ଓମ୍‌ଫେଡ୍‌ ବଜାରକୁ ସତର୍କ ଘଣ୍ଟି : କମୁଛନ୍ତି ଗ୍ରାହକ, ମୁହଁ ମୋଡ଼ିଲେଣି ଏଜେଣ୍ଟ

ଭୁବନେଶ୍ବର : ଓମଫେଡ୍‌ ଏବେବି ରାଜ୍ୟର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ସରକାରୀ ସମବା‌ୟ ସଂସ୍ଥା। ମାତ୍ର ଦୁଗ୍ଧ ବଜାରରେ ଓମ୍‌ଫେଡ୍‌ର ଆଧିପତ୍ୟକୁ କିଛି ଘରୋଇ କମ୍ପାନି ଇତିମଧ୍ୟରେ ଚ୍ୟାଲେଞ୍ଜ ଦେଲେଣି। ଓମ୍‌ଫେଡ୍‌ର ବଜାର ନୀତି ଯୋଗୁଁ ମଧ୍ୟ ଧୀରେଧୀରେ ବଜାରରୁ ଓମ୍‌ଫେଡ୍‌ ଦୁଗ୍ଧର ଚାହିଦା ହ୍ରାସ ପାଇବାରେ ଲାଗିଛି। କିଛି ନୂଆ କମ୍ପାନି ବଜାରରେ ପ୍ରବେଶ କରିବା ଫଳରେ ଗତ ୫ ବର୍ଷ ଭିତରେ ବଜାରରୁ ପ୍ରାୟ ୨ ଲକ୍ଷ ଏଜେଣ୍ଟ ଓମଫେଡ୍‌ ବିକ୍ରି କରିବା ଛାଡ଼ି ଘରୋଇ କମ୍ପାନିମୁହାଁ ହୋଇଛନ୍ତି। ସେହିଭଳି ଲକ୍ଷ ଲକ୍ଷ ଗ୍ରାହକ ମଧ୍ୟ ଏଥିରୁ ମୁହଁ ଫେରେଇ ନେଲେଣି। ଅନ୍ୟ କମ୍ପାନି ତୁଳନାରେ ଏଜେଣ୍ଟଙ୍କୁ ଓମ୍‌ଫେଡ୍‌ କମ୍ କମିସନ ଦେଉଥିବାବେଳେ ଉତ୍ପାଦନକାରୀ ସଂସ୍ଥାମାନଙ୍କଠାରୁ ମଧ୍ୟ କମ୍ ପଇସାରେ କ୍ଷୀର କିଣୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଏହି ଧାରା ଲାଗି ରହେ, ତେବେ ଓମ୍‌ଫେଡ୍‌ ସଂସ୍ଥାର ଭବିଷ୍ୟତ ଭଲ ନୁହେଁ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏବେ ଓଡ଼ିଶା ବଜାରକୁ ‘ପ୍ରଗତି’, ‘ମିଲ୍‌କି ମୁ’ ଭଳି ୬ଟି ଘରୋଇ ଦୁଗ୍ଧ କମ୍ପାନି ଆସିଗଲେଣି। ସେମାନେ ରାଜ୍ୟର ବିଭିନ୍ନ ବଜାରରେ ଭଲ ଆସ୍ଥାନ ଜମେଇଲେଣି। କିଛି କିଛି ବଜାରରେ ଓମ୍‌ଫେଡ୍‌ ଏହି ସବୁ କମ୍ପାନିମାନଙ୍କଠାରୁ ବେଶ୍ ପଛରେ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହିଭଳି ନୂଆ କମ୍ପାନିମାନେ ଏଜେଣ୍ଟମାନଙ୍କୁ ଭଲ କମିସନ ସହ ଅନ୍ୟାନ୍ୟ ଲୋଭନୀୟ ଅଫର୍‌ ଦେଉଛନ୍ତି। ଓମ୍‌ଫେଡ୍‌ଠାରୁ ନୂଆ କମ୍ପାନିମାନଙ୍କ କମିସନ ବେଶ୍ ଅଧିକା। ତେଣୁ ଦି’ ପଇସା ଲାଭ ପାଇଁ ବେପାର କରୁଥିବା ଏଜେଣ୍ଟମାନେ ନୂଆ କମ୍ପାନିର ଦୁଗ୍ଧ ବିକ୍ରି କରିବାକୁ ଯାଇ ଖାଉଟିମାନଙ୍କୁ ମଧ୍ୟ ଆକର୍ଷିତ କରୁଛନ୍ତି।

image source-odisha suntimes

ସୂଚନାନୁସାରେ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ଓମ୍‌ଫେଡ୍‌ର ମୋଟ୍‌ ଏଜେଣ୍ଟ ସଂଖ୍ୟା ୬ ଲକ୍ଷ ୩୦ ହଜାର ଥିଲା। ବର୍ତ୍ତମାନ ତାହା ୨ ଲକ୍ଷ ୭୮ହଜାରକୁ ଖସି ଆସିଛି। ମାତ୍ର ୫ ବର୍ଷ ଭିତରେ ଏତେ ପରିମାଣର ଏଜେଣ୍ଟ ଓମ୍‌ଫେଡ୍‌ରୁ ମୁହଁ ଫେରାଇ ନେଇଥିବା ଏହି ସରକାରୀ ସମବାୟ ସଂସ୍ଥାର ଭବିଷ୍ୟତ ପ୍ରତି ସତର୍କ ଘଣ୍ଟି ବୋଲି କୁହାଯାଉଛି। ସେହିଭଳି ଗାଁ ଗଣ୍ଡାରେ ଦୁଗ୍ଧ ଉତ୍ପାଦନ କରୁଥିବା ବିଭିନ୍ନ ସମିତି ମଧ୍ୟ ଓମ୍‌ଫେଡ୍‌କୁ ଆଉ ଦୁଗ୍ଧ ବିକ୍ରି କରିବାକୁ ମନ ବଳାଉ ନାହାନ୍ତି। ନୂଆ କମ୍ପାନିମାନେ ଲିଟର ପିଛା ୨୯ ଟଙ୍କାରେ କିଣୁଥିବାବେଳେ ଓମ୍‌ଫେଡ୍ ‌ମାତ୍ର ୨୫/୨୬ ଟଙ୍କା ଦେଉଛି। ତେଣୁ ଲିଟର ପିଛା ପ୍ରାୟ ୫ ଟଙ୍କା ହରାଇବାକୁ କେଉଁ ଚାଷୀ ଇଚ୍ଛା କରିବ ବୋଲି ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥାମାନେ ପ୍ରଶ୍ନ କରିଛନ୍ତି।

ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ କହିବା କଥା, ଓମ୍‌ଫେଡ୍‌ ତା’ର ଏଜେଣ୍ଟମାନଙ୍କୁ ଲିଟର ପିଛା ୧୦ ପଇସା କମିସନ ଦେଉଛି। ଅଥଚ ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକ ୮୦ ପଇସାରୁ ୧ଟଙ୍କା ପର୍ଯ୍ୟନ୍ତ କମିସନ ଦେଉଛନ୍ତି। ଫଳରେ ଏଜେଣ୍ଟମାନେ ସେହି ସବୁ କମ୍ପାନିର କ୍ଷୀର ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଘରୋଇ କମ୍ପାନିମାନେ ଚାଷୀମାନଙ୍କୁ ୨୯ଟଙ୍କା ଲିଟର ପିଛା ଦେଉଛନ୍ତି, ମାତ୍ର ଓମ୍‌ଫେଡ୍ ଚାଷୀଙ୍କଠାରୁ ମାତ୍ର ୨୫ ରୁ ୨୬ଟଙ୍କା ଦରରେ କ୍ଷୀର କିଣୁଛି। ତେଣୁ ଉଚ୍ଚ ଦର ଦେଇ ଘରୋଇ ସଂସ୍ଥାମାନେ ଦୁଗ୍ଧ ଚାଷୀମାନଙ୍କୁ ସେମାନଙ୍କ ଆଡ଼କୁ ଟାଣି ନେବାରେ ସକ୍ଷମ ହେଉଛନ୍ତି। ଚାଷୀମାନେ ଘରୋଇ କମ୍ପାନିକୁ ଦୁଗ୍ଧ ବିକ୍ରି କରିବାକୁ ଆଗ୍ରହ କରୁଛନ୍ତି। ଏଥିସହିତ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀ ସମବାୟ ସମିତିରେ ଥିବା ସମ୍ପାଦକମାନେ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ପାଉନଥିବା ଅଭିଯୋଗ କରୁଛନ୍ତି। ସେମାନଙ୍କୁ ଘରୋଇ ସଂସ୍ଥାମାନେ ଭଲ ପ୍ରୋତ୍ସାହନ ରାଶି ଦେଇ ନିଜ ପକ୍ଷକୁ ଟାଣି ନେଉଛନ୍ତି। ଫଳରେ ସେମାନଙ୍କ ଦ୍ବାରା ଦୁଗ୍ଧ ଚାଷୀମାନେ ଘରୋଇ ସଂସ୍ଥା ପ୍ରତି ଆକର୍ଷିତ ହେଉଛନ୍ତି। ଏମିତି ସ୍ଥିତି ପ୍ରତି ବହୁ ଆଗରୁ ଧ୍ୟାନ ଦିଆଯିବା କଥା। ମାତ୍ର ୫ ବର୍ଷ ବିତିବା ପରେ ବି କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ଏହା ଓମ୍‌ଫେଡ୍‌ର ଭବିଷ୍ୟତ ପ୍ରତି ଶୁଭ ନୁହେଁ ବୋଲି ସେ କହିଛନ୍ତି।

ବଜାର ନିୟମାନୁସାରେ, ସାଧାରଣତଃ ଗ୍ରାହକ କମ୍ ଦର ପ୍ରତି ଆକର୍ଷିତ ହୋଇଥାନ୍ତି। ଜଣେ ଗ୍ରାହକ ରମେଶ ବେହେରାଙ୍କ ମତ ଅନୁସାରେ ଗତ କିଛି ବର୍ଷ ହେଲା ଓମ୍‌ଫେଡ୍‌ ଦୁଗ୍ଧର ମାନ କମିବାରେ ଲାଗିଛି। ପୂର୍ବ ଭଳି ଏହି କ୍ଷୀର ଅଧିକ ସମୟ ରହୁନାହିଁ। ଏବେ ଶୀଘ୍ର ଛିଡ଼ି ଯାଉଛି। ଅନ୍ୟପକ୍ଷରେ ବଜାରକୁ ନୂଆ ଆସିଥିବା କମ୍ପାନିମାନଙ୍କ କ୍ଷୀର ଅଧିକ ସମୟ ରହୁଛି। ସେହିଭଳି କିଛି ଗ୍ରାହକଙ୍କ ମତରେ ବଜାରରେ ସାମଗ୍ରୀମାନଙ୍କ ପ୍ରତିଯୋଗିତା ଖାଉଟିଙ୍କ ପାଇଁ ଭଲ। ଓମ୍‌ଫେଡ୍‌ର ଏକଚାଟିଆ କାରବାର ଆଉ ନାହିଁ। ଓମ୍‌ଫେଡ୍‌ ପୁରୁଣା ଓ ସରକାରୀ ସଂସ୍ଥା ହୋଇଥିବାରୁ ଏବେ ବି ଲୋକଙ୍କ ଭରସାର ପାତ୍ର ହୋଇ ରହିଛି। ତେଣୁ ନୂଆ କମ୍ପାନିମାନେ ବଜାରରେ ପ୍ରତିଯୋଗିତାରେ ରହିବା ପାଇଁ ତା’ଠାରୁ ଭଲ ମାନର କ୍ଷୀର ଦେଉଛନ୍ତି। ଏହା ଓଡ଼ିଶାର ଦୁଗ୍ଧ ଆନ୍ଦୋଳନ ପାଇଁ ଶୁଭ ଲକ୍ଷଣ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର