ଠିକଣା ବଦଳିବାରୁ ଭତ୍ତା ତାଲିକାରୁ ନାଁ କଟିଗଲା: ଉଚ୍ଛେଦ ବସ୍ତିବାସିନ୍ଦାଙ୍କ କମୁନି ଦୁର୍ଦ୍ଦଶା

କଟକ: ଏସ୍‌ସିବି ଏମ୍‌ସ ପ୍ଲସ୍‌ ପାଇଁ ତାଳଦଣ୍ଡା କେନାଲ ରାସ୍ତାକୁ ସଂପ୍ରସାରଣ କରାଗଲା। ଏଥିରେ ଶତାଧିକ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଗଲା। ମାତ୍ର ବସ୍ତି ଉଚ୍ଛେଦ ପରେ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା ବଢିଯାଇଛି।। ରାସ୍ତା ସଂପ୍ରସାରଣର ଦ୍ବିତୀୟ ପର୍ଯ୍ୟାୟରେ ପିଲଗ୍ରିମ ରୋଡ ଦାସସାହି ବସ୍ତିକୁ ଉଚ୍ଛେଦ କରାଯାଇ ଏଠାରେ ରହୁଥିବା ଲୋକଙ୍କୁ ନୂଆପଡା, ବାଲିସାହିରେ ଥଇଥାନ କରାଯାଇଛି। ମାତ୍ର ଘର ଠିକଣା ବଦଳିବା ସହିତ ବସ୍ତିବାସିନ୍ଦାଙ୍କୁ ମିଳୁଥିବା ସରକାରୀ ସୁବିଧା ସୁ‌େଯାଗ ମଧ୍ୟ ବଦଳି ଗଲା। ଦାସସାହି ବସ୍ତିରେ ରହୁଥିବା ମାୟା ଦାସଙ୍କୁ ମିଳୁଥିବା ବାର୍ଦ୍ଧ୍ୟକ ଭତ୍ତା ସେ ବାଲିସାହି ଯିବା ପରଠାରୁ ଆଉ ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥ‌ିଲେ ବି କୌଣସି ସୁଫଳ ପାଇ ନଥିବା କହିଛନ୍ତି।

ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ପାଇଁ ସିଏମ୍‌ସି ୨୪ ନମ୍ବର ୱାର୍ଡର ପିଲଗ୍ରିମ ରୋଡ ଦାସସାହିକୁ ଗତ ଏପ୍ରିଲ ମାସରେ ଭଙ୍ଗା ଯାଇଥିଲା। ଏଠାରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ବାଲିସାହିରେ ଥଇଥାନ କରାଗଲା। ବସ୍ତିରେ ରହୁଥିବା ମାୟା ଦାସ ମଧ୍ୟ ବାଲିସାହିରେ ରହିଲେ। ମାତ୍ର ପୂର୍ବ ୱାର୍ଡରେ ତାଙ୍କ ନାମ ଥିବାରୁ ତାଙ୍କୁ ଭତ୍ତା ଆଣିବାକୁ କଲେଜଛକକୁ ଆସିବାକୁ କୁହାଗଲା। ତେ‌ବେ ଗତ ମାର୍ଚ୍ଚରେ ସେ ଭତ୍ତା ନେବାକୁ ଆସିଥିବା ବେଳେ ତାଙ୍କୁ ଭତ୍ତା ଦିଆଯାଇ ନଥିଲା। ଭତ୍ତା ତାଲିକାରୁ ତାଙ୍କ ନାମ କଟି ଯାଇଥିବା କୁହାଯାଇଥିଲା। ତାଙ୍କ ସହିତ ବାଲିସାହିକୁ ଯାଇଥିବା ଅନ୍ୟ ହିତାଧିକାରୀ କଲେଜଛକରୁ ଭତ୍ତା ପାଉଥିବା ବେଳେ ତାଙ୍କ ନାମ କିପରି କଟିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ‌ଏନେଇ ସେ ନିଗମର କର୍ମଚାରୀ ଓ ଅଧିକାରୀଙ୍କୁ ଜଣାଇ ଥିଲେ ବି ତାଙ୍କ ସମସ୍ୟା ଦୂର ହୋଇ ନଥିବା ସେ କହିଛନ୍ତି। ନିଗମ ଅଧିକାରୀଙ୍କୁ ଏନେଇ ସେ ଲିଖିତ ଅଭିଯୋଗ କରିବା ସହିତ ଏହାର ସମାଧାନ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର