ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବେଶ୍ କିଛି ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ,କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି।
ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି। ଗତବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ‘କଥା ଦେଲି ମଥା ଛୁଇଁ’ରେ ଠିକ୍ ସେଭଳି ଚରିତ୍ରଟିଏ ମିଳିଥିଲା ତାଙ୍କୁ।
ଏବେ ପିଣ୍ଟୁ ନନ୍ଦଙ୍କର ପ୍ରମୋସନ୍ ହୋଇଯାଇଛି। ସେ ଏବେ ଦାଦାରୁ ବାପା ବନିଯାଇଛନ୍ତି ପରଦା ଉପରେ। କହିବାର ତାତ୍ପର୍ଯ୍ୟ ହେଲା ସେ ସଂପ୍ରତି ଏକ ଏଭଳି ଓଡିଆ ସିନେମାରେ ଅଭିନୟ କରୁଛନ୍ତି,ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରଟି ହେଉଛି ନାୟିକାଙ୍କ ବାପା।
ଏଠାରେ ଯେଉଁ ନୂଆ ଓଡ଼ିଆ ସିନେମାର କଥା କୁହାଯାଉଛି,ତାହାର ଟାଇଟଲ୍ ରହିଛି ‘ଲଭ୍ ଏକ୍ସପ୍ରେସ୍’।ଏହି ପିଲ୍ମରେ ନାୟିକା ଭୂମିକାରେ ଅଛନ୍ତି ସନ୍ମୀରା। ଆଉ ଏହି ସିନେମାରେ ସନ୍ମୀରାଙ୍କ ବାପା ଚରିତ୍ର ନିଭାଇଛନ୍ତି ପିଣ୍ଟୁ ନନ୍ଦ।
ସୀତାରାମ ଅଗ୍ରଓ୍ଵାଲ୍ଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଓଡିଆ ସିନେମାରେ ସନ୍ମୀରାଙ୍କ ବିପକ୍ଷରେ ନାୟକ ଭୂମିକାରେ ନଜର ଆସିବେ ସ୍ୱରାଜ।
ଦର୍ଶକ ପିଣ୍ଟୁ ନନ୍ଦଙ୍କୁ ଏହି ଚରିତ୍ରରେ ପସନ୍ଦ କରୁଛନ୍ତି କି ନା,ତାହା ଦେଖିବାକୁ ବାକି ରହିଲା।