ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସଂପ୍ରତି ‘ ଫନ୍ନେଖାନ୍’ ଟାଇଟଲରେ ନିର୍ମିତ ଏକ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ପ୍ରଥମ ଅନୀଲ ପୁରଙ୍କ ସହ ବେଶ କିଛି ବର୍ଷ ବ୍ୟବଧାନରେ କାମ କରୁଛନ୍ତି । ଏହି ସିନେମାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରଥମ ଥର ପାଇଁ ପ୍ରତିଭାବାନ ଅଭିନେତା ରାଜ କୁମାର ରାଓଙ୍କ ବିପକ୍ଷରେ ନଜର ଆସିବେ । ଏଥିରେ ଦିବ୍ୟା ଦତ୍ତା ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ‘ଫନେ ଖାନ୍’ ର ନିର୍ଦ୍ଦେଶନା ଦେଉଛନ୍ତି ଅତୁଲ ମଞ୍ଜରେକର ।
ଏବେ ଚର୍ଚ୍ଚା ହେଉଛିଯେ ଐଶ୍ୱର୍ଯ୍ୟା ଆଉ ଏକ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ସିନେମାର ଟାଇଟଲ୍ ଏଯାବତ୍ ସ୍ଥିରୀକୃତ ହୋଇ ନଥିଲେ ହେଁ ଏହା ୧୯୬୭ ମସିହାରେ ରିଲିଜ୍ ହୋଇଥିବା ଏକ ସୁପର ହିଟ୍ ଫିଲ୍ମ ‘ ରାତ୍ ଔର୍ ଦିନ୍’ର ରିମେକ୍ ହେବ ବୋଲି କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟେନ୍ ବୋଷଙ୍କ ନିର୍ଦ୍ଦେଶିତ ‘ ରାତ୍ ଔର୍ ଦିନ୍’ ରେ ଉଚ୍ଚକୋଟିର ଅଭିନୟ କରି ନର୍ଗିସ୍ ଦତ୍ତ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ । ଏଥିରେ ନର୍ଗିସ୍ ବରୁଣା ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଭୂମିକା ନିଭାଇଥିଲେ, ଯିଏ କି ଶାରୀରିକ ଅକ୍ଷମତାର ଶିକାର ହୋଇଥିଲେ । ଏଥିରେ ପ୍ରଦୀପ କୁମାର, ଫିରୋଜ୍ ଖାନ୍ , କେ.ଏନ୍ ସିଂହ ଓ ଲୀଳା ମିଶ୍ର ପ୍ରମୁଖ ମଧ୍ୟ ଲିଡ୍ ରୋଲରେ ଥିଲେ ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଉକ୍ତ ନାମକରଣ ହୋଇନଥିବା ସିନେମାରେ ବରୁଣା ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶନା ଦେବେ ଏବଂ ଏହାର ସୁଟିଂ ୨୦୧୮ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ଆରମ୍ଭ ହେବ ବୋଲି ଜଣାଯାଇଛି ।
ସବୁଠୁଁ ବଡ଼ କଥା ହେଲା ଯେ ଏହି ସିନେମାରେ ପ୍ରଥମ ଥର ପାଇଁ ଐଶ୍ୱର୍ଯ୍ୟା ଦ୍ୱୈତ ଭୂମିକାରେ ନଜର ଆସିବେ । ଶ୍ରୀଦେବୀଙ୍କ ଠୁଁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପାଇଁ ଅଭିନେତ୍ରୀ ଡବଲ ରୋଲ କରିବାରେ ସୁଯୋଗ ପାଇଛନ୍ତି । ହେଲେ ଐଶ୍ୱର୍ଯ୍ୟାଙ୍କ କ୍ଷେତ୍ରରେ ତାହା ଘଟି ନ ଥିଲା । ଏହି ସିନେମାରେ ଡବଲ ରୋଲ କରିବାର ସୁଯୋଗ ପାଇଥିବାରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍ ଖୁସି ଥିବା କୁହାଯାଉଛି। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ଏହି ଭୂମିକା ଲାଗି ପ୍ରଥମେ ମାଧୁରୀ ଦୀକ୍ଷିତଙ୍କୁ ଅଫର୍ ଦିଆ ଯାଇଥିଲା, ମାତ୍ର ସେ ପ୍ରତ୍ୟାଖ୍ୟାନ କରିବା ପରେ ତାହା ଐଶ୍ୱର୍ଯ୍ୟାଙ୍କୁ ମିଳିଛି । ତେବେ ଏହି ଅନ ଟାଇଟଲଡ ସିନେମାରେ କିଏ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିପକ୍ଷରେ ନାୟକ ହେବେ ତାହା ଏଯାବତ୍ ଜଣା ପଡ଼ିନାହିଁ। ଏଥିରେ ଜଣେ ନାମୀ ନାୟକଙ୍କୁ ନିଆଯିବାର ଯୋଜନା ରହିଛି ବୋଲି କହିଛନ୍ତି ସିଦ୍ଧାର୍ଥ ଆନନ୍ଦ । ତେବେ ସେ ପ୍ରଥମ ଥର ଲାଗି ଐଶ୍ୱର୍ଯ୍ୟାଙ୍କୁ ନିର୍ଦ୍ଦେଶନା ଦେବାକୁ ଯାଉଥିବାୁ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।