ଗତମାସର ରାସନ ସାମଗ୍ରୀ ଗଲା କୁଆଡ଼େ?

ଭୁବନେଶ୍ୱର : କ୍ଷମତା ଚୌକି ଦଖଲ ନିଶା ଏଭଳି ଚଢିଛି ଯେ ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେଡି-ବିଜେପି ସବୁ ସୀମା ସରହଦ ଡେଇଁବାକୁ ବସିଲେଣି। କଥା କଥାକେ ଉଭୟ ରାଜନୈତିକ ଦଳ ବୟାନ ବାଜି କରୁଛନ୍ତି। ରାଜରାସ୍ତାରେ ମୁହାଁମୁହିଁ ହେଉଛନ୍ତି। ହେଲେ ଯେଉଁ ଶିଶୁ ଓ ଗର୍ଭବତୀଙ୍କ ଜୀବନକୁ ନେଇ ବିଭିନ୍ନ ସମୟରେ ଉଭୟ ଦଳର ନେତା ନିଜର ଉଦ୍‌ବେଗ ପ୍ରକାଶ କରୁଛନ୍ତି, ସେହିମାନଙ୍କ ଭାଗ୍ୟକୁ ବାଜି ଲଗାଇ ରାଜନୀତି କରିବାକୁ ଭୁଲୁନାହାନ୍ତି।

ଅଙ୍ଗନବାଡି ଦିଦିଙ୍କ ସମସ୍ୟାକୁ ନେଇ ବିଜେଡି-ବିଜେପିର ରଣନୀତି, ବୟାନବାଜି ଓ ଭୂମିକା ରାଜନୈତିକ, ବୁଦ୍ଧିଜୀବୀ ମହଲ ଠାରୁ ଆରମ୍ଭ କରି ସାଧାରଣରେ ଏଭଳି ଧାରଣା ସୃଷ୍ଟି କଲାଣି। ଏହା ସତ୍ତ୍ୱେ ଉଭୟ ଦଳ ଅଙ୍ଗନବାଡି କର୍ମୀଙ୍କୁ ଢାଲ କରି ରାଜନୈତିକ ଫାଇଦା ହାସଲ ଉଦ୍ୟମରୁ ହଟୁନାହାନ୍ତି।

ରାଜ୍ୟ ସରକାରଙ୍କ ଆଚରଣ ଓ ଉଚ୍ଚାରଣ ଏ କ୍ଷେତ୍ରରେ ସନ୍ଦେହଜନକ ହୋଇଛି। ୩୫ ଦିନ ଧରି ଆଖିବୁଜି ବସିବା ପରେ ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ସେମାନଙ୍କ ପାରିଶ୍ରମିକକୁ ୫୦% ବୃଦ୍ଧି କରିଛନ୍ତି। ତଥାପି ଏହି ଆନ୍ଦୋଳନ ଜାରି ରହିଛି ଓ ସରକାର ନିର୍ବିକାର ବସିଛନ୍ତି। ତୃଣମୂଳସ୍ତରରେ ଦିଦିଙ୍କ ଅନୁପସ୍ଥିତିରେ ନବଜାତ ଓ ଗର୍ଭବତୀ ତଥା ପ୍ରସୂତୀଙ୍କ ସୁରକ୍ଷା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ କରୁନାହାନ୍ତି। ଫଳରେ ଗାଁ ଗଣ୍ଡାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲାଣି। ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟତଃ ୬ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଗର୍ଭବତୀ ଓ ନବଜାତକଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଛୋଟ ଶିଶୁଙ୍କୁ ଶିକ୍ଷା ଆଦି ଦାୟିତ୍ୱ ସେମାନେ ତୁଲାଇଥାନ୍ତି। ଏବେ ଏ କାର୍ଯ୍ୟ କିଭଳି ରହିଛି, ସେ ନେଇ ବିଭାଗୀୟ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି।

ଏବେ ପ୍ରଶ୍ନ ଉଠିଛି ଯେ ମାସେରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରହିଛି। ଏପରି ପରିପ୍ରେକ୍ଷୀରେ ଗର୍ଭବତୀ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ରାସନ୍‌ ସାମଗ୍ରୀ (ଛତୁଆ)ର ଏଥର କୋଟା ବଣ୍ଟାଯାଇଛି ନା ହରିଲୁଟ୍‌ ହୋଇଗଲା। ଅଙ୍ଗନବାଡି ଦିଦିଙ୍କ ଅନୁପସ୍ଥିତିରେ ଗାଁ ଗଣ୍ଡାରେ ଛୋଟ ଶିଶୁ ଓ ଗର୍ଭବତୀ ଯେଉଁ କ୍ଷତି ସହିଲେ, ତା ପାଇଁ କିଏ ଉତ୍ତରଦାୟୀ ରହିବେ। ରାଜ୍ୟ ସରକାର, ରାଜନୈତକ ଦଳ ନା ଦିଦି।

ଉଲ୍ଲେଖଯୋଗ୍ୟ, ଅଙ୍ଗନବାଡି ଦିଦିଙ୍କୁ ନେଇ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା କିଛି ଅଙ୍ଗନବାଡି ଦିଦିଙ୍କୁ ନେଇ ବିଜେଡି ନେତାମାନେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇଥିଲେ। ସେମାନେ ନବୀନଙ୍କୁ ଗତକାଲିର ନିଷ୍ପତ୍ତି ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସମାନ୍ତରାଳ ଭାବେ ବିଜେଡି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଛି। ଅନ୍ୟପଟରେ ଲୋୟର ପିଏମ୍‌ଜିରେ ଆଉ କେତେକ ଅଙ୍ଗନବାଡି କର୍ମୀ ଆନ୍ଦୋଳନ ଜାରି ରଖିଥିବା ବେଳେ କୋରାପୁଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କିଛି ଅଙ୍ଗନବାଡି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

ଅଙ୍ଗନବାଡି କର୍ମୀଙ୍କ ସମସ୍ୟାକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କର୍ମୀଙ୍କ ସମସ୍ୟା ଶୁଣିଛନ୍ତି। ସମସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ଯେଉଁ ଅଙ୍ଗନବାଡି କର୍ମୀମାନେ ତଥାପି ଆନ୍ଦୋଳନରେ ବସିଛନ୍ତି ସେମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିନିଅନ୍ତୁ, ଏ ନେଇ ସେମାନଙ୍କୁ ଅନୁରୋଧ କରାଯାଉଛି। ସେ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଙ୍ଗନବାଡି ଦିଦିଙ୍କୁ ସର୍ବୋଚ୍ଚ ପ୍ରାପ୍ୟ ଦିଆଯାଉଛି। ଉତ୍ତରପ୍ରଦେଶ, ଛତିଶଗଡ, ଗୁଜୁରାଟ ଭଳି ବିଜେପି ଶାସିତ ରାଜ୍ୟରେ ସେମାନଙ୍କୁ କେତେ ଦରମା ମିଳୁଛି ସେ ନେଇ ବିଜେପି ପ୍ରଥମେ ଜବାବ ଦେଉ। ଅଙ୍ଗନବାଡି କର୍ମୀଙ୍କୁ ବିଜେପି ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି।

ସେପଟେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପୂଜାରୀ ବରଗଡରେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ୧୭ ବର୍ଷ ଧରି ସରକାର କଣ କରୁଥିଲେ? ରାଜନୈତିକ ଉଦ୍ଦେଶ୍ୟ ରଖି ଦରମା ବଢାଯାଇଥିବା ବିଜେପି କହିଛି। ୩୬ ଦିନ ହେଲାଣିି ମାଆ-ଭଉଣୀମାନେ ହଇରାଣ ହେଉଛନ୍ତି। ଅଙ୍ଗନୱାଡି କର୍ମୀ ସଂଘ ଭାଙ୍ଗିବା ବିରଳ ଘଟଣା ବୋଲି ବିଜେପି ଅଭିଯୋଗ କରିଛି।

କୁହାଯାଉଛି, ସରକାରଙ୍କ ଘୋଷଣା ପରେ ବିଜେଡି ସମର୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ଏଆଇଟିୟୁସି ସମର୍ଥିତ ଅଙ୍ଗନବାଡି କର୍ମୀ ଆନ୍ଦୋଳନରୁ ଓହରି ଯାଇଛି। ହେଲେ ବିଜେପି ସମର୍ଥିତ ଭାରତୀୟ ମଜଦୁର ସଂଘ ସହ ସଂପୃକ୍ତ ଅଙ୍ଗନବାଡି ଦିଦି ଆନ୍ଦୋଳନରୁ ଓହରି ନାହାନ୍ତି। ଦରମା ୧୦ ହଜାର ଟଙ୍କା ନକରିବା ଯାଏଁ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ରାଜନୈତିକ ମହଲ କହିବା କଥା ହେଉଛି, ଆନ୍ଦୋଳନର ଶ୍ରେୟ କାହାକୁ ଯିବ, ସେ ନେଇ କସରତ ଚାଲିଛି।

ତେବେ ଆନ୍ଦୋଳନରତ ଅଙ୍ଗନବାଡି ଦିଦି ସେମାନଙ୍କ ପ୍ରତିବାଦର ଆଉ ଏକ ସ୍ୱରୂପ କୋରାପୁଟରେ ଦେଖାଯାଇଛି। ଆଜି ଶତାଧିକ କର୍ମୀ କୋରାପୁଟ ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିିଥିଲେ। ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ଆସୋସିଏସନର ସଦସ୍ୟ ବର୍ଦ୍ଧିତ ଦରମାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଯାଇଥିଲେ। ଲୋୟର ପିଏମ୍‌ଜିରେ ବି ସେମାନେ ସରକାରଙ୍କୁ ସିଧା ସିଧା ଚାଲେଞ୍ଜ କରିଛନ୍ତି ଓ ଦାବି ପୂରଣ ନ ହେଲେ ହଟିବେ ନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି। ଏପରିକି ପୁଲିସ ଦମନଲୀଳା କରନ୍ତୁ କି ସରକାର ଆଉ କିଛି ପଦକ୍ଷେପ ନିଅନ୍ତୁ, ସେମାନେ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ପ୍ରକାଶଥାଉକି, ପୂର୍ବରୁ ଅଙ୍ଗନବାଡି ଦିଦିମାନେ ମାସିକ ୪ହଜାର ଟଙ୍କା ପାରିଶ୍ରମିକ ଭାବେ ପାଉଥିଲେ। ମଙ୍ଗଳବାର ରାଜ୍ୟ ସରକାର ଏହାକୁ ୬ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିଭଳି ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ପୂର୍ବରୁ ୨୭୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏବେ ସେମାନଙ୍କୁ ମାସିକ ୪୧୨୫ଟଙ୍କା ମିଳିବ। ଅଙ୍ଗନବାଡି ସହାୟକଙ୍କ ପାରିଶ୍ରମିକକୁ ୨ହଜାର ଟଙ୍କାରୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ଅଙ୍ଗନବାଡି କର୍ମଚାରୀଙ୍କ ସ୍ୱାସ୍ଥ୍ୟ, ଜୀବନ, ଓ ଅକ୍ଷମତା ପାଇଁ ସରକାର ସେମାନଙ୍କୁ ବୀମାଭୁକ୍ତ କରିବାକୁ ସ୍ଥିର କରିଛନ୍ତି। ଏହି ବୀମା ବାବଦ ପ୍ରିମିୟମ ଅର୍ଥ ରାଶି ରାଜ୍ୟ ସରକାର ବହନ କରିବେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବାକୁ ମଧ୍ୟ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର