ନୂପୁର ଶର୍ମାଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ: ଓୱେସୀ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଦାବି କରିଛନ୍ତି। ଓୱେସୀ କହିଛନ୍ତି ଯେ, ଦେଶର ଆଇନ ସର୍ବୋଚ୍ଚ, ସରକାର ଏହି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ପ୍ରଥମେ ନୂପୁର ଶର୍ମାଙ୍କୁ ଗିରଫ କରାଯିବା ଉଚିତ୍।

ଗୁଜୁରାଟର ଭୁଜରେ ଗଣମାଧ୍ୟମକୁ ନିଜର ବୟାନ ଦେଇ ଓୱେସୀ କହିଛନ୍ତି ଯେ, ଗଣତନ୍ତ୍ରରେ କୌଣସି ହିଂସା ହେବା ଉଚିତ ନୁହେଁ। ହିଂସାକୁ ଅନୁମତି ନଦେବା ସରକାରଙ୍କ ଦାୟିତ୍ବ। ଲୋକମାନଙ୍କୁ ନିବେଦନ କରି ଓୱେସୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ କେହି ହିଂସା କରିବା ଉଚିତ ନୁହେଁ କିମ୍ବା ପୁଲିସ ମଧ୍ୟ ଆଇନକୁ ନିଜ ହାତକୁ ନେବା ଉଚିତ ନୁହେଁ।

ଓୱେସୀ ଅଭିଯୋଗ କରିଛନ୍ତି ଯେ, ଏକ ଟିଭି ବିତର୍କରେ ଶର୍ମାଙ୍କ ମନ୍ତବ୍ୟ ପରେ ବିଜେପି ନୂପୁର ଶର୍ମାଙ୍କ ବିରୋଧରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ବିଳମ୍ବରେ ନିଲମ୍ବିତ କରିବା ପ‌ରେ ଏବେ ନୂପୁର ଶର୍ମାଙ୍କୁ ଗିରଫ କରାଯାଉ ନାହିଁ। ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯିବା ଉଚିତ୍। ତାଙ୍କୁ ଏତେ ଦିନ ଧରି ଗିରଫ କରାଯାଇ ନାହିଁ। ଆପଣ କାହିଁକି ତାଙ୍କୁ ଗିରଫ କରୁନାହାଁନ୍ତି ଏବଂ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି? କିଏ ଆପଣଙ୍କୁ ଅଟକାଉଛି? ବୋଲି ପ୍ରଶ୍ନ କରିଛନ୍ତି ଓୱେସୀ।

ଏହା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପ୍ରସାରଣ କରିଥିବାରୁ ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସୀଙ୍କ ନାମରେ ଦିଲ୍ଲୀ ପୁଲିସ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିଲା।

ସମ୍ବନ୍ଧିତ ଖବର