ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ସ୍ୱନାମଧନ୍ୟ ଅଭିନେତ୍ରୀ ଥିଲେ ଅନୀତା ଦାସ। ସେ ଗୋଟିଏ ଓଡ଼ିଆ ସିନେମାରେ ଅଭିନୟ ସାରିବା ପରେ ଅଭିନୟ ଜଗତକୁ ଅଲ୍ବିଦା କରିଥିଲେ।
ସଂପ୍ରତି ନିର୍ମାଣାଧୀନ ରହିଛି ଏକ ଓଡ଼ିଆ ସିନେମା। ଏହାର ଶୀର୍ଷକ ହେଲା ‘ପାଗଳ ମୁଁ ତୋ’ ପାଇଁ’। ଏହି ଓଡ଼ିଆ ଛବିରେ ଦିବଙ୍ଗତ ଅଭିନେତ୍ରୀ ଅନୀତା ଦାସ ନଜର ଆସିବେ ମାଆ ଭୂମିକାରେ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶାରଦା ଦେବୀ।
ଏ ବି ଭିଜୁଆଲ୍ ପ୍ରଡ଼କସନ୍ସ ପ୍ରାଇଭେଟ୍ ଲିମିଟେଡ଼୍ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଏନ୍.ପାଢ଼ୀ। ଅନୀତା ଦାସ ଏହି ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ର ସୁଟିଂ ଶେଷ କରିଥିଲେ।
ନିର୍ଦ୍ଦେଶକ ଏନ୍.ପାଢ଼ୀଙ୍କ କହିବା ଅନୁଯାୟୀ ଯେଉଁ ଦିନ ଅନୀତା ଦାସ ଆରପାରିକୁ ଚାଲିଗଲେ ଠିକ୍ ତା’ ପୂର୍ବ ଦିନ । ଅନୀତା ଦାସ ଷ୍ଟୁଡ଼ିଓକୁ ଆସି ଭଏସ୍ ଡ଼ବ୍ କରିଥାନ୍ତେ। ଏଥିପାଇଁ ସମ୍ମତି ଜଣାଇଥିଲେ ଅନୀତା ଦାସ।
ନିର୍ଦ୍ଦେଶକ ସେହି ଅନୁସାରେ ଅନ୍ୟ କଳାକାରମାନଙ୍କର ଡ଼ବିଂ ଚଳାଇଥିଲେ କଟକର ଏକ ଷ୍ଟୁଡ଼ିଓରେ। ସକାଳେ ହଠାତ୍ ଅନୀତା ଦାସଙ୍କ ଦେହାନ୍ତ ଖବର ପାଇଥିଲେ ନିର୍ଦ୍ଦେଶକ। ଅନୀତା ଦାସ ‘ପାଗଳ ମୁଁ ତୋ’ ପାଇଁ’ର ଡ଼ବିଂ କରିପାରି ନ ଥିଲେ।
ଏହାର କିଛି ଦିନ ପରେ ଅନୀତା ଦାସଙ୍କ ପାଇଁ ଭଏସ୍ ଡ଼ବ୍ କରିଥିଲେ ପ୍ରଖ୍ୟାତ ଗୀତିକାର-ସଂଳାପକାର ଶୀର୍ଷାନନ୍ଦ ଦାସ କାନୁନ୍ଗୋଙ୍କ ପତ୍ନୀ ତଥା ଜଣାଶୁଣା ଡ଼ବିଂ କଳାକାର ବେବି ଅପା।