ବହୁତ ବର୍ଷ ଧରି ମାତ୍ରାଧିକ ମଦ୍ୟପାନ ଦ୍ୱାରା ଯକୃତରେ ଯେଉଁ କ୍ଷତି ସୃଷ୍ଟି ହୁଏ, ତାହାକୁ ମଦ୍ୟପାନ ଜନିତ ଯକୃତ ରୋଗ କୁହାଯାଏ। ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରେ ଯକୃତ ଫୁଲିଯାଏ ଏବଂ ଧୀରେ ଧୀରେ ଯକୃତ ପ୍ରଦାହ ରୋଗ ଆଡ଼କୁ ଗତି କରେ। ପରେ ଯକୃତରେ ଦାଗ ବା ଫାଇବ୍ରୋସିସ୍ ହୁଏ ଯାହାକୁ ସିରୋସିସ୍ କୁହାଯାଏ। ଏହି ରୋଗର ଶେଷ ପର୍ଯ୍ୟାୟ ହେଉଛି ସିରୋସିସ୍। ବହୁ କ୍ଷେତ୍ରରେ ଯକୃତ ପ୍ରଦାହ ଯକୃତ କର୍କଟର କାରଣ ହୁଏ।
ARLD ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା। ସାରା ବିଶ୍ୱର ପ୍ରାୟ ୨ ବିଲିୟନ୍ ଲୋକ ମଦ୍ୟପାନ କରିଥାନ୍ତି। ଏଥିମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ (ପ୍ରାୟ ୭୬.୩ ନିୟୁତ) ମଦ୍ୟପାନ ଜନିତ ବ୍ୟାଧିର ଶିକାର ହେବାର ଆଶଙ୍କା ଉପୁଜିଥାଏ। ବିଶ୍ୱର ସମସ୍ତ ମୃତ୍ୟୁର ପ୍ରାୟ ୩.୨ ପ୍ରତିଶତଙ୍କ ମୃତ୍ୟୁ ପାଇଁ ମଦ୍ୟପାନ ଦାୟୀ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ଦକ୍ଷିଣ-ପୂର୍ବ ଏସିଆରେ ଥିବା ଦେଶଗୁଡିକର ଜନସଂଖ୍ୟାର ଏକ-ଚତୁର୍ଥାଂଶ ପୁରୁଷ ଓ ଏକ-ତୃତୀୟାଂଶ ମହିଳା ମଦ୍ୟପାନ କରିଥାନ୍ତି। ଏବେ ମହିଳାମାନଙ୍କ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଦ୍ୟପାନକାରୀଙ୍କ ଆନୁମାନିକ ସଂଖ୍ୟା ୬୩ ନିୟୁତ। ସେମାନଙ୍କ ମଧ୍ୟରୁ ୧୭.୪ ପ୍ରତିଶତ ମଦ୍ୟପାନ ଉପରେ ନିର୍ଭରଶୀଳ ଉପଭୋକ୍ତା ହୋଇଥିବା ବେଳେ ୨୦-୩୦ ପ୍ରତିଶତଙ୍କୁ ମଦ୍ୟପାନ ଜନିତ ସମସ୍ୟା ଯୋଗୁଁ ଡାକ୍ତରଖାନା ଯିବାକୁ ପଡ଼ିଥାଏ। କାରଣ ଏହି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାଠାରୁ ଆରମ୍ଭ କରି ଚିକିତ୍ସିତ ହୋଇ ସୁସ୍ଥ ହେବା ଯାଏ ବହୁ ମାତ୍ରାରେ ଅର୍ଥ ଖର୍ଚ୍ଚ ହୋଇଥାଏ। ଏହି ଖର୍ଚ୍ଚ ରୋଗୀଙ୍କୁ ବାଧିବାର ମୁଖ୍ୟ କାରଣ ହେଉଛି କୌଣସି ବୀମା କମ୍ପାନି ଓ ମେଡିକାଲ୍ ପଲିସି ରୋଗୀକୁ ମଦ୍ୟପାନ ଜନିତ ଯକୃତ ରୋଗ ପାଇଁ ଅର୍ଥରାଶି ଯୋଗାଏ ନାହିଁ।
କେତେ ମାତ୍ରାରେ ମଦ୍ୟପାନ ଯକୃତ ପାଇଁ କ୍ଷତିକାରକ?
ଯଦି ନିୟମିତ ଭାବେ ୫-୧୦ ବର୍ଷ ଯାଏ ପୁରୁଷମାନେ ଦୈନିକ ୪୦ରୁ ୬୦ ଗ୍ରାମ୍ ଓ ମହିଳାମାନେ ୨୦ରୁ ୪୦ ଗ୍ରାମ୍ ମଦ୍ୟପାନ କରନ୍ତି, ତେବେ ଲିଭର୍ ସିରୋସିସ୍ ହୋଇପାରେ। ହ୍ୱିସ୍କି, ରମ୍ ଓ ଭୋଡକା ଆଦିର ୩୦ ଗ୍ରାମ୍ର ପାନୀୟରେ ୧୦ ଗ୍ରାମର ଆଲକହଲ୍ ରହିଥାଏ। ସେହିପରି ୧୦୦ ମିଲି ୱାଇନ୍ ଓ ୨୫୦ ଗ୍ରାମ୍ ବିୟରରେ ୧୦ ଗ୍ରାମ୍ ଆଲ୍କହଲ୍ ରହିଥାଏ। ତେଣୁ ଗୋଟିଏ ଥରରେ ଅତ୍ୟଧିକ ମଦ୍ୟପାନ (Binge Drinking) ଯକୃତକୁ ବହୁତ କ୍ଷତି ପହଞ୍ଚାଇଥାଏ।
ଯକୃତ ରୋଗର (ARLD)ର ତିନି ପର୍ଯ୍ୟାୟ ରହିଛି
ମଦ୍ୟପାନ ଜନିତ ଫ୍ୟାଟି ଲିଭର ରୋଗ ବା ଷ୍ଟିଆଟୋସିସ୍
ଏହା ARLDର ପ୍ରଥମ ପର୍ଯ୍ୟାୟ। ଯେଉଁଠାରେ ଯକୃତରେ ଚର୍ବି ଜମା ହୋଇଯାଏ। ଏହି ସ୍ଥିତିରେ ମଦ୍ୟପାନରୁ ବିରତ ହେବା ଦ୍ୱାରା ଫ୍ୟାଟିଲିଭର ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ। ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଶତକଡ଼ା ୯୦ ପ୍ରତିଶତ କ୍ଷେତ୍ରରେ ଫ୍ୟାଟିଲିଭର ଦେଖାଯାଏ।
ମଦ୍ୟପାନ ହେପାଟାଇଟିସ୍
ଏହା ହେଉଛି ଯକୃତ ରୋଗର ଦ୍ୱିତୀୟ ପର୍ଯ୍ୟାୟ। ହେପାଟାଇଟି୍ସ ଅର୍ଥ ଯକୃତରେ ପ୍ରଦାହ(ଫୁଲା) ଦେଖା ଦେଇଥାଏ। ଏହାର ଫଳାଫଳ ଯକୃତ ଆଘାତର ଗମ୍ବୀରତା ଉପରେ ନିର୍ଭର କରେ। ବହୁ ରୋଗୀଙ୍କଠାରେ ଚିକିତ୍ସା ପରେ ସ୍ଥିତି ସୁଧୁରିଥାଏ। ତଥାପି ଗୁରୁତର ଯକୃତ ପ୍ରଦାହରେ ରୋଗୀ ଏକ ମାସ ଭିତରେ ଯକୃତ ଫେଲିୟୋର ହେତୁ ମୃତ୍ୟୁବରଣ କରିଥାଏ।
ମଦ୍ୟପାନ ଜନିତ ସିରୋସିସ୍ (ଆଲକହଲିକ ସିରୋସିସ୍)
ଏହା ARLDର ସବୁଠାରୁ ଭୟଙ୍କର ରୂପ। ଏହି ଅବସ୍ଥାରେ ଯକୃତ କ୍ଷତବିକ୍ଷତ ଏବଂ କ୍ରୋନିକ୍ ମଦ୍ୟପାନରୁ ଫାଇବ୍ରୋସିସ୍ ହୋଇଥାଏ। ଏହାକୁ ପୂର୍ବବସ୍ଥାକୁ ଫେରାଇ ଆଣିବା ଅସମ୍ଭବ। ସିରୋସିସ୍ ହେତୁ ଯକୃତ ଫେଲିୟୋର ଓ ଜଣ୍ଡିସ୍, ପେଟ ଓ ଗୋଡ଼ରେ ପାଣି ଜମା ହେବା, ରକ୍ତବାନ୍ତି ଓ କଳା ଝାଡ଼ା ଆଦି ସମସ୍ୟା ସୃଷ୍ଟି କରିଥାଏ। ଏହା ମଧ୍ୟ କିଛି ରୋଗୀଙ୍କଠାରେ ଯକୃତ କର୍କଟର କାରଣ ହୋଇପାରେ। ବହୁତଦିନ ଧରି ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୧୦ରୁ ୧୫ ପ୍ରତିଶତ ଲୋକ ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ଚିହ୍ନଟ ଓ ଲକ୍ଷଣ
ଏହି ରୋଗ ବିକଶିତ ନ ହେବା ଯାଏ ARLDର କୌଣସି ଲକ୍ଷଣ ଦେଖାଯାଏ ନାହିଁ।
ARLDର ଲକ୍ଷଣ ଗୁଡ଼ିକ ହେଉଛି
ବାନ୍ତି ଲାଗିବା, ଭୋକ ନ ହେବା ଓ ଓଜନ ହ୍ରାସ
ପେଟ, ଗୋଡ଼ ଓ ହାତ ଫୁଲିବା
ଚମଡ଼ା କଳା ପଡ଼ିଯିବା, ହାତର ପାପୁଲି ଓ ତଳିପାଦ ନାଲି ହୋଇଯିବା
କଳା ଝାଡ଼ା ଓ ରକ୍ତବାନ୍ତି
ଶୋଇବା ଶୈଳୀରେ ପରିବର୍ତନ, ବାଉଳି ଚାଉଳି ହେବା, କଥାବାର୍ତାରେ ସାମଞ୍ଜସ୍ୟ ନରହିବା ଇତ୍ୟାଦି
ଦାନ୍ତ ମାଢ଼ିରୁ ରକ୍ତସ୍ରାବ ହେବା
ପୁରୁଷଙ୍କଠାରେ ବର୍ଦ୍ଧିତ ସ୍ତନ
ରିସ୍କ ଫ୍ୟାକ୍ଟର
ପରିବାରର ଅନ୍ୟମାନେ ARLDରୋଗରେ ଆକ୍ରାନ୍ତ ଥାଆନ୍ତି ବା ପୂବ୍ରରୁ ARLD ରୋଗର ଇତିହାସ ଥାଏ
ଯଦି ମାତ୍ରାଧିକ ମଦ୍ୟପାନ କରୁଥାନ୍ତି
ଯଦି କୁପୋଷଣ ରହିଥାଏ
ନିରାକରଣ
ଅଳ୍ପ ଅନୁସନ୍ଧାନ ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ
ରକ୍ତ ନମୁନା ପରୀକ୍ଷା
କମ୍ପ୍ଲିଟ୍ ବ୍ଲଡ କାଉଂଟ (CBC) ଓ PT-INR
ପେଟର ସିଟି ସ୍କାନ୍
ଫାଇପ୍ରୋସ୍କାନ (ଯକୃତ ଓ ପ୍ଲିହାର)
ଲିଭର ବାୟୋପ୍ସି (ଯକୃତ ଟିସୁର ପରୀକ୍ଷା) ଲିଭର୍ ଏନ୍ଜାଇମ୍ ପରୀକ୍ଷା ମଧ୍ୟ କରାଯାଇପାରେ
ARLDଜନିତ ଯକୃତ ରୋଗର ଚିକିତ୍ସା
ଏହି ଚିକିତ୍ସାର ୨ଟି ଉଦ୍ଦେଶ୍ୟ ଥାଏ। ପ୍ରଥମରେ ରୋଗୀକୁ ମଦ୍ୟପାନରୁ ବିରତ କରାଇବା। ଏହା ଯକୃତର ଅଧିକ କ୍ଷତି ହେବାକୁ ଦିଏ ନାହିଁ ଓ ଶୀଘ୍ର ସୁସ୍ଥତା ଆଣିଦିଏ। ଦ୍ୱିତୀୟରେ ଯକୃତର ଅବସ୍ଥାକୁ ଉନ୍ନତ କରେ।
ଯଦି ରୋଗୀର ARLD ଥାଏ ତେବେ ଡାକ୍ତର ନିମ୍ନଲିଖିତ ଚିକିତ୍ସା ବିଷୟରେ ପରାମର୍ଶ ଦେଇପାରନ୍ତି :
ମଦ୍ୟପାନ ପୁନର୍ବାସ କେନ୍ଦ୍ରରେ ବାରମ୍ବାର ପରାମର୍ଶ ଦ୍ୱାରା ଆପଣ ମଦ୍ୟପାନ ବନ୍ଦ କରିପାରିବେ
ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରନ୍ତି ସେମାନଙ୍କ ଶରୀରରେ B-Complex ଅନେକ କମ୍ ଥାଏ। ଏହା ରକ୍ତହୀନତା ଓ କୁପୋଷଣ କରିପାରେ। ତେଣୁ ମଲଟିଭିଟାମିନ ଓ ସଠିକ୍ ପୋଷଣର ଆବଶ୍ୟକତା ହୋଇପାରେ।
ଯଦି ସିରୋସିସ ଦ୍ୱାରା ଯକୃତ ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ ତେବେ ଯକୃତ ପ୍ରତିରୋପଣ ଦ୍ୱାରା ଏହା ଭଲ ହୋଇପାରିବ।
ବିଭିନ୍ନ ଶାରୀରିକ ଜଟିଳତାର ଉପଯୁକ୍ତ ପରିଚାଳନା
ARLD ର ଜଟିଳତା ଗୁଡିକ କ’ଣ?
ଯକୃତ ଜମା କାମ ନକରିବା
ଶରୀରରୁ ପ୍ରୋଟିନ ଓ ଆଲବୁମିନ କମିଯିବା
ମାଂସପେଶୀ ଦୁର୍ବଳ ଓ ପତଳା ହୋଇଯିବା
ଜଣ୍ଡିସ ହେବା
ଉପର ଖାଦ୍ୟନଳୀରୁ ରକ୍ତସ୍ରାବ ଓ କଳାଝାଡ଼ା ହେବା
ଯକୃତକୁ ରକ୍ତ ଯୋଗାଉଥିବା ଧମନୀରେ ଉଚ୍ଚ ରକ୍ତଚାପ ରହିବା
ମସ୍ତିଷ୍କର କାର୍ଯ୍ୟଦକ୍ଷତାରେ ହ୍ରାସ (ରକ୍ତରେ ଆମୋନିଆ ବଢ଼ିବା ହେତୁ) (ହେପାଟିକ ଏନସେଫାଲୋପାଥି)
ପେଟରେ ଓ ଗୋଡ଼ରେ ପାଣି ଜମିବା
ବୃକକ୍ କାମ ନକରିବା
ARLD ସମସ୍ୟା ଯଦି ଠିକ୍ ସମୟରେ ଧରାନପଡ଼େ ଓ ଉପଯୁକ୍ତ ଚିକିତ୍ସା ନକରାଯାଏ, ତେବେ ଏହା ମୃତ୍ୟୁଭଳି ଭୟଙ୍କର ଅବସ୍ଥାକୁ ଡାକିଆଣେ। ମଦ୍ୟପାନ ବନ୍ଦ କରିବା, ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗୀ ବହୁ ମାତ୍ରାରେ ଉପକୃତ ହୁଏ। ଦୈନନ୍ଦିନ ଜୀବନଯାପନ ଶୈଳୀକୁ ରୋଗୀ ଯଦି ଉପଯୁକ୍ତ ସମୟରେ ନିୟମତାକୁ ନେଇଆସେ ତେବେ ରୋଗୀ ଓ ତାହାର ସମ୍ପର୍କୀୟ ମାନଙ୍କୁ ଏହାର ବହୁତ ଲାଭ ମିଳେ।
ଯଦି ଆପଣ ଭାବୁଛନ୍ତି ଆପଣ ମଦ୍ୟପାନ ଜନିତ ସମସ୍ୟାରେ ପୀଡ଼ିତ କିମ୍ବା ମଦ୍ୟପାନ ଜନିତ ଯକୃତ ରୋଗରେ ପୀଡ଼ିତ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ପ୍ରଫେସର ଡା. ଅୟସକାନ୍ତ ସିଂହ
ଏମ୍ଡି, ଡିଏମ(ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି)
କନ୍ସଲଟାଣ୍ଟ ହେଡ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି
ସମ୍ ଅଲ୍ଟିମେଟ ମେଡିକେୟାର