ଅଗ୍ନିବୀରଙ୍କୁ ମଧ୍ୟ ମିଳିବ ସାହସିକତା ପୁରସ୍କାର, ତାଙ୍କ ସହ ପକ୍ଷପାତ କରାଯିବ ନାହିଁ: ଲେପ୍ଟନାଣ୍ଟ ଜେନେରାଲ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଦିନ ଅଗ୍ନିପଥ ଯୋଜନା ବିଷୟରେ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହି ଯୋଜନା ଅଧିନ‌ରେ ୪ବର୍ଷ ସେନାରେ ରହି କାମ କରିବାର ସୁଯୋଗ ମିଳିବା ସହ ୪୮ଲକ୍ଷ ଟଙ୍କାର ବୀମା ମଧ୍ୟ ଦିଆଯିବ। ଏଭଳି ଅନେକ ସୁବିଧା ଦିଆଯାଇଥିଲେ ବି ସରକାରଙ୍କ ଏହି ସ୍କିମକୁ ବିରୋଧ କରିବାରେ ଲାଗିଛନ୍ତି ଲେ‌ାକେ । ଏନେଇ ଦେଶରେ ହିଂସା ବଢ଼ିଥିବା ସହ ୬୦୦ରୁ ଉର୍ଦ୍ଧ୍ବ ଟ୍ରେନ ବାତିଲ ହୋଇଛି। ତେବେ ଘୋଷଣା ହେବା ପରଠାରୁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଅନେକ ପରିବର୍ତ୍ତନ ଆଣିଥିବା ବେଳେ ଏବେ ଆଉ ଏକ ପରିବର୍ତ୍ତନ ଅଣାଯାଇଛି।

ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ, ଅଗ୍ନିବୀରଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଯଦି ଅଗ୍ନିବୀର ଲଢ଼ିବେ, ତାଙ୍କୁ ପରମ ବୀର ଚକ୍ର କିମ୍ବା ଅନ୍ୟ କୌଣସି ସାହସିକତା ପୁରସ୍କାର ଦିଆଯିବ। ଏହା ସହ ନିଯୁକ୍ତିର ସମ୍ପୂର୍ଣ୍ଣ ପ୍ରକ୍ରିୟା ସ୍ୱଚ୍ଛ ଏବଂ ନିରପେକ୍ଷ ହେବ। ତାଙ୍କୁ ଅନ୍ୟ ସୈନିକମାନଙ୍କ ପରି ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଭାରତୀୟ ସଶସ୍ତ୍ର ବାହିନୀରେ ସର୍ବୋତ୍ତମ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଛି। ଦେଶର ସୁରକ୍ଷା ପାଇଁ  ଆମେ ଦ୍ୱିତୀୟ ସର୍ବୋତ୍ତମ ନୁହେଁ ବରଂ ସର୍ବୋତ୍ତମ ଚାହୁଁଛୁ। ସମସ୍ତ ତିନୋଟି ସେନା ପାଇଁ ନିଯୁକ୍ତି ପ୍ରକ୍ରିୟା ସମାନ ରହିବ। ରେଜିମେଣ୍ଟାଲ୍ ପ୍ରକ୍ରିୟା ଅପରିବର୍ତ୍ତିତ ରହିବ। ସମସ୍ତଙ୍କ ସମାନ ସୁଯୋଗ ଓ ସୁବିଧା ମିଳିବ। ଏହା ସହ ସମାନ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।

ସମ୍ବନ୍ଧିତ ଖବର