ଖଣ୍ଡଗିରି: ରବିବାର ଜଣେ ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ଏମ୍ସରେ ଘଟିଥିବା ଗଣ୍ଡଗୋଳ ମାମଲାରେ ଏମ୍ସ କର୍ତୃପକ୍ଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିବା ସ୍ପଷ୍ଟ ହୋଇଛି ବୋଲି କର୍ତୃପକ୍ଷ ସୂଚନା ଦେବା ସହ ତୁରନ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଗଣ୍ଡଗୋଳକାରୀମାନଙ୍କ ପାଇଁ ଟ୍ରମା ସେଣ୍ଟର୍ ଓ କାଜୁଆଲିଟିରେ କାମ କରୁଥିବା ରେସିଡେଣ୍ଟ ଡାକ୍ତରମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି ଏମ୍ସ କର୍ତୃପକ୍ଷ ଜଣାଇଛନ୍ତି। ପୁଲିସ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏମ୍ସ କର୍ତୃପକ୍ଷ ଖଣ୍ଡଗିରି ଥାନା ଓ ଭୁବନେଶ୍ୱର ଡିସିପିଙ୍କୁ ପତ୍ର ଲେଖିଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
ଏମ୍ସ ଅଧୀକ୍ଷକ ପ୍ରଫେସର ଏସ୍ ମହାନ୍ତିଙ୍କ ସୂଚନାନୁସାରେ ଶନିବାର ରାତି ପ୍ରାୟ ୩ଟା ବେଳେ ନନ୍ଦକିଶୋର ପ୍ରଧାନ ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲ ଆସିଥିଲେ। ରେସିଡେଣ୍ଟ ଡକ୍ଟର ଚିନ୍ମୟ କୁମାର ସାହୁ ତୁରନ୍ତ ତାଙ୍କୁ ଚିକିତ୍ସା କରିଥିଲେ। ରୋଗୀଙ୍କୁ ଏନ୍ଆଇଭି ମାସ୍କ ପିନ୍ଧାଇ ଦିଆଯାଇଥିଲେ ବି ତାଙ୍କ ଅବସ୍ଥା ସଂଗିନ୍ ହୋଇପଡ଼ିଥିଲା। ଏମିତିକି ତୁରନ୍ତ ତାଙ୍କୁ ଲାଇଫ୍ ସେଭିଂ ଡ୍ରଗ୍ସ ମଧ୍ୟ ଦିଆଯାଇଥିଲା। କିନ୍ତୁ ଡ. ଚିନ୍ମୟଙ୍କ ସମସ୍ତ ଉଦ୍ୟମ ସତ୍ୱେ ରୋଗୀଙ୍କୁ ବଞ୍ଚାଇ ହୋଇ ନଥିଲା। ରୋଗୀ ନନ୍ଦଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ହଠାତ୍ ତାଙ୍କ ପୁଅ ଓ କିଛି ସହଯୋଗୀ ଉତ୍କ୍ଷିପ୍ତ ହୋଇ ଡ.ଚିନ୍ମୟଙ୍କୁ ମାଡ଼ ମାରିଥିଲେ। ସିସିଟିଭି ଫୁଟେଜ୍ରେ ଏହାର ଚିତ୍ର ସ୍ପଷ୍ଟଭାବେ ରହିଛି। ଏମିତିକି ନିକଟସ୍ଥ ବେଡ୍ରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଏହା କହିଛିନ୍ତି ବୋଲି ଅଧୀକ୍ଷକ ପ୍ରଫେସର ମହାନ୍ତି ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ତେଣୁ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣା ସମୟରେ ଆପାତକାଳୀନ ଓ୍ଵାର୍ଡରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ପଚରାଉଚରା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି।