ଶ୍ରମିକ ସଂଗଠନ ନେତା ବିଷ୍ଣୁ ପଣ୍ଡା, ଜିନିତ ସମାଦ, ଦେଓକରଣ ଲୁହା, ଯୋଗ ବିହାରୀ ପରିଡ଼ା, ମମତା ମହାନନ୍ଦ, ଲକ୍ଷ୍ମୀ ନାରାୟଣ ଛତ୍ରିଆ, ଏଆଇସିସି ମେମ୍ବର ରାଜକୁମାର ଯାଦବଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ବାମରା ତହସିଲଦାର ଶ୍ରୀ କୁଲୁ ଉପସ୍ଥିତ ଥିବା ବେଳେ  ସୁରକ୍ଷା ଦାୟିତ୍ୱରେ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର, ଅତିରିକ୍ତ ଏସପି ତପନ କୁମାର ମହାନ୍ତି, ଜି ଆରପି ଏସଡ଼ିପିଓ ପବିତ୍ର କିସାନ, ଆରପିଏଫ ଡିଏସସି ଓଁକାର ସିଂ ଓ ରାଜୀବ ଉପାଧ୍ୟାୟ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର