ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଲେ ସାବିତ୍ରୀ, ନକ୍ସଲଙ୍କ କବଳରୁ ଇଞ୍ଜିନିୟର ସ୍ବାମୀକୁ ମୁକୁଳାଇଲେ ପତ୍ନୀ ଅର୍ପିତା

ମାଲକାନଗିରି: ପୁରାଣରେ ବର୍ଣ୍ଣିତ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ସାହସୀ ପତ୍ନୀ। ସାବିତ୍ରୀ ଯେପରି ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ପଣ କରିଥିଲେ ସେହିପରି ଜଣେ ଆଦର୍ଶ ପତ୍ନୀ ନିଜ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି। ଗତ ଏକ ସପ୍ତାହ ତଳେ ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର କୁନାର ଏବଂ ମେଚଲିଠାରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ତଦାରଖ କରିବା ପାଇଁ ଇଞ୍ଜିନିୟର ଅଜୟ ରୋଷନ ଲାକ୍ରା ତାଙ୍କର ଜଣେ ପିଅନ ସହ ଯାଇଥିଲେ। ସେହି ସମୟରେ ନକ୍ସଲ ସେମାନଙ୍କୁ ଅପହରଣ କରି ନେଇଯାଇଥିଲେ। ତେବେ ଏହି ଖବର ପ୍ରଚାର ହେବା ପରେ ପୁଲିସ ସମେତ ସମସ୍ତ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା। ପତ୍ନୀ ଅର୍ପିତା କିନ୍ତୁ ନିଜର ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ନିଜର ଏକ ମାତ୍ର ୨ ବର୍ଷର ପୁଅକୁ ନେଇ ଜଙ୍ଗଲ ଭିତରକୁ ପଶିଥିଲେ। ଦୁଇ ଦିନ ଜଙ୍ଗଲରେ ଖୋଜାଖୋଜି କରି ପାଇନଥିବା ବେଳେ ପୁଣି ଘରକୁ ଫେରି ପୁଅକୁ ଛାଡି ଜଙ୍ଗଲରେ ପଶିଥିଲେ ଅର୍ପିତା ।

ଏଥର କିନ୍ତୁ ଅର୍ପିତା ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଜଙ୍ଗଲରେ ପଶିଥିଲେ। ମାଇଲ ମାଇଲ ବାଟ ଜଙ୍ଗଲରେ ଚାଲି ଚାଲି ଯିବା ପରେ ଏକ ନିର୍ଜନ ସ୍ଥାନରେ ନକ୍ସଲଙ୍କ ଗହଣରେ ଅର୍ପିତା ସ୍ବାମୀଙ୍କୁ ପାଇଥିଲେ। ସ୍ବାମୀ ଜୀବିତ ଥିବା ଦେଖି ପ୍ରଥମେ ତାଙ୍କର ଖୁସିର ଲୁହ ଝରିଯାଇଥିଲା। ଶତାଧିକ ଲୋକଙ୍କ ଗହଣରେ ଇଞ୍ଜିନିୟର ଲାକ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତାଙ୍କୁ ହତ୍ୟା କରାଯିବା ନେଇ ନିଷ୍ପତ୍ତି ଏକ ପ୍ରକାର ସରିଯାଇଥିଲା। କିନ୍ତୁ ପତ୍ନୀ ଅର୍ପିତା ନକ୍ସଲ ଏବଂ ଗ୍ରାମବାସୀଙ୍କ ନିକଟରେ ନେହୁରା ହୋଇଥିଲେ।ସ୍ବାମୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ସରକାରଙ୍କର ଗୁଲାମୀ କରୁଛନ୍ତି। ତାଙ୍କର କୌଣସି ଦୋଷ ନାହିଁ। ତାଙ୍କୁ ଯଦି ହତ୍ୟା କରାଯିବ ମୁଁ ବି ବଞ୍ଚିବାକୁ ଚାହୁଁନାହିଁ ବୋଲି ପ୍ରଜାକୋର୍ଟରେ ପତ୍ନୀ କହିଥିଲେ। ଆମର ଏକମାତ୍ର ପୁଅ ଏବେ ଛୋଟ ଅଛି । ଦୀର୍ଘ ସମୟ ଧରି ପତ୍ନୀ ଅର୍ପିତା ନକ୍ସଲଙ୍କର ଗୋଡହାତ ଧରିଥିଲେ। ପରେ ପ୍ରଜାକୋର୍ଟରେ ସରକାରଙ୍କର କାର୍ଯ୍ୟକ୍ରମଗୁଡିକକୁ ନିନ୍ଦା କରାଯାଇଥିଲା। ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବହୁ ଦାବି ଜଣାଇଥିଲେ ନକ୍ସଲ। ରାସ୍ତା କାମକୁ ବନ୍ଦ କରିବା,ପୁଲିସ କ୍ୟାମ୍ପ ପ୍ରତିଷ୍ଠା ବନ୍ଦ କରିବା, ଗ୍ରୀନହଣ୍ଟ ଏବଂ ପ୍ରହାରକୁ ବନ୍ଦ କରିବା ନେଇ ଦାବି କରିଥିଲେ। ପରେ ଏହି ଚାକିରିରୁ ନିବୃତ ରହିବା ପାଇଁ ନକ୍ସଲ ଚେତାବନୀ ଦେଇଥିଲେ।

ସ୍ବାମୀଙ୍କୁ ନକ୍ସଲ ଛାଡିଦେବା ପରେ ସ୍ବାମୀଙ୍କୁ ଧରି ପତ୍ନୀ କାନ୍ଦିଥିଲେ। ଗ୍ରାମବାସୀଙ୍କୁ ନେହୁରା ହୋଇ ଆଗକୁ ଏଭଳି କାମ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଇଞ୍ଜିନିୟର ଲାକ୍ରାଙ୍କୁ ନକ୍ସଲ କବଳରୁ ମୁକୁଳାଇବା ପାଇଁ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ବହୁ ଚେଷ୍ଟା କରିଥିଲେ, ଯାହା ପ୍ରଶଂସନୀୟ। ଗ୍ରାମବାସୀ ମଧ୍ୟ ଏମାନଙ୍କୁ ଛାଡିଦେବା ପାଇଁ ନକ୍ସଲଙ୍କୁ ଅନୁରୋଧ କରିଥିଲେ।ଇଂଜନିୟର ଲାକ୍ରା ନକ୍ସଲ କବଳରେ ୭ଦିନ ଧରି ରହିଥିବାର ଟିକିନିଖି ବଖାଣିଥିଲେ। ପ୍ରତ୍ୟେକ ମିନଟ ତାଂକୁ ମୃତ୍ୟୁର ଭୟ ଦେଖାଯାଉଥିଲା। ସେ ଆଉ ବଞ୍ଚିବେ ନାହିଁ ବୋଲି ସ୍ପଷ୍ଟ ଜାଣିଯାଇଥିଲେ।ପ୍ରତିମୂହର୍ତ୍ତରେ ତାଂକର ମୁହଁରେ ପତ୍ନୀ ଏବଂ ପୁଅର ଛବି ଦେଖାଯାଉଥିଲା।ନକ୍ସଲ ତାଂକୁ ଦୀର୍ଘ ବାଟ ଚଲାଇ ଚଲାଇ ନେଇଥିଲେ। ଖାଦ୍ୟ ଦେବା ସହ କୌଣସି ଖରାପ ବ୍ୟବହାର ଦେଖାଉନଥିବା ସେ କହିଥିଲେ। ସେ ନିର୍ଦୋଷ ବୋଲି ବାରମ୍ବାର ନକ୍ସଲଙ୍କୁ ଗୁହାରି କରି କହୁଥିଲେ ମଧ୍ୟ ନକ୍ସଲ ଶୁଣିବା ଲୋକ ନଥିଲେ। କେବଳ ତାଙ୍କର ପତ୍ନୀଙ୍କ ପାଇଁ ଆଜି ସେ ବଞ୍ଚିଯାଇଥିବା କହିଥିଲେ। ତେବେ ପତ୍ନୀ ଅର୍ପିତାଙ୍କ ଏହ ଦୁଃସାହସିକତାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି।ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସେ ମରଣ ମୁହଁକୁ ମଧ୍ୟ ଖାତିରି କରିନଥିଲେ। ଅର୍ପତା ସ୍ବାମୀଙ୍କୁ କୁଣ୍ଢାଇ ହୋଇ ଏଭଳି ବହୁ ବାଧାବିଘ୍ନ ଆଗକୁ ଆସିବ,ଡରିବାର ନାହିଁ ବୋଲି ଦମ୍ଭ ଦେଉଥିବା ଜଂଗଲରେ ଦେଖିବାକୁ ମିଳିଛି।ସ୍ବାମୀଙ୍କୁ ଜୀବନ ବଞ୍ଚାଇ ଘରକୁ ଫେରାଇ ଆଣିଥିବାରୁ ପରିବାର ଏବଂ ଗ୍ରାମରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧିତ ଖବର