ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ହଠାତ ଲେହରେ ପହଞ୍ଚିଥିଲେ। ଏହି ସମୟରେ ସେ ସେଠାରେ ଥିବା ଉଚ୍ଚ ସୈନ୍ୟ ଅଧିକାରୀଙ୍କଠାରୁ ସାଂପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଡିଏସ୍ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ନରୱାଣେ ମଧ୍ୟ ଗସ୍ତରେ ଯାଇଥିଲେ। ଶାନ୍ତି ପାଇଁ ସାହସିକତା ଏବଂ ସାହସ ଅପରିହାର୍ଯ୍ୟ ବୋଲି ଲେହଠାରେ ଯବାନମାନଙ୍କୁ ଉଦ୍ବୋଧନ ଦେବା ପରେ ଜୁନ ୧୫ ରାତିରେ ଗଲୱାନ ସଂଘର୍ଷରେ ଆହତ ଯବାନମାନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡାକ୍ତରଖାନା ଭିତରେ ମୋଦୀ ଚିକିତ୍ସାଧିନ ଯବାନଙ୍କୁ ଉଦବୋଧନ ଦେବା ସହିତ ଉତ୍ସାହିତ କରିଥିଲେ।
ସେହି ସମୟର କିଛି ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିବା ପରେ ବିରୋଧୀମାନେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ | ଯେଉଁଠାରେ ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟିଥିଲେ ତାହା ଏହା ଏକ ଡାକ୍ତରଖାନା ଭଳି ଲାଗୁନାହିଁ, ଏଠାରେ ଯବାନଙ୍କ ସଠିକ ଚିକିତ୍ସା କରାଯାଉନାହିଁ, ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା | ଆଜି ଏହି ସବୁ କଥା ଉପରେ ନିଜର ସ୍ପଷ୍ଟୀକରଣ ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ |
ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଭାରତୀୟ ସେନା ଏହାର ଯବାନମାନଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଥାଏ। ଆହତ ଯବାନମାନେ ଗଲୱାନ ଉପତ୍ୟକାରୁ ଫେରିବା ପରେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା | ଭାରତୀୟ ସେନା ସ୍ପଷ୍ଟ କରିଛି ଯେ, ଏବେ ଯବାନମାନେ ଲେହ ହସ୍ପିଟାଲର ଏକ ଟ୍ରେନିଂ ହଲରେ ରହିଛନ୍ତି | ଲେହ ହସ୍ପିଟାଲ୍ ଏକ ନିର୍ଦ୍ଦିଷ୍ଟ କୋଭିଡ୍ ହସ୍ପିଟାଲ୍ ହେବା ପରଠାରୁ ଯବାନମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟ୍ରେନିଂ ହଲକୁ ୱାର୍ଡରେ ପରିଣତ କରାଯାଇଥିଲା | ସେଠାରେ ସେମାନଙ୍କ ଚିକିତ୍ସା ପାଇଁ ସବୁ ସୁବିଧା କରାଯାଇଛି |
ସୂଚନା ମୁତବକ, କଂଗ୍ରେସ ନେତା ଅଭିଷେକ ଦତ୍ତ ଆହତ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ ଏହା ଡାକ୍ତରଖାନା ଭଳି ଲାଗୁନାହିଁ, କୌଣସି ଚିକିତ୍ସା ଉପକରଣ ନାହିଁ, ଡାକ୍ତରଙ୍କ ବଦଳରେ ଫଟୋଗ୍ରାଫର ଅଛନ୍ତି, ଶଯ୍ୟା ସହିତ ଔଷଧ ନାହିଁ, ପାଣି ବୋତଲ ବି ନାହିଁ | ଅନ୍ୟପକ୍ଷରେ କଂଗ୍ରେସ ନେତା ସଲମାନ ନିଜାମି ଟ୍ୱିଟରରେ ଲେଖିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ କେବଳ ମିଛ କହିବା ପାଇଁ ଜନ୍ମ ହୋଇଛନ୍ତି। ପୂର୍ବରୁ ସେ କହୁଥିଲେ ଆମ ସୀମାକୁ କେହି ଆସିନାହାଁନ୍ତି | ଏହା ପରେ ସେ ଚୀନ୍ ଆକ୍ରମଣରେ ଆହତ ଯବାନମାନଙ୍କୁ ସହିତ ଫଟୋ ସୁଟ୍ କରୁଛନ୍ତି | ଏଭଳି ଅନେକ ବିବାଦୀୟ ମନ୍ତବ୍ୟ ପରେ ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ଜବାବ ରଖିଛି |