ଖଣ୍ଡଗିରି: ଦେଶର ସଡ଼କ ପଥରେ ଘଟୁଥିବା ଦୁର୍ଘଟଣାଜନିତ ମୃତ୍ୟୁହାର ଉଭୟ ଘରୋଇ ଉତ୍ପାଦ (ଜିଡିପି) ଓ ଅଭିବୃଦ୍ଧିକୁ ପ୍ରଭାବିତ କରୁଛି। ଭାରତରେ ଘଟୁଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ସବୁ ଦେଶ ତୁଳନାରେ ଅଧିକ। ସେହିଭଳି ଓଡ଼ିଶାର ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ଜାତୀୟକ ହାରଠାରୁ ଢେର୍ ଅଧିକ। ତେଣୁ ସଡ଼କ ଦୁର୍ଘଟଣାକୁ କମ୍ କରିବା ଏକ ଆହ୍ଵାନ ପାଲଟିଛି। ଅନ୍ୟାନ୍ୟ ବିଭାଗମାନଙ୍କ ସହ ମିଶି ପୁଲିସ ବିଭାଗ ଏହାକୁ ପ୍ରାଥମିକତା ଦେବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ଆହୁରି ଅଧିକ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି (ବିପିଏସ୍ପିଏ)ରେ ଓଡ଼ିଶା ମୋଟର ଭେଇକିଲ୍ ଡିପାର୍ଟମେଣ୍ଟ୍ (ଓଏମ୍ଭିଡିି)ର ପ୍ରଥମ ବ୍ୟାଚ୍ ଏସ୍ଆଇ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା କହିଛନ୍ତି।
ଏହି ଅବସରରେ ପରେଡ୍ ଅଭିବାଦନ ଗ୍ରହଣ କରି ଡିଜିପି ଡ. ଶର୍ମା ନୂତନ ଏସ୍ଆଇମାନଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବା ସହ ସେମାନଙ୍କୁ ଶପଥପାଠ କରାଇଥିଲେ। ପରିବହନ କମିସନର୍ ସଂଜୀବ ପଣ୍ଡା କହିଲେ ଯେ, ଏବେ ରାଜସ୍ୱ ଆଦାୟଠାରୁ ସଡ଼କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ ହୋଇପଡ଼ିଛି। ଏହାକୁ ହ୍ରାସ କରିବା ପାଇଁ ଜାତୀୟ ତଥା ରାଜ୍ୟ ରାଜପଥମାନଙ୍କରେ ବ୍ଲାକସ୍ପଟ୍ ଚିହ୍ନଟ କରାଯାଉଛି ଓ ସେସବୁ ସ୍ଥାନରେ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ପୁଲିସ ବିଭାଗ ଓ ରାଜପଥ ବିଭାଗ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିପିଏସ୍ପିଏର ନିର୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ୍ ୧୬ ଜଣ (୨ ମହିଳା) ଏସ୍ଆଇଙ୍କ ମଧ୍ୟରୁ ୬ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନେ ହେଲେ ଯଶୋବନ୍ତ ଚିନ୍ନରା, ମୁକେଶ କୁମାର ମିଶ୍ର, ଜିତେନ୍ଦ୍ର ବେହେରା, ଯଶକେତନ ମହାରଣା, ସତୀଶ ପାଢ଼ୀ, ରଂଜନ କୁମାର ଦୋରା। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଓଏମ୍ଭିଡି ପୁଲିସ ବିଭାଗରୁ ଡେପୁଟେସନ୍ରେ ଅଧିକାରୀମାନଙ୍କୁ ନେଇ କାମ ଚଳାଉଥିଲା। କିନ୍ତୁ ପ୍ରଥମ ଥର ପାଇଁ ବିପିଏସ୍ପିଏରେ ୭ ମାସିଆ ତାଲିମ୍ ନେଇଥିବା ଏହି ୧୬ ଜଣଙ୍କୁ ସିଧାସଳଖ ବିଭାଗୀୟ ଟ୍ରାଫିକ୍ ଅଧିକାରୀଭାବେ ନିଯୁକ୍ତି ମିଳିଛି। ଏମାନେ ରାଜ୍ୟର ପ୍ରମୁଖ ଆର୍ଟିଓଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ।