ଭୁବନେଶ୍ବର: ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଦୁଇ ଦିନ ଧରି ଚାଲିଥିବା ‘୧୧ତମ ଗୁରୁଶ୍ରୀ ସମ୍ମାନ’ ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ପ୍ରଥମ ଦିବସରେ ବିଶିଷ୍ଟ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କୁ ଚଳିତ ବର୍ଷର ‘ଗୁରୁଶ୍ରୀ ସମ୍ମାନ-୨୦୨୨’ ଓ ଗୁରୁ ପୀତାମ୍ବର ବିଶ୍ବାଳଙ୍କୁ ‘ନୃତ୍ୟ ସଂରଚନା ସମ୍ମାନ’ ପ୍ରଦାନ କରାଯାଇଥିଲା। ଆଜି ଗୁରୁ ଜ୍ୟୋତ୍ସ୍ନା ସାହୁଙ୍କୁ ‘ନୃତ୍ୟ ସଂରଚନା-୨୦୨୨’ରେ ସମ୍ମାନିତ କରାଯାଇଛି।
ଏଥିସହ ୩ ବିଚାରକ ଅଶୋକ ଘୋଷାଲ, ରଶ୍ମିରେଖା ଦାସ ଏବଂ ଗୁରୁ ସ୍ବୟଂପ୍ରଜ୍ଞା ସଢୁଙ୍କୁ ପ୍ରତିଭା ବିଚାରକ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଶୀରେ ଆଦିତ୍ୟ ମହାନ୍ତି, ସିକିତା ପାଲ ଓ ମାଷ୍ଟର୍ ସାଇ ସୌମ୍ୟକାନ୍ତଙ୍କୁ ‘ପ୍ରଜ୍ଞା ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରାକ୍ତନ ପ୍ରଶାସକ ବିଜୟ ପଟ୍ଟନାୟକ, ସଞ୍ଜୟ ଚୌଧୁରୀ, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ, ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଏଲୋରା ଭାରତୀ ଜେନା ଏବଂ ସଂସ୍କୃତି ଗବେଷକ କୃଷ୍ଣାକେଶବ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ସଭା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ନୃତ୍ୟଶିଳ୍ପୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ‘ଦଶ ମହାବିଦ୍ୟା’ ପରିବେଷିତ ହୋଇଥିଲା। ସେହିଭଳି ଭାରତନାଟ୍ୟମ୍ ଓ ସୁର ମନ୍ଦିର ନୃତ୍ୟଶିଳ୍ପୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ଗୁରୁ ସନ୍ଦୀପ୍ ବୋଷଙ୍କ କଥକ ନୃତ୍ୟ ମନୋମୁଗ୍ଧକର ହୋଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ନବକିଶୋର ବେହେରା, ସମ୍ପାଦିକା ସ୍ବୟଂପ୍ରଜ୍ଞା ସାହୁ, କୋଷାଧ୍ୟକ୍ଷ ଗୟାଧର ସାହୁ, ପରିଚାଳକ ପ୍ରଦୀପ ମହାନ୍ତି, ସ୍ମୃତି ରଂଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ।