ଯାଜପୁର: ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବକ ବିବେକାନନ୍ଦ ସାହୁଙ୍କୁ ଝିଅର ସମ୍ପର୍କୀୟମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଆହତ ବିବେକଙ୍କୁ ପାଣିକୋଇଲି ପୁଲିସ୍ ଚିକିତ୍ସା ନକରି ଗୁରୁତର ଅବସ୍ଥାରେ ଜେଲ୍କୁ ପଠାଇଛି। ଏହି ଘଟଣାରେ ପାଣିକୋଇଲି ଥାନାର କର୍ମଚାରୀ ସମ୍ପୃକ୍ତ ଥିବାରୁ ଏକପାଖିଆ କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ଆହତ ଯୁବକଙ୍କ ପରିବାର ଶୁକ୍ରବାର ଯାଜପୁର ଏସ୍ପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ଆହତ ବିବେକଙ୍କ ଅଭିଯୋଗରେ ପୁଲିସ ନଂ. ୩୩୫/୨୧ରେ ହୋମଗାର୍ଡ କେଶବ ସାହୁ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ।
ପ୍ରକାଶ ଯେ, ପାଣିକୋଇଲି ଥାନା ଅନ୍ତର୍ଗତ ବର୍ତ୍ତମଣା ଗ୍ରାମର ବିବେକ ଜଣେ ଝିଅକୁ ଭଲପାଇବା ସହ ତାଙ୍କ ପରିବାରକୁ ସହଯୋଗ କରିଆସୁଥିଲେ। ହେଲେ ଏଥିରେ ବିବାଦ ସୃଷ୍ଟି ହେବାରୁ ବିବେକଙ୍କୁ ଝିଅଘର ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ବିବେକଙ୍କ ମୁଣ୍ଡ ଫାଟି ଯାଇଥିଲା। ଆକ୍ରମଣକାରୀଙ୍କ ୩ ଜଣ ପରିବାର ସଦସ୍ୟ ପୁଲିସ ବିଭାଗରେ ଚାକିରି କରୁଥିବାରୁ ପାଣିକୋଇଲି ପୁଲିସ ଏଥିରେ ପକ୍ଷଭୁକ୍ତ ହୋଇଯାଇଥିଲା। ଗୁରୁତର ଆହତ ବିବେକଙ୍କୁ ଗିରଫ କରି ଜେଲ୍କୁ ପଠାଇଥିଲା।
ଏପରିକି ଆହତ ବିବେକଙ୍କର ଉପଯୁକ୍ତ ଚିକିତ୍ସା କରାଯାଇନଥିଲା। ଏହାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିବେକଙ୍କ ପିଉସୀ ଲକ୍ଷ୍ମୀପ୍ରିୟା ମାଇତି ଯାଜପୁର ଏସ୍ପିଙ୍କୁ ଅନୁରୋଧ କରିଛନ୍ତି। ଏସ୍ପିଙ୍କୁ ସାକ୍ଷାତ କରି ଆକ୍ରମଣ ସମୟର ଭିଡିଓ ଓ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଏସ୍ପି ପ୍ରତିଶ୍ରୁତି ଦେଇଥିବା ବିବେକଙ୍କ ପିଉସୀ କହିଛନ୍ତି।