ଅଲ୍‌ୱର ଗଣଦୁଷ୍କର୍ମ: ତେଜିଲା ଦଳିତ ରାଜନୀତି

ମାୟାବତୀଙ୍କ କୁମ୍ଭୀର କାନ୍ଦଣା ଚଳିବ ନାହିଁ: ମୋଦୀ

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଆଜି ସଂପନ୍ନ ହୋଇଥିବା ବେଳେ ରାଜସ୍ଥାନର ଅଲୱରରେ ଘଟିଥିବା ଗଣଦୁଷ୍କର୍ମ ମାମଲା ନେଇ ଉତ୍ତର ପ୍ରଦେଶରେ ଦଳିତ ରାଜନୀତି ଜୋର୍‌ ଧରିଛି। ବିଏସ୍‌ପି ସୁପ୍ରିମୋ ତଥା ଦଳିତ ନେତ୍ରୀ ମାୟାବତୀଙ୍କୁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଘେରିବା ପରେ ମାୟାବତୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ ଦେଇଛନ୍ତି। ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାଜସ୍ଥାନ ପୁଲିସ ପ୍ରଶାସନ ମାମଲାକୁ ଚପାଇବାକୁ ପ୍ରୟାସ କରିଥିଲେ ଏବଂ ସେଠାରେ କଂଗ୍ରେସ ସରକାରକୁ ଦଳିତ ନେତ୍ରୀ ମାୟାବତୀ ସମର୍ଥନ ଜାରି ରଖିବା କିଭଳି ନ୍ୟାୟ ବୋଲି ମୋଦୀ ପ୍ରଶ୍ନ କରିଥିଲେ। ଦଳିତଙ୍କ ପାଇଁ ମାୟାବତୀଙ୍କ ଉଦ୍‌ବେଗ ସର୍ବଦା ଲୋକ ଦେଖାଣିଆ ଏବଂ ତାଙ୍କର କୁମ୍ଭୀର କାନ୍ଦଣା ଆଉ ଚଳିବ ନାହିଁ ବୋଲି ମୋଦୀ ଏକ ରୢାଲିରେ କହିଥିଲେ। ବିଏସ୍‌ପି ସହଯୋଗରେ ଚାଲିଥିବା ରାଜସ୍ଥାନର କଂଗ୍ରେସ ସରକାର ଦଳିତଙ୍କ କ୍ଷେତ୍ରରେ ଦମନ ନୀତି ଧରିଥିଲେ ମଧ୍ୟ ମାୟାବତୀ କେଉଁ ସ୍ବାର୍ଥରେ ନିରବ ରହିଛନ୍ତି ଏବଂ ଏଭଳି ସରକାରଙ୍କୁ ସମର୍ଥନ ଦେଉଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଥିଲେ।

ମୋଦୀ ଉନ୍ନାଓ, ଭେମୁଲା କାଣ୍ଡ ଭୁଲନ୍ତୁ ନାହିଁ: ମାୟାବତୀ

ମାୟାବତୀ ଏହାର ଜବାବରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲୱର ମାମଲାରେ କେବଳ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ଟିପ୍ପଣୀ କରୁଛନ୍ତି। ଗୁଜରାଟର ଉନ୍ନାଓ କାଣ୍ଡ ଏବଂ ରୋହିତ ଭେମୁଲା ମାମଲାକୁ ମୋଦୀ ଭୁଲିଯିବା ଉଚିତ ନୁହେଁ ବୋଲି ସେ କହିଥିଲେ। ରାଜସ୍ଥାନ ସରକାରକୁ ସମର୍ଥନ ପ୍ରସଙ୍ଗରେ ମାୟାବତୀ କହିଥିଲେ ଯେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ସେ ସମର୍ଥନ ପ୍ରତ୍ୟାହାର କଥା ଚିନ୍ତା କରିବେ। କିନ୍ତୁ ବିଜେପି ଏହି ମାମଲରେ ଘୃଣିତ ରାଜନୀତି କରିବା ବନ୍ଦକରୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର