କଟକ-ଭୁବନେଶ୍ୱର ବସ ଚଳାଚଳ କରିବା ଦାବି ନେଇ ଚାଳିଥିବା ଆନ୍ଦୋଳନ ପ୍ରତ୍ୟାହୃତ

ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱର ପକ୍ଷରୁ ହୋଇଥିଲା ଆନ୍ଦୋଳନ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ୱର ପକ୍ଷରୁ କଟକ, ଭୁବନେଶ୍ୱର ବସ ଚଳାଚଳ କରିବା ଏବଂ ଏଠାକୁ ଯାଉଥିବା ବସ ଗୁଡିକୁ ରୁଟ୍‌ ପରମିଟ୍‌ ପ୍ରଦାନ କରିବାକୁ ଦାବି ନେଇ ପୁରୁଣା ବସଷ୍ଟାଣ୍ଡରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଗତ ୪ଦିନ ହେବ ଏହା ଜାରି ରହିଥିବା ବେଳେ ଶନିବାର ପ୍ରତ୍ୟାହୃତ ହୋଇଛି। ଆନ୍ଦୋଳନସ୍ଥଳକୁ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ବରିଷ୍ଟ ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ, ନଗର ବିଜେଡି ସଭାପତି ହର ମିଶ୍ର, ବରିଷ୍ଠ ଆଇନଜୀବୀ ସରୋଜ ଦାଶ, ଅନୁପ ପାତ୍ର, ରବୀନ୍ଦ୍ର ପ୍ରାତ୍ର, ଯୁବ ବିଜେଡି ନେତା ଧର୍ମେନ୍ଦ୍ର ଅଧିକାରୀ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଥିବା ନରି ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ଏହାରି ମଧ୍ୟରେ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀମତି ନନ୍ଦ ପରିବହନ ମନ୍ତ୍ରୀ, ରାଜ୍ୟ ସଡକ ପରିବହନ ନିଗମର କମିସନରଙ୍କ ସହ ଏସଂପର୍କରେ ଆଲୋଚନା କରିଥିଲେ। ଏହା ପରେ ଓଏସଆରଟିସିର ୫ଟି ବସ ଭୁବନେଶ୍ୱର ଓ କଟକକୁ ଚାଳିଛି ଏବଂ ଆଗାମୀ ଦିନରେ ଆହୁରି ୬ଟି ବସ ଚାଳିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ଶ୍ରୀ ପାଣିଗ୍ରାହୀ ଓ ଶ୍ରୀମତି ନନ୍ଦ ସୂଚନା ଦେଇଥିଲେ।

ସେହିଭଳି ମାସର ଶେଷ ସପ୍ତାହରେ ଟୁରିଷ୍ଟ ପରମିଟରେ ଚାଳିଥିବା ବସ ଗୁଡିକ ପରମିଟ ପାଇଁ ଆବେଦନ କରିଲେ ସ୍ୱତନ୍ତ୍ର କମିଟି ବସି ଷ୍ଟେଜ କ୍ୟାରେଜ୍‌ ବସ ପରମିଟ ଦିଆଯିବ। ଖାସ୍‌ କରି ଓଡିଶା ମଧ୍ୟରେ ରାୟଗଡା ଦେଇ ପୂର୍ବଭଳି ଏହି ବସ ଗୁଡିକ ଚଳାଚଳ କରିବ ବୋଲି ସୂଚନା ଦେଇଥିଲେ।

ଅନ୍ତଃରାଜ୍ୟ ବସ ଚଳାଚଳ ପାଇଁ ବି ଆଲୋଚନା କରାଯାଇଥିବା ବେଳେ ପୁଣି ଥରେ ଓଡିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ବୈଠକ ହେବା ପରେ ହିଁ କିଛି ନିଷ୍ପତି ନେଲେ ହିଁ ଏହି ରୁଟରେ ବସ ଚଳାଚଳ ପାଇଁ ପରମିଟ୍‌ ମିଳିବ ନା ନାହିଁ ସ୍ପଷ୍ଟ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଅବିଭକ୍ତ କୋରାପୁଟଜିଲ୍ଲାର ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେତେଦିନ ପର୍ଯ୍ୟନ୍ତ ଟୁରିଷ୍ଟପରମିଟ୍‌ ରହିଛି ସେତେ ଦିନ ପର୍ଯ୍ୟନ୍ତ ବସ ଗୁଡିକ ଚଳାଚଳ କରୁ ଏବଂ ଏହି ବସଗୁଡିକୁ ଜରିମାନା ଅଦାୟ କରାନଯାଉ ବୋଲି ଆନ୍ଦୋଳନର ଆବାହକ ନରି ମହାନ୍ତି ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ଏହାକୁ ନେଇ ଉପରୋକ୍ତ ନେତାମାନେ ମନ୍ତ୍ରୀ ଓ କମିସନରଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଏମାନଙ୍କ ଅନୁରୋଧରେ ଏବଂ ବସ ଚଳାଚଳ ଆରମ୍ଭ ହୋଇଥିବା ଏବଂ ଦାବି କିଛିକାଂଶରେ ପୁରଣ ହୋଇଥିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି କହିଛନ୍ତି ଶ୍ରୀ ମହାନ୍ତି। ଅଚାନକ ଭାବେ ଗତ ତିନି ଦିନ ତଳେ ଜୟପୁରରେ କୋରାପୁଟ ଆରଟିଓଙ୍କ ପକ୍ଷରୁ ଟୁରିଷ୍ଟ ପରମିଟରେ ଯାଉଥିବା କଟକ, ଭୁବନେଶ୍ୱର, ବ୍ରହ୍ମପୁର ଆଦି ବସ ଗୁଡିକ ଉପରେ ଚାଉ କରାଯାଇ ଜୋରିମାନା ଆଦାୟ ହୋଇଥିଲା। ସେ ଦିନ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଦ୍ଵନ୍ଦୀତାମୂଳକ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଓ କଟକ ଯିବା ପାଇଁ ଏହି ବସ ଗୁଡିକଟରେ ଟିକେଟ୍‌ କରିଥିଲେ। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯାତ୍ରୀମାନେ ବି ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର