ଓଡ଼ିଶାରୁ ଅନ୍ତର୍ଜାତୀୟ ଉଡାଣ: ପ୍ରଥମେ ମାଲେସିଆ, ଏବେ ଥାଇଲାଣ୍ଡ, ଆଗକୁ ଦୁବାଇ

୧୦ରୁ ଭୁବନେଶ୍ୱର-ବ୍ୟାଙ୍କକ୍‌ ଏୟାର ଇଣ୍ଡିଆ ଫ୍ଲାଇଟ୍‌

ଭୁବନେଶ୍ୱର: ଓଡ଼ିଶାବାସୀ ଏବେ ସିଧାସଳଖ ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ ଯାଇପାରିବେ । ରାଷ୍ଟ୍ରାୟତ ବିମାନ ସେବା କମ୍ପାନି ଏୟାର ଇଣ୍ଡିଆ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଏହି ସେବା ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ୍ଟ୍‌ କରି ସୂଚନା ଦିଆଯାଇଛି । ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ ଏ ନେଇ ଘୋଷଣା କରାଯାଇଛି । ସପ୍ତାହକୁ ଦୁଇଥର ଏହି ଫ୍ଲାଇଟ୍‌ ଚଳାଚଳ କରିବ ବୋଲି ଜଣାଯାଇଛି । ତେବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ( ଡିଜିସିଏ) ପକ୍ଷରୁ ଏ ପର୍ଯ୍ୟନ୍ତ ଏଥିଲାଗି ସିଡ୍ୟୁଲ ଅନୁମତି ମିଳିନଥିବା ବେଳେ ଖୁବଶୀଘ୍ର ଏହା ମିଳିଯିବା ଆଶା କରାଯାଉଛି ।

ଏହି ଫ୍ଲାଇଟ୍‌ ଚାଲିବା ପରେ ଭୁବନେଶ୍ୱରକୁ ଏୟାର କନେକ୍ଟିଭିଟି ବଢିବା ଆଶା କରାଯାଉଛି । ପୂର୍ବରୁ ଗତ ଏପ୍ରିଲରେ ଘରୋଇ ବିମାନସେବା କମ୍ପାନି ଏୟାର ଏସିଆ ଭୁବନେଶ୍ୱରରୁ ମାଲେସିଆର ରାଜଧାନୀ କ୍ୱାଲାଲୁମ୍ପୁରକୁ ବିମାନ ସେବା ଆରମ୍ଭ କରିଥିଲା । ଏବେ ଏହା ପ୍ରତିଦିନ କ୍ୱାଲାଲୁମ୍ପୁର ଚଳାଚଳ କରୁଛି । କମ୍ପାନି ମଧ୍ୟ ଆସନ୍ତା ଜାନୁୟାରୀ କିମ୍ବା ଫେବ୍ରୁଆରୀରେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ବିମାନସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଏୟାର ଏସିଆକୁ ପ୍ରତି ଫ୍ଲାଇଟ୍‌ ପିଛା ରାଜ୍ୟ ସରକାର ୧ ଲକ୍ଷ ୭୦ ହଜାର ଟଙ୍କା ସବସୀଡି ପ୍ରଦାନ କରୁଛନ୍ତି । କିନ୍ତୁ ରାଷ୍ଟ୍ରାୟତ ବିମାନସେବା କମ୍ପାନି ପାଇଁ ବି ସବସୀଡି ମିଳିବ କି ନା ତା ଜଣାପଡିନାହିଁ ।

ଓଡ଼ିଶାରୁ ଥାଇଲାଣ୍ଡ୍‌କୁ ସିଧାସଳଖ ବିମାନ ଚଳାଚଳ ପରେ ଦକ୍ଷିଣପୂର୍ବ ଏସିଆର ବୌଦ୍ଧ ପର୍ଯ୍ୟଟକମାନେ ଓଡ଼ିଶା ଆସିବାର ଆଶା କରାଯାଉଛି । ଏହା ସହିତ ଓଡ଼ିଶାର ଲୋକମାନେ ମଧ୍ୟ ସହଜରେ ଥାଇଲାଣ୍ଡ ଓ ନିକଟତମ ଦେଶଗୁଡିକୁ ଭ୍ରମଣରେ ଯାଇପାରିବେ ।

ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଫ୍ଲାଇଟ୍‌ ଚଳାଚଳ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏ ନେଇ ଅନୁମତି ମିଳି ନଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର