ଭୁବନେଶ୍ବର: ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟାକାଣ୍ଡ ମାମଲାରେ ଜାମିନ ପାଇଥିବା ୪ ଅଭିଯୁକ୍ତଙ୍କ ଖୋଲା ଜିପ୍ ଶୋଭାଯାତ୍ରା ଘଟଣାରେ ଆଜି କମିସନରେଟ୍ ପୁଲିସ ପୁଣି ୬ ଜଣଙ୍କୁ ଗିରଫ କରିଛି। ଏୟାର୍ଫିଲ୍ଡ ଥାନା ଜଣକୁ ଓ ଏୟାର୍ପୋର୍ଟ ଥାନା ୫ ଜଣଙ୍କୁ ଗିରଫ କରିଛି। ତେଣୁ ଏହି ମାମଲାରେ ମୋଟ ୧୦ ଜଣଙ୍କୁ ଗିରଫ କରାଗଲାଣି। ତେବେ ହତ୍ୟାକାଣ୍ଡ ମାମଲାରେ ଜାମିନ ପାଇଥିବା ୪ ଜଣଙ୍କ ମଧ୍ୟରୁ ପୁଲିସ କେବଳ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣଙ୍କୁ ଗିରଫ କରିନାହିଁ। ତେଣୁ ପୁଲିସର ଏହି ଗିରଫଦାରୀକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି।
ଆଜି ଏୟାର୍ଫିଲଡ୍ ଥାନା ପୁଲିସ ଦ୍ବାରା ଗିରଫ ଅଭିଯୁକ୍ତ ହେଲା କପିଳପ୍ରସାଦର ସୌମ୍ୟଜିତ ମାର୍ଥା। ଶୋଭାଯାତ୍ରାରେ ସାମିଲ୍ ଥିବା ସୌମ୍ୟଜିତର ବୁଲେଟ୍କୁ ଜବତ କରାଯାଇଛି। ଏୟାରପୋର୍ଟ ଥାନା ପୁଲିସ ଦ୍ବାରା ଗିରଫ ଅଭିଯୁକ୍ତମାନେ ହେଲେ ସାମନ୍ତରାପୁର ବାରଣିଶ୍ବର ଲେନ୍ର ବିଶ୍ବଜିତ୍ ବସ୍ତିଆ, ବଡ଼ଗଡ଼ ସାମନ୍ତରାୟସାହିର ରକି ପାଟ୍ଟଶାଣୀ, ଧଉଳି ଗ୍ରିନ୍ ଆପାର୍ଟମେଣ୍ଟ ଫ୍ଲାଟ୍ ଏଫ୍୧/୧ରେ ରହୁଥିବା ସୂରଜ ପଞ୍ଚୁଆତି, ଶିଶୁପାଳଗଡ଼ର ଶ୍ରୀତିକ୍ ବିଶ୍ବାଳ ଓ ସାହିଲ୍ କୁମାର ଗଜେନ୍ଦ୍ର। ଏମାନେ କେହି ଅମରେଶ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ନୁହନ୍ତି। କେବଳ ଶୋଭାଯାତ୍ରାରେ ସାମିଲ୍ ଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ଶୋଭାଯାତ୍ରାରେ ସାମିଲ ହୋଇଥିବା ଏମାନଙ୍କର ୫ଟି ବାଇକ୍ ମଧ୍ୟ ଜବତ ହୋଇଛି। ତେବେ କୋଭିଡ୍ କଟକଣା ବଳବତ୍ତର ଥିବାବେଳେ ରାଜଧାନୀ ଛାତିରେ ଅଭିଯୁକ୍ତମାନଙ୍କୁ ଏଭଳି ଶୋଭାଯାତ୍ରାରେ ଆଣିବାକୁ ସାହସ ଦେଲା କିଏ ବୋଲି ପ୍ରଶ୍ନ ଉଠିଛି। ଶୋଭାଯାତ୍ରା ପଛରେ କେତେକ ରାଜନୈତିକ ନେତା ରହିଥିବା ଚର୍ଚ୍ଚା ହେଉଛି। ଏହି ନେତାଙ୍କ ପରୋକ୍ଷ ଇଙ୍ଗିତରେ ପୁଲିସ ଶୋଭାଯାତ୍ରା ବାବଦରେ ଜାଣି ମଧ୍ୟ ନିରବ ରହିବା ନେଇ ଆଲୋଚନା ହେଉଛି। ଦୁଇ ଦୁଇଟି ଥାନା ଅଞ୍ଚଳ ଦେଇ ଏହି ଶୋଭାଯାତ୍ରା ଯାଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିବାରୁ କମିସନରେଟ୍ ପୁଲିସକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି। ତେଣୁ ଉକ୍ତ ଥାନାର ଅଧିକାରୀମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ବିଭାଗ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅମରେଶ ନାୟକ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୯ ଅଭିଯୁକ୍ତଙ୍କ ମଧ୍ୟରୁ ଗୁରୁବାର ୪ ଅଭିଯୁକ୍ତ ହାଇକୋର୍ଟରୁ ଜାମିନ୍ ପାଇ ଝାରପଡ଼ା ଜେଲରୁ ମୁକୁଳିଥିଲେ। ସେମାନଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ଶତାଧିକ ଯୁବକ ବାଇକ୍ରେ ଯାଉଥିବାବେଳେ ୪ ଅଭିଯୁକ୍ତ ଖୋଲା ଜିପ୍ରେ ବସିଥିଲେ। ଗାଁ ପାଖରେ ମଧ୍ୟ ୨୦ରୁ ୨୫ ଯୁବକ ସେମାନଙ୍କୁ ଫୁଲମାଳ ପକାଇ ଜୋରଦାର୍ ସ୍ବାଗତ କରିଥିଲେ। ସହର ଭିତରେ ଏତେ ବଡ଼ ଶୋଭାଯାତ୍ରା ଯାଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହି ଘଟଣା କେବଳ ଅମରେଶଙ୍କ ପରିବାରବର୍ଗଙ୍କୁ ଭୟଭୀତ କରିନଥିଲା ବରଂ ସାଧାରଣରେ ଏହା ଭୟର ବାତାବରଣ ସୃଷ୍ଟି କରିଥିଲା। ହତ୍ୟା ଅଭିଯୁକ୍ତମାନଙ୍କର ଏଭଳି ଶୋଭାଯାତ୍ରା କମିସନରେଟ୍ ପୁଲିସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ଏକାମ୍ର କଲେଜ ନିକଟରେ ବିଡିଏ କଲୋନିର ଅମରେଶ ନାୟକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପୁଲିସର କୋହଳ ଚାର୍ଜସିଟ୍ ଯୋଗୁଁ ଗତ ଗୁରୁବାର ହାଇକୋର୍ଟରୁ ୪ ଜଣ ଜାମିନ ପାଇଥିବା ନେଇ ଚର୍ଚ୍ଚା ହେଉଛି।
୪ଥାନାରେ ରୁଜୁ ହୋଇଛି ମାମଲା
୪ ହତ୍ୟା ଅଭିଯୁକ୍ତଙ୍କ ଶୋଭାଯାତ୍ରା ଘଟଣା କମିସନରେଟ୍ ପୁଲିସ୍ ପାଇଁ ଅଡ଼ୁଆ ବଢ଼ାଇଲାଣି। ତେଣୁ କୌଣସି ପରିସ୍ଥିତିରେ ଯେମିତି ଅଭିଯୁକ୍ତମାନଙ୍କୁ ଛଡ଼ା ନ ଯାଏ, ସେଥିପାଇଁ ଉପରମୁଣ୍ଡରୁ ନିର୍ଦ୍ଦେଶ ଆସିଛି। ଶୋଭାଯାତ୍ରା ଜେଲ ସମ୍ମୁଖରୁ ବାହାରି ସୁନ୍ଦରପଦା ଯାଏ ଯାଇଥିଲା। ଅର୍ଥାତ ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ଏୟାରଫିଲଡ୍ ଥାନା ଅଞ୍ଚଳ ଦେଇ ଶୋଭାଯାତ୍ରା ଯାଇଛି। ଏଣୁ ଏହି ୪ଟି ଥାନାରେ ପୁଲିସ ମାମଲା ରୁଜୁ କରିଛି। ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଖୋଜିବାକୁ ଏହି ସବୁ ଥାନା ଏବେ ଜୋରଦାର ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି। ଶୋଭାଯାତ୍ରା ଶିଶୁଭବନ ଛକ ଦେଇ ସୁନ୍ଦରପଦା ଯାଇଛି। ଏହି ଛକ କ୍ୟାପିଟାଲ ଥାନା ଅଞ୍ଚଳରେ ଯାଉଛି। କିନ୍ତୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇନାହିଁ। ତେବେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଯଦି ଏହି ଅଞ୍ଚଳ ଦେଇ ଯାଇଥିବ ତେବେ ମାମଲା ରୁଜୁ କରାଯାଇ ଗିରଫଦାରୀ ଆରମ୍ଭ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।