ନୂଆଦିଲ୍ଲୀ: ପଳାତକ ମଦ ବେପାରୀ ବିଜୟ ମାଲ୍ୟାଙ୍କୁ ନେଇ ଏବେ ଦେଶରେ ରାଜନୈତିକ ହଙ୍ଗାମା ଚାଲିଛି। ତେବେ ଆଇନକୁ ଦଳି ମକଚି ମାଲ୍ୟାଙ୍କୁ ଗୋଟିଏ ପରେ ଗୋଟିଏ ଋଣ କାହା ସମର୍ଥନରେ ମିଳିଥିଲା ଏବଂ କେଉଁମାନେ ତାଙ୍କୁ ଫେରାର୍ କରାଇବାରେ ସହାୟତା କରିଥିଲେ ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। କଂଗ୍ରେସ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ଘେରିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ଆଜି ଟ୍ଵିଟ୍ କରି କହିଛନ୍ତି , ବିଜୟ ମାଲ୍ୟାଙ୍କ ବିରୋଧରେ ଯେଉଁ ଲୁକ୍ ଆଉଟ୍ ନୋଟିସ୍କୁ ସିବିଆଇ ବଦଳାଇ ଦେଇଥଲା ତାହା ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ହାତ ରହିଛି। ତେବେ ବିଜେପି ମାଲ୍ୟା କାଣ୍ଡ ପାଇଁ କଂଗ୍ରେସକୁ ହିଁ ସଂପୂର୍ଣ୍ଣ ଦାୟୀ କରିଛି। କଂଗ୍ରେସ ନେତାମାନେ ମାଲ୍ୟାଙ୍କ ‘କିଙ୍ଗଫିସର୍’ରୁ ଫାଇଦା ଉଠାଇଥିଲେ ଏବଂ ୟୁପିଏ ସରକାର ବ୍ୟାଙ୍କ ନିୟମକୁ ଜଳାଂଜଳି ଦେଇ ମାଲ୍ୟାଙ୍କ ପ୍ରତି ଅନୁଗ୍ରହ ଦେଖାଇଥିଲା। ବିଜେପି କେବଳ ପଳାତକ ଆର୍ଥିକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଥିବାରୁ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମାଲ୍ୟା ପ୍ରସଙ୍ଗ ଏବେ ରାଜନୈତିକ ମହଲକୁ ସରଗରମ କରିଦେଇଛି। ତେବେ ମାଲ୍ୟାଙ୍କ ବେପାର ସାମ୍ରାଜ୍ୟ, ରାଜନୀତି, ଉତ୍୍ଥାନ ପତନ ଏବଂ ଦେଶଛାଡ଼ି ପଳାୟନ ସଂପର୍କିତ ତଥ୍ୟରୁ ଜଣାପଡ଼ିଛି ଯେ ଉଭୟ କଂଗ୍ରେସ ଏବଂ ବିଜେପି ତାଙ୍କୁ ଭିନ୍ନ ଭିନ୍ନ ସମୟରେ ସବୁ ସହାୟତା ଯୋଗାଇ ଦେଇଛନ୍ତି। ସିବିଆଇ ମଧ୍ୟ ମାଲ୍ୟାଙ୍କ ବିରୋଧରେ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ମାଲ୍ୟା ଏହାର ଭରପୂର ଫାଇଦା ଉଠାଇଥିଲେ ଏବଂ ଦେଶଛାଡ଼ି ପଳାଇବାକୁ ସକ୍ଷମ ହୋଇଥିଲେ।
ବିବାଦୀୟ ସାଂସଦ:ବିଜୟ ମାଲ୍ୟା ରାଜ୍ୟସଭା ସାଂସଦ ହେବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ସହାୟତା କରିଛନ୍ତି। ୨୦୦୨ରେ ମାଲ୍ୟା କଂଗ୍ରେସ ଏବଂ ଜେଡିଏସ୍ ସହଯୋଗରେ କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୧୦ରେ ବିଜେପି ଏବଂ ଜେଡିଏସ୍ ସମର୍ଥନରେ ନିର୍ବାଚିତ ହୋଇଥିଲେ। ଅନେକ ବିଧାୟକ ସ୍ୱାଧୀନ ସାଂସଦ ମାଲ୍ୟାଙ୍କ ପାଇଁ ମାଲାମାଲ୍ ହୋଇଥିବା ଚର୍ଚ୍ଚା ହୋଇଥିଲା।
ଅନାଦେୟ ଋଣ:ମାଲ୍ୟାଙ୍କ ‘କିଙ୍ଗ୍ଫିସର ଏୟାରଲାଇନ୍୍ସ’ ୨୦୦୫ରେ ଆରମ୍ଭ ହୋଇଥିଲା ଏବଂ ୨୦୦୯ରେ ବଡ଼ କ୍ଷତିର ସମ୍ମୁଖୀନ ହେବା ପର୍ଯ୍ୟନ୍ତ ବିପୁଳ ଋଣ ହାସଲ କରିବାରେ ସକ୍ଷମ ହୋଇଥିଲା। ବ୍ୟାଙ୍କ୍ମାନେ ମାଲ୍ୟାଙ୍କ ପ୍ରତି ଅହେତୁକ ଦରଦ ଦେଖାଇଥିଲେ। ରାଜନୈତିକ ସମର୍ଥନ ବିନା ଏଭଳି ଋଣ ହାସଲ ସମ୍ଭବ ନଥିଲା ବୋଲି ଜଣାପଡ଼ିଛି। ମାଲ୍ୟାଙ୍କ ଉପରେ ୧୩ଟି ବ୍ୟାଙ୍କ୍ର ୯ ହଜାର କୋଟି ଟଙ୍କା ଋଣ ରହିଛି।
ପଳାୟନ: ମାଲ୍ୟା ଦେଶ ଛାଡ଼ି ପଳାଇବା ପଛରେ କାହାର ଭୂମିକା ରହିଛି, ସେ ନେଇ ଏବେ ଜୋର୍୍ଦାର ରାଜନୀତି ଚାଲିଛି। ମାଲ୍ୟା ଭାରତ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀ ଜେଟ୍୍ଲିଙ୍କୁ ସାକ୍ଷାତ କରିବା କହିସାରିଛନ୍ତି। ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏଭଳି ଅଭିଯୋଗ ପୂର୍ବରୁ କରିଆସୁଛନ୍ତି। ସିବିଆଇ ୨୦୧୫ରେ ମାଲ୍ୟାଙ୍କ ବିରୋଧରେ ଜାରି କରିଥିବା ନୋଟିସ୍ରେ ମଧ୍ୟ ବଡ଼ ଧରଣର ତ୍ରୁଟି ହୋଇଥିଲା। ଏହାକୁ ସିବିଆଇ ସ୍ୱୀକାର କରିବା ସହ ଭୁଲ୍ ନିଷ୍ପତ୍ତି ଯୋଗୁଁ ଡିଟେନ୍୍ ନୋଟିସ୍ ବଦଳରେ ଇନ୍୍ଫର୍ମ ନୋଟିସ୍ ଜାରି ହୋଇଥିଲା ବୋଲି କହିଛି।