ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ନୀତି ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ନୀତି ମାମଲା ହ୍ରାସ କରିବା ପାଇଁ ଅନେକ କ୍ଷେତ୍ରରେ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନିକଟର ‘ଦୁର୍ନୀତି ନିବାରଣ ଦିବସ'ରେ ଏଏସପି ଭେରୁଲାଲ ମିନା ଏକ ମଞ୍ଚରେ ଦୁର୍ନୀତିକୁ ହ୍ରାସ କରିବା ପାଇଁ ଲୋକମାନଙ୍କୁ ସହଯୋଗ କରିବା ପାଇଁ ବୁଝାଇଥିଲେ। ଏହି ଭାଷଣର ଏକ ଘଣ୍ଟା ପରେ  ଜୟପୁର ଏସିବି ଟିମ୍ ସୱାଇ ମାଧୋପୁରରେ ଏଏସପି ଭେରୁଲାଲଙ୍କୁ ଲାଞ୍ଚ ନେଉଥିବା ଅବସ୍ଥାରେ ଗିରଫ କରିଥିଲେ। ଡିଜି ବିଏଲ୍ ସୋନି ଏବଂ ଏଡିଜି ଦିନେଶ ଏମଏମଙ୍କ ନିର୍ଦ୍ଦେଶରେ ଜୟପୁର ଏସିବି ଟିମ୍ ଏଏସପି ପୁଷ୍ପେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏଏସପିଙ୍କ ଉପରେ ଚଢ଼ାଉ ହୋଇଥିଲା।

Advertisment

ଏସିବିରୁ ମିଳିଥିବା ସୂଚନା ଅନୁଯାୟୀ, ସୱାଇ ମାଧୋପୁର ଏସିବିର ଅତିରିକ୍ତ ଏସପି ଭେରୁଲାଲ ସୱାଇ ମାଧୋପୁର ଡି.ଟି.ଓ ମହେଶ ଚନ୍ଦଙ୍କ ଠାରୁ ମାସିକ ୮୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ସେ ଏସିବି ମୁଖ୍ୟାଳୟରେ ଅଭିଯୋଗ କରିଥିଲେ।

ଡି.ଟି.ଓଙ୍କ ଅଭିଯୋଗ କ୍ରମ‌େ ଜୟପୁର ଏସିବି ଟିମର ଏଏସପି ଭେରୁଲାଲଙ୍କ ଘରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉର ଏକ ଘଣ୍ଟା ପୂର୍ବରୁ ଯଦି କେହି ଲାଞ୍ଚ ମାଗନ୍ତି ୧୦୬୪କୁ କଲ କରନ୍ତୁ ଏବଂ ଲାଞ୍ଚକୁ ବନ୍ଦ କରିବାରେ ସହଯୋଗ କରନ୍ତୁ ବୋଲି ଏକ ମଞ୍ଚରେ ଏଏସପି ଲୋକମାନଙ୍କୁ ବୁଝାଇଥିଲେ। ସବୁମାସ ପରି ଗତ ବୁଧବାର ଏଏସପି ନିଜ ସରକାରୀ ବଙ୍ଗଳାରେ ମହେଶ ଚନ୍ଦଙ୍କ ଠାରୁ ମାସିକ ୮୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଜୟପୁର ଏସିବି ଦଳ ତାଙ୍କୁ ସିଧାସଳଖ କାବୁ କରି ନେଇଥିଲେ।