ଖୋଲିଲା ଐତିହ୍ୟ ସ୍ମାରକୀ, ଆସୁନାହାନ୍ତି ପର୍ଯ୍ୟଟକ

ଓଡ଼ିଶାରେ ଖୋଲିଛି ୩୨ ସ୍ମାରକୀ, ସଂଗ୍ରହାଳୟ, ଉଦୟଗିରିକୁ ୫ଦିନରେ ଆସିଛନ୍ତି ୨୦

ଭୁବନେଶ୍ବର: ପାଖାପାଖି ୫ ମାସ ଧରି ରୋକ୍‌ ଲାଗିବା ପରେ ଏଏସ୍‌ଆଇ ଅଧୀନସ୍ଥ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ସ୍ମାରକୀ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ମାତ୍ର ପର୍ଯ୍ୟଟକଙ୍କ ଭିତରେ ପର୍ଯ୍ୟଟନସ୍ଥଳୀ ବୁଲିବାର ଭୋକ ଆଉ ଆଗଭଳି ନାହିଁ। କରୋନା ଲୋକଙ୍କ ମନରେ ଏତେ ଭୟ ସଞ୍ଚାର କରିଛି ଯେ ଲୋକେ ବୁଲିବା କଥା ଭୁଲି ଯାଇଛନ୍ତି। ଫଳରେ ଗତ ୫ ଦିନ ଭିତରେ କେବଳ ଖଣ୍ଡଗିରି-ଉଦୟଗିରିକୁ ‌୨୦ ଜଣ ପର୍ଯ୍ୟଟକ ଆସିଥିବା ବେଳେ ରାଜାରାଣୀ ମନ୍ଦିରକୁ ୫ ଦିନ ମଧ୍ୟରେ ଜଣେ ହେଲେ ପର୍ଯ୍ୟଟକଙ୍କ ଆଗମନ ହୋଇନାହିଁ।

ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା) ଦ୍ବାରା ଓଡ଼ିଶାରେ ସଂରକ୍ଷିତ ୩୨ଟି ସ୍ମାରକୀ, ଐତିହ୍ୟ ଓ ସଂଗ୍ରହାଳୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ଯାଜପୁରର ଲଳିତଗିରି ଓ ରତ୍ନଗିରି ସଂଗ୍ରହାଳୟ ଏବଂ କଟକସ୍ଥିତ ସଂଗ୍ରହାଳୟ ମଧ୍ୟ ଖୋଲାଯାଇଛି। ତେବେ କୌଣସି ସ୍ଥାନରେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ଦୁଇ ଅଙ୍କ ଛୁଇଁପାରିନାହିଁ। ଏନେଇ ଏଏସ୍‌ଆଇ ଓଡ଼ିଶା ସର୍କଲ୍‌ର ସୁପରିନଟେଣ୍ଡିଙ୍ଗ ଆର୍କିଓଲୋଜିଷ୍ଟ୍‌ ଅରୁଣ ମଲ୍ଲିକ କହିଛନ୍ତି, ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଏ ସମସ୍ତ ଐତିହ୍ୟ ଓ ସଂଗ୍ରହାଳୟକୁ ଖୋଲାଯାଇଛି। ଗୃହ ମନ୍ତ୍ରାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ସମସ୍ତ ଏସ୍‌ଓପି ତଥା ଗାଇଡ୍‌ଲାଇନ୍‌କୁ ସମସ୍ତ ୩୨ଟି ଐତିହ୍ୟ ସ୍ଥଳରେ କଡ଼ାକଡ଼ି ପାଳନ ମଧ୍ୟ କରାଯାଉଛି। ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କର ଥର୍ମାଲ୍‌ ସ୍କ୍ରିନିଂ ସହ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟକୁ ବାରମ୍ବାର ସାନିଟାଇଜ୍‌ କରାଯାଉଛି। ପର୍ଯ୍ୟଟକମାନେ ବୁଲିବାକୁ ଆସିବା ନେଇ ଆମେ ସ୍ବାଗତ କରୁଛୁ। ତେବେ ପର୍ଯ୍ୟଟକମାନେ ନିଜ ସୁରକ୍ଷା ଦୃଷ୍ଟିରୁ ନଆସିଲେ ଆମ ହାତରେ କୌଣସି ନିୟନ୍ତ୍ରଣ ନାହିଁ।

ରାଜଧାନୀରେ ଖଣ୍ଡଗିରିକୁ ମୁକ୍ତ ପ୍ରବେଶ ଥିବାରୁ ଅପେକ୍ଷାକୃତ ଭାବେ ଅଧିକ ଲୋକ ଯାଇଥିଲେ ହେଁ ଏହାର ହିସାବ ନାହିଁ। ମାତ୍ର ଅଗଷ୍ଟ ୧ ଓ ୨ ତାରିଖରେ ଉଦୟଗିରି ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିଥିଲେ ହେଁ ଜଣେ ମଧ୍ୟ ପର୍ଯ୍ୟଟକ ଆସିନଥିଲେ। ଏହାପରେ ୩ ତାରିଖରେ ୮ଜଣ, ୪ରେ ୬ଜଣ ଓ ଆଜି ୬ଜଣ ବୁଲିବାକୁ ଆସିଥିଲେ। ଅଥଚ ରାଜାରାଣୀ ମନ୍ଦିରକୁ ୫ ଦିନ ମଧ୍ୟରେ ଜଣେ ‌ହେଲେ ପର୍ଯ୍ୟଟକ ଭ୍ରମଣ କରିନାହାନ୍ତି। ପର୍ଯ୍ୟଟକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କାଉଣ୍ଟରରେ ଟିକେଟ୍‌ ଉପଲବ୍ଧ ହେଉନାହିଁ। ବରଂ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିବାର ବ୍ୟବସ୍ଥା କରାଯାଇଛି। ଟିକେଟ୍‌ କାଉଣ୍ଟରରେ ଏକ କ୍ୟୁ-ଆର୍‌ କୋଡ୍‌ ସ୍କାନର ରହିଥିବା ବେଳେ ଜଣେ ସେଠାରେ ପହଞ୍ଚି ବୁକିଂ କରି ଭିତରକୁ ପ୍ରବେଶ କରୁଛି। ଏ ସମ୍ପର୍କରେ ପର୍ଯ୍ୟଟକଙ୍କୁ ବୁଝାଇବା ପାଇଁ ଏଏସ୍‌ଆଇର କର୍ମକର୍ତାମାନେ ଉପସ୍ଥିତ ରହୁଛନ୍ତି।

କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବା ସମ୍ପର୍କରେ ଶ୍ରୀ ମଲ୍ଲିକ କହିଛନ୍ତି, ପୁରୀ ଜିଲ୍ଲାପାଳ ସୂର୍ଯ୍ୟ ମନ୍ଦିର ‌ନଖୋଲିବା ନେଇ ନୋଟିସ୍‌ ଦେଇଥିବାରୁ ଆମେ ଏହାକୁ ବନ୍ଦ ରଖିଛୁ। ପୁରୀ ଜିଲ୍ଲା ପ୍ରଶାସନର ଅନୁମତି ମିଳିବା ପରେ ସୂର୍ଯ୍ୟ ମନ୍ଦିରକୁ ପର୍ଯ୍ୟଟକ ଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଏଏସ୍‌ଆଇ ଅଧୀନରେ ଥିବା ଏବଂ ପୂଜା ରୀତିନୀତି ହେଉଥିବା ଐତିହ୍ୟ ମନ୍ଦିରଗୁଡ଼ିକ ଏବେ ଖୋଲିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର