ଚଣ୍ତିଖୋଲ : ସରକାରଙ୍କ ମୋ ପୋଖରୀ ଯୋଜନାରେ ଏକ ପୋଖରୀ ଖନନ ସମୟରେ ମିଳିଛି ପ୍ରାଚୀନ କୀର୍ତ୍ତିରାଜି। ବଡ଼ଚଣା ବ୍ଲକ ଅଚ୍ୟୁତ ବସନ୍ତ ପଞ୍ଚାୟତର ଅସିଆଗଡ଼ ଗ୍ରାମରେ ମୋ ପୋଖରୀ ଯୋଜନାରେ ଏକ ପୋଖରୀ ଖୋଳା ଚାଲିଥିଲା। ପ୍ରାୟ ୫ ଫୁଟ ଖୋଳାଯିବା ପରେ ଶ୍ରମିକମାନେ କିଛି କାରୁକାର୍ଯ୍ୟ ଖୋଦିତ ପଥର ଦେଖିବାକୁ ପାଇଥିଲେ। ପରେ ଯତ୍ନର ସହ ସେଗୁଡ଼ିକୁ ଉଦ୍ଧାର କରିଥିଲେ। ଏହି କୀର୍ତ୍ତିରାଜି ମଧ୍ୟରେ ପାଞ୍ଚଟି ଗୋଲାକାର ପ୍ରସ୍ତର ଓ ଗୋଟିଏ ବର୍ଗାକାର ପ୍ରସ୍ତର ଖଣ୍ତ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଗ୍ରାମବାସୀ ରୁଣ୍ତ ହୋଇଥିଲେ। ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି କୀର୍ତ୍ତିରାଜିକୁ ଦେଖିବା ପରେ ଖନନ କାର୍ଯ୍ୟକୁ ବନ୍ଦ କରିଥିଲେ।
ଏ ବିଷୟରେ ପ୍ରତ୍ନତତ୍ତ୍ବ ବିଭାଗ ସହିତ ଯୋଗାଯୋଗ ପରେ ଆଗକୁ ଖନନ କାର୍ଯ୍ୟ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏବେକାର ଅସିଆଗଡ଼ ଗ୍ରାମଟି ପୂର୍ବରୁ ଏକ ଗଡ଼ଜାତ ଅଞ୍ଚଳ ଥିଲା। ଅସିଆଗଡ଼ର ଏବେକାର ରାଜା ସାହେବ ଗୁରୁଚରଣ ଟିକାୟତଙ୍କ ବଂଶଧରମାନେ ଏଠାରେ ରାଜୁତି କରୁଥିଲେ। ସେ ସମୟରେ ଏଠାରେ ବିରାଟ ରାଜନଅର ଥିଲା। କେତେକଙ୍କ ମତରେ ଏହା ସେହି ରାଜନଅରର କିଛି ଅଂଶବିଶେଷ ହୋଇଥାଇ ପାରେ। ଏହି ସବୁ କୀର୍ତ୍ତିରାଜିକୁ ଦେଖି ଏହା ଅଷ୍ଟାଦଶ ଶତାବ୍ଦୀର ବୋଲି ବିଶିଷ୍ଟ ବୌଦ୍ଧ ଗବେଷକ ଡ. ହରିଶଚନ୍ଦ୍ର ପୃଷ୍ଟି କହିଛନ୍ତି । ଏହି ସବୁ କୀର୍ତ୍ତିରାଜି ସେତେବେଳେ ଯଜ୍ଞ ଓ ଉପାସନାରେ ବ୍ୟବହୃତ ହେଉଥିବା ଭଳି ମନେହେଉଛି । ସେହି ସ୍ଥାନରୁ ଆହୁରି କିଛି କୀର୍ତ୍ତିରାଜି ମିଳିପାରେ ବୋଲି ଡ. ପୃଷ୍ଟି ସୂଚନା ଦେଇଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗ ଏହାର ଅନୁସନ୍ଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।