ରାସ୍ତାକଡ଼ ତିନିକୋଣିଆ ବଗିଚାର ଭଙ୍ଗା ଘରେ ବସି, ଆଜି, ଆସୁଥିବା ଶବ୍ଦ ସବୁ ଶୁଣୁଥାଏ; ବିଭିନ୍ନ ଶବ୍ଦ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ମନ ମୋର ନ ଥାଏ ଏ ମୁହୂର୍ତ୍ତଟିରେ। ମୁହୂର୍ତ୍ତଟିର ଲୁଚାଛପା ନିରବତା ମତେ ଘୋଷାରି ନିଏ ଅଶୀ ବର୍ଷ ପଛକୁ, ଯେବେ ମତେ ହେଇଥିଲା ବାର ବର୍ଷ, ଆଉ ଏ ସହରଟି ମତେ ନ୍ୟୁୟର୍କ ପରି ମନେ ହେଉଥିଲା। ଏତେ କଥା ରହିଚି କଟକରେ, ଯାହାକୁ ଦେଖି ବି ଦେଖିପାରି ନାଇଁ, ବୁଝି ପାରିନାଇଁ। ସେଥିପାଇଁ ମୋର ସେଇ ବାର ବର୍ଷ ବୟସର ଜୀବନକୁ ନେଇଯିବି କଟକର ଗୋଟିଏ ଦୁଇଟି ରାସ୍ତା ଭିତରେ, ଆଉ ସେଇ ରାସ୍ତାରେ ବସବାସ କରୁଥିବା ଲୋକଙ୍କ ଭିତରେ।
ଦ୍ବିତୀୟ ମହାଯୁଦ୍ଧ ଚାଲିଥାଏ, ବର୍ଷେ ଚାଲିଯାଇଥାଏ, କିଛି ସେମିତି ଶବ୍ଦ ରାସ୍ତାରେ ଶୁଣାଯାଏ ନାଇଁ। ସେବେ ୧୯୪୦। ବାର ବର୍ଷରେ ମୁଁ ଷ୍ଟୁଆର୍ଟ ୟୁରୋପିଆନ୍ ସ୍କୁଲ୍ରେ; ଆଉ ଆମ ପେଟିନ୍ ସାହି ଘରୁ ବାପା ଠିକଣା କରିଥିବା ବରିଆର ହାତଟଣା ରିକ୍ସାରେ ମୁଁ ଆଉ ମୋ ସାନ ଭାଇ ପ୍ରଶାନ୍ତ ଯିବା ଆସିବା କରୁ। ପ୍ରାୟ ଅଧଘଣ୍ଟା ଲାଗେ ସ୍କୁଲ୍ରେ ପହଞ୍ଚିବାକୁ। ଗୋଡ଼ି ମାଟି ରାସ୍ତାରେ ଘରୁ ଆଠଟା ବେଳେ ବାହାରି ଯାଉ ବରିଆର ରିକ୍ସାରେ। ସିଧା ପେଟିନ୍ ସାହି ପୋଖରୀକୁ, ଯାହାର ଦୁଇ କୋଣରେ କାଠଖୁଣ୍ଟିରେ କିରାସିନି ବତି ଛିଡ଼ା। ପୋଖରୀକୁ ବୁଲି ଗଲେ ପହଞ୍ଚୁ କେଶରପୁରଠୁ ଜେଲ୍ରୋଡ୍କୁ ଲାଗିଥିବା ଟିକିଏ ଚଉଡ଼ା ରାସ୍ତାରେ।
ଆଉ କେବେ କେବେ ଦେଖେ ରାସ୍ତାରେ, ବା ପୋଖରୀ କଡ଼ରେ, ସାତ ଆଠ ବର୍ଷର ଝିଅ ଆରତୀକୁ, ସ୍କୁଲ୍ ଯିବାବେଳେ, ବା ଏମିତି କେବେ। ଆରତୀ ଏବେ ଅବସର ଗ୍ରହଣ କରିଚି ପ୍ରାଧୢାପକ ପଦରୁ ଓ ଭୁବନେଶ୍ବରରେ କରିଚି ଘର। ଭଲ ଲାଗେ ଦେଖିବାକୁ ଆରତୀକୁ। କିନ୍ତୁ ଆରତୀରେ, କଟକ ସାଙ୍ଗେ ମୋ କଥାବାର୍ତ୍ତା ଶେଷ ହୁଏ ନାଇଁ। ବରିଆ ରିକ୍ସାକୁ ଆଗେଇନିଏ ମେରିଆ ବଜାର ଛକକୁ, ଯୋଉଠୁ ବୁଲି ଯାଉ ସେ ସରୁଆ ବାଉଁଶ ଗଳିକୁ। ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଘର ମେରିଆ ବଜାର ଛକ ଉପରେ। ଆଉ ଅନେକ ଥର ସ୍କୁଲ୍ ଗଲାବେଳେ ଦେଖେ ସେ ସାତ ଆଠ ବର୍ଷର ଝିଅକୁ, କେବେ କେବେ ଖାଲି ଧଳା ସେମିଜ୍ଟିରେ। ଭଲ ଲାଗେ ଦେଖିବାକୁ ତାକୁ, ଛିଡ଼ା ହେଇଥାଏ ବା ରାସ୍ତାରେ ଦୌଡ଼ୁଥାଏ। ସାତ ଆଠ ବର୍ଷର ସୁନନ୍ଦା। ସେ ସାନ ବୟସରେ ବି କ’ଣ ମନ ଦୌଡ଼େ ନାହିଁ, ମୁକ୍ତ ପବନ ପରି, କି ସ୍ବପ୍ନଟିଏ ପରି? ସୁନନ୍ଦାର ସ୍ବର ଯେ ଛୁଇଁବ ଆକାଶକୁ, ଭାବି ପାରିନଥିଲି ମୁଁ। ଏତେ ବଡ଼ ଗାୟିକା ହେବ, କଲିକତାବାସୀଙ୍କୁ ମୁଗ୍ଧ କରିବ ତା’ ଜଣାଣରେ। ମୋ ପୃଥିବୀଟି କେତେ ଛୋଟ। ଜାଣିନଥିଲି ଯେ ସେ ଏ ବର୍ଷ ଆରମ୍ଭରେ, ଜାନୁଆରି ମାସରେ ଆମକୁ ଛାଡ଼ି ଚାଲିଯିବ।
ହେଲେ, କହୁଥିଲି ସେ ସ୍କୁଲ୍ ଯିବା ରାସ୍ତା କଥା। ସେଇ ଯିବା ଆସିବା ରାସ୍ତାରେ (ମୁଁ) କ’ଣ ଦେଖିପାରେ ହଜିଯାଇଥିବା କାମନାର ଋତୁକୁ? ଅନୁଭବ କରେ କି ଅନ୍ୟ ଜଣକ ପ୍ରତି ଅଜଣା ଭାବ, ପାଖକୁ ଯିବାର ଭାବ? କିନ୍ତୁ ସେତିକିରେ ମୋ ସ୍କୁଲ୍ ଯିବା ରାସ୍ତା ଶେଷ ହୁଏନା। ବରିଆର ରିକ୍ସା ଧୀରେ ଧୀରେ ପହଞ୍ଚେ କଟକର ପ୍ରଧାନ ରାସ୍ତାରେ- ଚାନ୍ଦନିଚୌକରୁ ଷ୍ଟେସନ ଯିବା ରାସ୍ତା। ଠିକ୍, ଆଜି ମୁଁ ଯୋଉ ଘରେ ରହିଚି, ସେଇଠି। ଏକାଡେମି ସ୍କୁଲ୍ ହେଡ୍ମାଷ୍ଟରଙ୍କ ଘର ସାମ୍ନାରେ। ଆଉ ସେଇଠି, ଆଉ ଗୋଟିଏ ଆଠ ବର୍ଷର ଝିଅ ନାଚିଯାଏ ସେ ଧୂଳି ରାସ୍ତା ଉପରେ: ମିନତି: ଆଖି ଦୁଇଟିରୁ ତା’ର ଝରିଯାଏ ଜ୍ୟୋତ୍ସ୍ନା, ମୁଁ ଦେଖେ ତାକୁ, ସେ ଦେଖେ ମତେ, ଆଉ ବରିଆ ତା’ ରିକ୍ସାରେ ଆମକୁ ବୋହିନିଏ। ମିନତି କାଳକ୍ରମେ ଭାରତବର୍ଷର ପ୍ରସିଦ୍ଧ ଓଡ଼ିଶୀ ନର୍ତ୍ତକୀ ଭାବରେ ନାମ କମେଇଲେ। ଦୁଃଖର ବିଷୟ ଯେ ଏଇ ବର୍ଷ ଜାନୁଆରି ମାସରେ ସେ ମୃତ୍ୟୁ ବରଣ କଲେ।
ଆଜି ମୁଁ ଯୋଉ ଘରେ ରହୁଚି ସେଇ ଘର ସେବେ ମହାଯୁଦ୍ଧ ସକାଶେ ଏ.ଆର୍.ପି.ର ମୁଖ୍ୟ କାର୍ଯ୍ୟାଳୟ ଥିଲା। (ଏ.ଆର୍.ପି ହେଉଚି Air Raid Precautionsର ସାଙ୍କେତିକ ଅକ୍ଷର) ସାନ ପାଚେରି ଘେରା ଘରଟି। କିନ୍ତୁ ମୋର ଆଖି ପଡ଼େ ନାଇଁ ସେ ଘର ଉପରେ ଏତେ ଥର ଯିବାଆସିବା ଭିତରେ। ବରିଆର ରିକ୍ସା ଆଗେଇ ଯାଏ ବକ୍ସି ବଜାର। ଆମ ଘରକୁ ଲାଗି (ଆଜି ଯୋଉଠି ମେଟ୍ରୋ ପ୍ଲାଜା) ଗୋଟେ ବଡ଼ ପୋଖରୀ। ପୋଖରୀର ଗୋଟିଏ ପାଖରେ କଦମ୍ବ ଗଛ ଗୋଟେ, ଆର ପାଖରେ ଧାଡ଼ିଏ ନଡ଼ିଆ ଗଛ। ରାସ୍ତାକୁ ଲାଗି, ପୋଖରୀ କଡ଼ରେ ବଡ଼ ଓସ୍ତ ଗଛ ଗୋଟିଏ। ନଡ଼ିଆ ଗଛର ଧାଡ଼ିକୁ ଲାଗି ଆଜି ରହିଚି ଅନ୍ନପୂର୍ଣ୍ଣା ଥିଏଟର୍ର ଭଙ୍ଗା ପାଚେରି। ସେବେ, ଅଶୀ ବର୍ଷ ତଳେ, ସେ ଥିଏଟର୍ ଘରେ ଚାଲୁଥିଲା ଗୋଟିଏ ସିନେମା। ସିନେମାର ନାଁ ହଲ୍ମୁକ୍। ସେ ସିନେମାରେ କଳା-ଧଳା ଫିଲ୍ମ ଦେଖାଯାଉଥିଲା। ମନେ ଅଛି ବାପାଙ୍କ ସାଙ୍ଗେ ଗୋଟିଏ ଇ˚େରଜୀ ଫିଲ୍ମ ଦେଖିବାକୁ ଯାଇଥିଲି- ନାଁ ବି ଭୁଲି ନାଇଁ- େଵ ଡାଉନ୍ ଇଷ୍ଟ (Way Down East)। ଏଥିପାଇଁ ଭୁଲିନାଇଁ ଯେ ସେ ଫିଲ୍ମ ମତେ ଭୟଭୀତ କରିଥିଲା, ବଡ଼ ବଡ଼ ଢେଉ ମାଡ଼ିଆସିବା ଦୃଶ୍ୟରେ। ରାସ୍ତାର ଆରପଟେ କାଲୁମିଆଁର ପାଉରୁଟି ଦୋକାନ। ତା’ ପାଖକୁ ଲାଗି ଗୋଟିଏ କମାରଶାଳ, ଯୋଉଠି ପ୍ରାୟ ବଳଦ ଗାଡ଼ିର କାଠ ଚକରେ ଲୁହାର ପତର ଲାଗେ। ଲୁହା ପତରକୁ ଜ୍ବଳନ୍ତା କୋଇଲାରେ ପ୍ରଥମେ ତତେଇ ଦିଆଯାଏ। ସେଇ କମାର ଭାଟିରେ ମୋର ପିଲାବେଳର ସାଙ୍ଗ କାମ କରେ। ସ୍କୁଲ୍ ଯିବା ଆସିବା ବେଳେ ଦିଜ ଆଉ ମୁଁ କଥା ଟିକେ ହେଇଯାଉ। ଆଉ କେବେ କେବେ ଫେରିବାବେଳେ ମୁଁ ଟିକେ ରହିଯାଇ ଦିଜ ସାଙ୍ଗେ ମିଶି ନିଆଁ ଜଳାଏ। ଦୁଃଖର ବିଷୟ ତିନିବର୍ଷ ତଳେ ଦିଜ ଚାଲିଗଲା। ତା’ର ମୋର ବନ୍ଧୁତ୍ବ ଜୀବନ ସାରା ସେମିତି ରହିଥିଲା।
ଦିଜ କାମ କରୁଥିବା କମାରଶାଳ ପରେ ପରେ ହେଲା କଟକ ପ୍ରସିଦ୍ଧ ଖାନ୍ ହୋଟେଲ୍। ଖାନ୍ ହୋଟେଲ୍ର ମଟନ୍ ଚପ୍ ଆଉ ବିରିୟାନି କିଏ ଭୁଲିପାରିବ? ବିଶେଷ କରି କେବେ କେବେ ଖାନ୍ ମାଛ ବିରିୟାନି ତିଆରି କରନ୍ତି। ଆଜି ଝୁରି ହୁଏ ସେ ମାଛ ବିରିୟାନି, ପାଏ ନାଇଁ କୋଉଠି, ଆଠଅଣାର ସେ ‘ଟେଷ୍ଟି’ ବିରିୟାନି!
୧୯୪୦ ଠିକ୍ ପରେ ପରେ, ଗୋଟିଏ ସୁନ୍ଦର ସିନେମା ହଲ୍ (ଯାହାର ବାଲ୍େକାନି ଥିଲା) ପ୍ରାୟ ସେଇ ଜାଗାରେ ଖୋଲିଲା। ନାଁ, ‘‘ପ୍ରଭାତ ସିନେମା’’, ଆଉ ଯେତେ ଦୂର ମନେ ପଡ଼ୁଚି, ବୋଧେ ହିନ୍ଦୀ ଫିଲ୍ମ ‘ଲଗନ୍’ରେ। କଟକ ନ୍ୟୁୟର୍କ ପରି ମନେ ହେଲା। ବରିଆ ରିକ୍ସାରେ ବସି ପାର କରେ ପ୍ରଭାତ ସିନେମାକୁ ମୋ ଡିମ୍ବା ଆଖିରେ। ବକ୍ସି ବଜାର ଛକ ତ ଆହୁରି ଦୂରରେ। ପେନ୍ସନ୍ ଲାଇନ୍ ଛକ ଟିକିଏ ପରେ ପଡ଼େ; ଯୋଉଠି କଟକର ସେବେକାର ପ୍ରସିଦ୍ଧ ଫଟୋଗ୍ରାଫର୍ଙ୍କ ଷ୍ଟୁଡିଓ। କୁଡୁସ୍ ସାହେବକୁ କିଏ ନ ଜାଣିଥିଲେ? ଯାହା କିଛି ହୁଏ କଟକରେ, କୁଡୁସ୍ ସାହେବଙ୍କୁ ଡକାଯାଏ ଫଟୋ ନେବାକୁ। ତାଙ୍କ ହାତରେ ନେଇଥିବା ବାପାଙ୍କ ଫଟୋ ମୋ ପାଖରେ, ଚମତ୍କାର ଫଟୋଟି, ବୋଧେ ୧୯୩୬ରେ ତୋଳା ହେଇଥିଲା।
କଟକର ସାଧାରଣ ରାସ୍ତାଟି। ମଝିରେ ମଝିରେ ପାନ ଦୋକାନ, ଗଛ ଗୋଟିଏ ଗୋଟିଏ ବି। ପେନ୍ସନ୍ ଲାଇନ୍ ପରେ ପରେ ଗୋଟେ ବଡ଼ ମନୋହରୀ ଦୋକାନ, ଯାହା ଭିତରକୁ କେବେ ଯାଇନି ମୁଁ। ବହୁତ ବଡ଼ ଦୋକାନ, ‘‘କୋହିନୂର ଟ୍ରେଡି˚ କମ୍ପାନି’’। ଦେଖେ, ଇଚ୍ଛା ହୁଏ ଯିବାକୁ, ଭିତରେ କ’ଣ କ’ଣ ଜିନିଷ ଦେଖିବାକୁ, ହେଲେ ଭୟ ଲାଗେ। ବରିଆ ଆଗକୁ ଆଗକୁ ରିକ୍ସା ଟାଣିନିଏ, ଓଡ଼ିଶା ଗଭର୍ଣ୍ଣମେଣ୍ଟ ପ୍ରେସ୍ ପାଖରେ ପହଞ୍ଚିଯାଏ, ସିଧା ବକ୍ସି ବଜାର ଛକ ଉପରେ। ସେଇଠୁ ଆମକୁ ବୁଲିବାକୁ ହେବ ବାଁକୁ। ବକ୍ସି ବଜାର ଛକ, ବୋଧହୁଏ କଟକର ପ୍ରଧାନ ଛକ। ପୁଲିସ ଜଣେ ଛିଡ଼ା ହେଇଥାଏ ଖାକି ପେଣ୍ଟ, ସାର୍ଟ, ଖାକି ମୋଜା ଆଉ ନାଲି ପଗଡ଼ିରେ। ମୋ ପୃଥିବୀର ଆରମ୍ଭ ଓ ଶେଷ ଏଇ ଛକଟି। ସାମ୍ନାରେ ଆଉ ଗୋଟିଏ ମନୋହରୀ ଦୋକାନ, ‘‘ଲୋଟସ୍ ଟ୍ରେଡିଂ କମ୍ପାନି’’, ହେଲେ ସମସ୍ତେ ଅନ୍ତୁ ଦୋକାନ ବୋଲି ଜାଣନ୍ତି। କିନ୍ତୁ ଆମ ରିକ୍ସାଟି ବାଁପଟକୁ ଚାଲିଯାଏ। କଟକଚଣ୍ତୀ ଆଡ଼େ।
ସେଇ ଛକରେ, ଗଭର୍ଣ୍ଣମେଣ୍ଟ ପ୍ରେସ୍କୁ ଲାଗି, ବିରାଟ ଆଉ ଏକ ମନୋହରୀ ଦୋକାନ। କ’ଣ ନ ମିଳୁଥିଲା ସେଠି? ଅନେକ ଦିନରୁ ଥିଲା, ଅନେକ ଦିନ ରହିଥିଲା, ସେ ପାର୍ସୀ ଷ୍ଟୋର୍, ଯାହାର ନାଁ ‘‘ଏଫ୍.ଏଚ୍.ବିଲିମୋରିଆ ଆଣ୍ତ କୋ’’। ବୋଧହୁଏ ଦୁଇ ଥର ଯାଇଚି ସେ ବିଲିମୋରିଆ ଦୋକାନକୁ: ଥରେ ଅଣାଏ (ଚାରି ପଇସା) ଦେଇ ଚକଲେଟ୍ ଗୋଟେ କିଣିଥିଲି, ଠିକ୍ ଆମର ରୁପା ଟଙ୍କା ପରି, ସୁନେଲି କାଗଜର ଟଙ୍କା, ତା’ରି ଭିତରେ ନେସ୍ଲେର ଚକ୍ଲେଟ୍। ଭୁଲି ନାଇଁ ମୁଁ ସେ ସୁନା ଟଙ୍କା ଚକ୍ଲେଟ୍କୁ, ଦେଖି ନାଇଁ ବି ଆଉ ସେମିତି ଚକ୍ଲେଟ୍। ବିଲିମୋରିଆ ଦୋକାନକୁ ଲାଗି ଗୋଟିଏ ସୁନ୍ଦର ଖମ୍ବ, ଖମ୍ବ ଉପରେ ସତେ ଯେମିତି କାଚର ବେଲୁନ୍। ବେଲୁନ୍ରେ ଲେଖାଥାଏ “Shell” (ସେଲ୍)। ସେତେବେଳର ପେଟ୍ରୋଲ୍ ପମ୍ପ୍; ଯାହାର ମଝିରେ ଗୋଟିଏ ହାଣ୍ତଲ୍, ତାକୁ ଦୋହଲାଇଲେ ପେଟ୍ରୋଲ ବାହାରେ। ମୁଁ କିନ୍ତୁ କେବେ ବି ଦେଖିନାହିଁ ସେଇ ପମ୍ପ୍ ପାଖରେ କୌଣସି ମଟରଗାଡ଼ି ଛିଡ଼ା ହେବାର, ଏତେ କମ୍ କାର୍ ଥିଲା ସେବେ କଟକରେ। ପାଞ୍ଚଟି ଖଣ୍ତେ ହେଇପାରେ, ରାଜାମାନଙ୍କର, ଆଉ ବୋଧହୁଏ ସ୍କୁଲ୍ରେ ପଢ଼ୁଥିବା ମୋ କ୍ଲାସ୍ର ଖାଟାଭ ସୁନ୍ଦର୍ ଦାସ୍ଙ୍କର।
ହାତ ରିକ୍ସାକୁ ଟାଣି ଟାଣି ନିଏ ବରିଆ। ଗଛ ମଝିରେ ମଝିରେ, ବକ୍ସି ବଜାର ଛକରେ ପୁରୁଣା ଓସ୍ତଟି, ନାରୀ ସ˚ଘ ସଦନକୁ ଯାଉଥିବା ଛକରେ, ଆଉ ଗୋଟିଏ ବୁଢ଼ା ଗଛ। ଆଉ ଦେଖୁ ଦେଖୁ ଆମେ ପାଖେଇ ଆସୁ ସ୍କୁଲ୍କୁ ଆମର। ମଧୁପୁର ରାଜାଙ୍କ କୋଠି ଆସିଥାଏ। ବଡ଼ ନାଲି କୋଠା, ରାସ୍ତା କଡ଼ରେ, ଉଆସ ଭିତରେ କ’ଣ ସବୁ ଥିବ ଭାବି ଗଲା ବେଳେ ଓ ଫେରିଲା ବେଳେ ଭିତରକୁ ଚାହୁଁ, କିନ୍ତୁ ଦିଶେ ନାଇଁ କିଛି। ଆଜି ମଧୁପୁର ରାଜାଙ୍କ କୋଠା ନାଇଁ; କିଛି ବର୍ଷ ଉତ୍ତାରେ ଭାରତ ସରକାରଙ୍କ ଅଲ୍ ଇଣ୍ତିଆ ରେଡିଓର ମୁଖ୍ୟ କାର୍ଯ୍ୟାଳୟ ଥିଲା, କିନ୍ତୁ ସେଇ ଜାଗାରେ ଆଜି ପାଞ୍ଚ ମହଲା ଘର ଆମକୁ ଉପହାସ କଲାପରି ମନେହୁଏ।
ସେଇ ମଧୁପୁର କୋଠି ମୋ ଆଖି ସାମ୍ନାରେ ସ୍ବପ୍ନଟି ଆଜି। ଗଛରୁ ପତ୍ର ଝଡ଼ିଗଲା ପରି, ନାଇଁ ଆଉ। ବରିଆ ଯେମିତି ନାଇଁ ଆଉ। ଦିଜ ଯେମିତି ନାଇଁ ଆଉ। ସେ କୋଠିର ସାମ୍ନାରେ, ଆମ ଷ୍ଟୁଆର୍ଟ ୟୁରୋପିଅାନ୍ ସ୍କୁଲର ପୂର୍ବ ପାଚେରିକୁ ଲାଗି ଥିଲା ଏକ ଖାଲି ପଡ଼ିଆ। ସେ ପଡ଼ିଆରେ ଗୋଟିଏ ଉଚ୍ଚ ପରିତ୍ୟକ୍ତ ଘର, ଆଉ ଘର କଡ଼କୁ ଲାଗି ଗୋଟିଏ ଘୂରି ଘୂରି ଉଠିଥିବା ଲୁହାର ଶିଡ଼ି। କେହି ନ ଥାନ୍ତି ସେଠି- ବା ମୋର ନଅ ବର୍ଷ ସ୍କୁଲ୍ରେ ପଢ଼ିବା ସମୟ ଭିତରେ ଗୋଟେ ବି କାହାକୁ ଦେଖିନଥିଲି ସେଠି। ଶୁଣାଶୁଣିରେ ସେଇ ଘରେ ଫ୍ରାନ୍ସିସ୍ ନାମରେ ଜଣେ କିଏ ସିନେମା ହଲ୍ କରି ଇ˚େରଜୀ ଫିଲ୍ମ ଦେଖାଉଥିଲେ। ଆମେ ପିଲାଏ ଭୂତକୋଠି ବୋଲି କହୁ, ଆଉ କେବେ ବି, ଖେଳ ଛୁଟିରେ ବା କ୍ଲାସ୍ ଶେଷ ହେଲା ପରେ ଭୟରେ ସେଠିକୁ ଯାଉନୁ।
ସ୍କୁଲ୍ର ଫାଟକ ଦଶ ଗଜ ଦୂରରେ। ପ୍ରହରୀ ପରି ବଡ଼ ଗଛ କଡ଼ରେ। ରାସ୍ତାର ଆରପଟରେ ଗୋଟିଏ ବଡ଼ ବାଦାମ ଗଛ। ଖେଳ ଛୁଟିରେ ପିଲାମାନେ ଟେକା ମାରି ଫଳ ଝଡ଼ାନ୍ତି। କି ମିଠା ସେ ବାଦାମ! ମନେ ପଡ଼େ ସବୁବେଳେ ସେଇ ବାଦାମ ଗଛଟି। ଖାଲି ମନେ ପଡ଼େ ନାଇଁ- ଖାଇବାକୁ କେତେ ଯେ ଖୁସି ଲାଗେ, କିନ୍ତୁ ଦୁଃଖ ବି ଲାଗେ, କେମିତି ମତେ ସେ ଗଛର କଥା ଶୁଭେ ବାଦାମ ଭିତରେ, ଆଖି ବନ୍ଦ ହେଇଯାଏ ମୋର।
ବରିଆ ଆମକୁ ସ୍କୁଲ୍ରେ ଛାଡ଼ି ଚାଲିଯାଏ। ଆସେ ପୁଣି ତିନିଟାରେ। ଗେଟ୍ ପାଖରେ ବାଘୁଆ, ପେଡ଼ା ତା’ ଠେକିରେ ଧରି ଛିଡ଼ା ହେଇଥାଏ, ତା’ ଆପଣା ଘରକୁ ଫେରିବା ବେଳ ବି ହେଇଯାଇଥାଏ।
ପୁଣି ଆମେ ସେଇ ରାସ୍ତାରେ ଘରକୁ। ତିନିକୋଣିଆ ବଗିଚା (ଆମ ଘର ପାଖ) ମୋଡ଼ରେ, ଅସ୍ତ ସୂର୍ଯ୍ୟର ଆଲୁଅ ସିଲ୍ଭର୍ ଓକ୍ ଗଛର ପତ୍ରରେ ବିଚ୍ଛୁରିତ ହେଇ ମତେ ମୁଗ୍ଧ କରିଦିଏ। ଆଜି ଗଛଟିଏ ବି ରାସ୍ତାରେ ନାଇଁ।
ଯୋଉ ରାସ୍ତାରେ ଆଠ ନଅ ବର୍ଷ ପ୍ରତିଦିନ ଯାଉଥିଲି, ଆସୁଥିଲି, ୧୯୪୧ ଡିସେମ୍ବର ମାସ ଯାଏ, ସେଇ ରାସ୍ତା ମୋ ଜୀବନର ଚାରାଗଛକୁ ମାଟି ଆଉ ପାଣି ଦେଇ ବଢ଼େଇଥିଲା। ମୋ ପିଲାଦିନର ରାସ୍ତା, ମୋ ପିଲାଦିନର କଟକ। ଆହୁରି କେତେ କଥା ଧରି ରଖିଚି ମୋର ସେଇ ରାସ୍ତା, ମୋ ବୟସର ମାଟି ତଳେ। ସେ ରାସ୍ତାଟି ଗୋଟେ ଥିଏଟର୍ ଷ୍ଟେଜ୍: ଜୀବନ ମରଣ ତା’ ଭିତରେ ସବୁ। ସମୟ ନ ଥାଏ ଆଜି ଦେଖିବାକୁ ତାକୁ, ପଚାରିବାକୁୁ କିଛି ତାକୁ, ନିରବ କରିଦିଏ ମତେ। ନିକଟରେ କ୍ଲାଇଭ୍ ଜେମ୍ସଙ୍କ ବହି “Somewhere Becoming Rain”ରେ ସେ କହିବା କଥାଟି ଶେଷ କରୁଚି:
“Those who can’t see the world in just one street must see the world.”
ହଁ, ଗୋଟିଏ ରାସ୍ତା ଯଥେଷ୍ଟ ଦୁନିଆ ଦେଖିବା ପାଇଁ।
ତିନିକୋଣିଆ ବଗିଚା, କଟକ