ନୂଆଦିଲ୍ଲୀ: ଆସନ୍ତା ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏହା ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଲୋକସଭାରେ ସର୍ବପ୍ରଥମେ ନବନିର୍ବାଚିତ ସାଂସଦମାନଙ୍କ ଶପଥ ପର୍ବ ଅନୁଷ୍ଠିତ ହେବ। ଓଡ଼ିଶାର ୨୧ଟି ଲୋକସଭା କ୍ଷେତ୍ରରୁ ନିର୍ବାଚିତ ବିଜେପିର ୨୦ ଓ କଂଗ୍ରେସର ଜଣେ ସାଂସଦ ଶପଥ ଗ୍ରହଣ କରିବେ। ଅନ୍ୟପକ୍ଷରେ ଦଳର ପ୍ରତିଷ୍ଠା ଦିନରୁ ପ୍ରଥମ ଥର ପାଇଁ ସଂସଦୀୟ କ୍ଷେତ୍ରରେ ବିଜେଡି ଖାତା ଶୁନ୍ୟ ହୋଇଥିବାରୁ ଲୋକସଭାରେ ବିଜେଡିର ସ୍ବର ଏଥର ଶୁଭିବନାହିଁ। ପୂର୍ବରୁ ଲୋକସଭାରେ ବିଜେଡି ନିଜ ଆଧିପତ୍ୟ ବିସ୍ତାର କରି ଆସିଥିଲା। ୧୯୯୮ ସାଧାରଣ ନିର୍ବାଚନରେ ପର୍ଦାପଣ କରିବା ପରଠାରୁ ପ୍ରତିଟି ନିର୍ବାଚନରେ ବିଜେଡିର ଏକାଧିକ ସାଂସଦ ନିର୍ବାଚିତ ହେଉଥିଲେ। ଲୋକସଭାରେ ଦଳର ପତିଆରା ବେଶ ଦୃଢ଼ ରହୁଥିଲା ହେଲେ ୨୬ ବର୍ଷ ପରେ ବିଜେଡି ଆଂଚଳିକ ଦଳରୁପେ ଲୋକସଭାରରେ ପ୍ରତିନିଧିତ୍ବ କରିବା ସୁଯୋଗରୁ ବଂଚିତ ହୋଇଥିବାରୁ ଓଡ଼ିଶା ସ୍ବାର୍ଥ ସଂପର୍କିତ ପ୍ରସଙ୍ଗକୁ ସଂସଦରେ ଉଠାଇପାରିବ ନାହିଁ।

Advertisment

ଲୋକସଭାରେ ବିଜେଡି ଏକ ଟାଣୁଆ ଆଞ୍ଚଳିକ ଦଳ ଭାବେ ବେଶ ସକ୍ରିୟ ରହିଥିଲା । ଓଡ଼ିଶାକୁ ଫୋକସ୍‌ ରାଜ୍ୟର ମାନ୍ୟତା, ଚାଷୀଙ୍କ ପାଇଁ ସ୍ବାମୀନାଥନ କମିସନର ସୁପାରିସ ଲାଗୁ କରିବା, ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାରେ ରାଜ୍ୟକୁ ପର୍ଯ୍ୟାପ୍ତ ମାତ୍ରରେ ଆବାସ ବଣ୍ଟନ, ଓଡ଼ିଶା ବିଧାନ ପରିଷଦ ଗଠନ ଓ ରାଜପଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଭଳି ବହୁ ଦାବିକୁ ବିଜେଡ ସଂସଦରେ ଉଠାଉଥିଲା। ମୋଦି ସରକାରଙ୍କ ପ୍ରଥମଓ ଦ୍ବିତୀୟ ପାଳିରେ ବିଜେଡି ଅନେକ ବିଲ୍‌କୁ ସମର୍ଥନ କରିବା ସହିତ ସରକାରଙ୍କ ପାଇଁ ସଙ୍କଟମୋଚକ ଭୂମିକାରେ ରହୁଥିଲା। ସେପଟେ ଜୁନ ୨୭ରେ ରାଜ୍ୟସଭାର ୨୬୪ତମ ଅଧିବେଶନ ଆରମ୍ଭ ହେବ। ଜୁଲାଇ ୩ରେ ଏହା ଶେଷ ହେବ। ପରିବର୍ତ୍ତିତ ପରିସ୍ଥିତିରେ ରାଜ୍ୟସଭାରେ ବିଜେଡିର ଭୂମିକା କ’ଣ ହେବ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସଭାରେ ବିଜେଡିର ବର୍ତ୍ତମାନ ୯ ଜଣ ସାଂସଦ ଅଛନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେଡି ରାଜ୍ୟସଭାରେ ଷଷ୍ଠ ବୃହତମ ଦଳ। ବିଗତ ୫ ବର୍ଷରେ ରାଜ୍ୟସଭାରେ ବିଜେଡି ମୋଦୀ ସରକାରଙ୍କ ବିଭିନ୍ନ ବିଲ‌କୁ ସମର୍ଥନ ଦେଇ ଆସୁଥିବାରୁ ବର୍ତ୍ତମାନ ସ୍ଥିତିରେ ବିଜେଡିର ଆଭିମୁଖ୍ୟ କ’ଣ ହେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଜେଡି ରାଜ୍ୟ ଶାସନ କ୍ଷମତା ବାହାରେ ଥିବାରୁ ରାଜନୈତିକ ସମୀକରଣ ମଧ୍ୟ ବଦଳିପାରେ। ବିଜେଡି ଏନ୍‌ଡିଏ ସରକାରଙ୍କୁ ପୂର୍ବଭଳି ସମର୍ଥନ କରିବ ନା ବିରୋଧ କରିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ରାଜ୍ୟସଭାରେ ବିଜେଡିର ରଣନୀତି ସଂପର୍କରେ ଚର୍ଚ୍ଚା କରିବା ପାଇଁ ସାଂସଦମାନଙ୍କ ସହିତ ବିଜେଡି ସୁପ୍ରିମୋ ‌ନବୀନ ପଟ୍ଟନାୟକ ଭୁବନେଶ୍ବରେ ଜୁନ ୨୪ରେ ବୈଠକ କରିବେ। ଜୁନ୍‌ ୨୬ରେ କେନ୍ଦ୍ର ସରକାରଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ବିଜେଡିର ରାଜ୍ୟସଭା ନେତା ଯୋଗଦେବାର ସମ୍ଭାବନା ରହିଛି। ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସଂପର୍କରେ ସଙ୍କେତ ମିଳିପାରେ। ରାଜ୍ୟସଭାରେ ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆର୍‌ସିପିର ମଧ୍ୟ ୧୧ ଜଣ ସାଂସଦ ଅଛନ୍ତି।ୱାଇଏସ୍‌ଆର୍‌ସିପି ଶାସନ କ୍ଷମତାରୁ ଗାଦିଚ୍ୟୁତ ହେବାପରେ ମଧ୍ୟ ଜାତୀୟ ତଥା ରାଜ୍ୟର ସ୍ବାର୍ଥ ପ୍ରସଙ୍ଗରେ ରାଜ୍ୟସଭାରେ ମୋଦୀ ସରକାରଙ୍କୁ ସମର୍ଥନ କରିବା ପାଇଁ ଘୋଷଣା କରିଛି।